ହିଜାବ ବିବାଦ ପଛରେ ଅଦୃଶ୍ୟ ଶକ୍ତିଙ୍କ ହାତ – ଅଲ-କାଇଦା ଭିଡିଓ ପରେ କର୍ଣ୍ଣାଟକ ମନ୍ତ୍ରୀଙ୍କ ବୟାନ

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଦେଖାଦେଇଥିବା ହିଜାବ ବିବାଦ ପଛରେ ଅଦୃଶ୍ୟ ଶକ୍ତିଙ୍କ ହାତ ଥିବା କହିଛନ୍ତି କର୍ଣ୍ଣାଟକର ଗୃହ ମନ୍ତ୍ରୀ ଆରଗ ଜ୍ଞାନେନ୍ଦ୍ର ।  ସେ କହିଛନ୍ତି ଯେ ଅଲ କାଇଦା ମୁଖ୍ୟ ଅଇମାନ ଅଲ-ଜବାହିରି କର୍ଣ୍ଣାଟକ ଛାତ୍ରୀ ମୁସ୍କାନ ଖାଁଙ୍କୁ ପ୍ରସଂଶା କରିବା ପରେ ଏହା ପ୍ରମାଣିତ ହୋଇଯାଇଛି ବୋଲି ସେ କହିଛନ୍ତି ।

ଏସବୁ ସଂପର୍କିତ ଘଟଣା ଉପରେ ଗୃହ ବିଭାଗ ଓ ପୁଲିସ ପକ୍ଷରୁ ନଜର ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ପୂର୍ବରୁ କହିଆସିଛୁ ଓ ହାଇକୋର୍ଟରେ ବି ମତ ରଖିଥିଲୁ ଯେ ଏହି ଘଟଣା ପଛରେ କେତେକ ଅଦୃଶ୍ୟ ଶକ୍ତିଙ୍କ ହାତ ରହିଛି । ଅଲକାଇଦା ମୁଖ୍ୟ ଅଲ ଜବାହିରି ପକ୍ଷରୁ ଭିଡିଓ ଜାରି କରାଯିବା ପରେ ଏହା ପ୍ରମାଣିତ ହୋଇଯାଇଛି ।

ଗତ ଫେବ୍ରୁଆରି ମାସରେ ମୁସ୍କାନ ହିଜାବ ପିନ୍ଧି କଲେଜ ଯାଉଥିବା ବେଳେ କେତେକ ଗେରୁଆ ସାଲ ପିନ୍ଧା ଛାତ୍ରଛାତ୍ରୀ ତାଙ୍କୁ ବିରୋଧ କରିଥିଲେ । ଏହି ଛାତ୍ରଛାତ୍ରୀମାନେ ଜୟ ଶ୍ରୀରାମ କହିବା ଜବାବରେ ମୁସ୍କାନ  ମୁସଲିମ ଧାର୍ମିକ ସ୍ଲୋଗାନ ଦେଇଥିଲେ ।

ନିଜର ଭିଡିଓରେ ଅଲ-ଜବାହିରି ଭାରତକୁ ବିଧର୍ମୀମାନଙ୍କ ଦେଶ କହିବା ସହ ମୁସ୍କାନକୁ ଜଣେ ଧର୍ମ ଯୋଦ୍ଧା ବୋଲି କହିଥିଲା । ଏହା ସହିତ ମୁସ୍କାନ ପାଇଁ ସେ ଏକ କବିତା ପଢିଥିଲା ।

ସମ୍ବନ୍ଧିତ ଖବର