ନୂଆଦିଲ୍ଲୀ: ନୂଆଦିଲ୍ଲୀ : ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ, ପୁଅ କାର୍ତ୍ତି ଚିଦମ୍ବରମ ଏବଂ ଅନ୍ୟ ୧୨ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ଦିଲ୍ଲୀ କୋର୍ଟରେ ପିସିଏ ( ଦୁର୍ନୀତି ନିବାରଣ ଆଇନ) ଏବଂ ଆଇପିସିର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଧାରା ଅଧୀନରେ ସିବିଆଇ ଏହି ଚାର୍ଜସିଟ୍ ଦାଖଲ କରିଛି। ଆସନ୍ତା ସୋମବାର ଦିନ ସ୍ବତନ୍ତ୍ର ବିଚାରପତି ଅଜୟ କୁମାର କୁହର ଏହି ମାମଲାରେ ଶୁଣାଣି କରିବେ। ଆଇଏନ୍ଏକ୍ସ ମିଡିଆ ମନି ଲଣ୍ଡ୍ରିଂ ମାମଲାରେ ଚିଦମ୍ବରମଙ୍କୁ ୭ ଦିନ ଜେରା କରିବାପାଇଁ ସ୍ବତନ୍ତ୍ର ବିଚାରପତି ଅଜୟ କୁମାର କୁହର ଇଡିଙ୍କୁ ଅନୁମତି ଦେଇଛନ୍ତି। ଗତ ଅଗଷ୍ଟ ୨୧ ତାରିଖରେ ଚିଦମ୍ବରମଙ୍କୁ ସିବିଆଇ ଗିରଫ କରିଥିଲା।
ଆଜି ସୁପ୍ରିମ୍ କୋର୍ଟରେ ମଧ୍ୟ ଚିଦମ୍ବରମଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହୋଇଥିଲା। ଚିଦମ୍ବରମଙ୍କୁ ଜାମିନ ଆବେଦନକୁ ସିବିଆଇ ଦୃଢ଼ ବିରୋଧ କରିଥିଲା। ଚିଦମ୍ବରମଙ୍କ ଆଇନଜୀବୀ କପିଲ ସିବଲ କହିଥିଲେ ଯେ, ଚିଦମ୍ବରମଙ୍କ ପାସପୋର୍ଟ ଜବତ ହୋଇଛି। ଲୁକ୍ଆଉଟ୍ ନୋଟିସ୍ ମଧ୍ୟ ଜାରି ହୋଇଛି। ତେଣୁ ସେ ଦେଶ ଛାଡ଼ି ଯିବାର ପ୍ରଶ୍ନ ଉଠୁନାହିଁ। ଜେଲ୍ରେ ଚିଦମ୍ବରମଙ୍କ ଓଜନ ୪ କିଲୋରୁ ଅଧିକ କମିଯାଇଛି ଏବଂ ତାଙ୍କ ସ୍ବାସ୍ଥ୍ୟରେ ଅବନତି ଘଟୁଛି। ଶୀତ ଆସୁଥିବାରୁ ଡେଙ୍ଗୁ ହେବା ଭୟ ମଧ୍ୟ ରହିଛି। ଚିଦମ୍ବରମଙ୍କୁ ଜେଲ୍ରେ ରଖିବା କିଛି ଆବଶ୍ୟକତା ନାହିଁ। କେବଳ ତାଙ୍କୁ ଅପମାନିତ କରିବାପାଇଁ ଜେଲ୍ରେ ରଖାଯାଇଛି ବୋଲି ସିବଲ କହିଥିଲେ। ଆଜି କୋର୍ଟ ଉଭୟ ପକ୍ଷଙ୍କୁ ଶୁଣିବା ପରେ ଚିଦମ୍ବରମଙ୍କ ଜାମିନ ଆବେଦନର ରାୟ ସଂରକ୍ଷିତ ରଖିଛନ୍ତି