ଆଇଏନ୍‌ଏକ୍ସ ମିଡିଆ ମାମଲା:୨୪ ଯାଏ କାର୍ତ୍ତି ତିହାର ଜେଲରେ

ନୂଆଦିଲ୍ଲୀ: ଆଏନ୍‌ଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦମ୍ବରମଙ୍କ ପୁଅ କାର୍ତ୍ତିଙ୍କୁ ଦିଲ୍ଲୀ ପଟିଆଲା ହାଉସ୍‌ର ସିବିଆଇ ସ୍ୱତନ୍ତ୍ର କୋର୍ଟ ଆସନ୍ତା ୨୪ ତାରିଖ ଯାଏ ତିହାର ଜେଲକୁ ପଠାଇଦେଇଥିବା ବେଳେ ତାଙ୍କ ଜାମିନ ଆବେଦନର ଶୁଣାଣି ୧୫ ତାରିଖରେ ହେବ ବୋଲି ଜଣାଯାଇଛି। ଅପରପକ୍ଷେ, ତିହାର ଜେଲରେ ଅନେକ ଆତଙ୍କବାଦୀ ଥିବାରୁ କାର୍ତ୍ତିଙ୍କ ଜୀବନ ପ୍ରତି ବିପଦ ରହିଥିବା ତାଙ୍କ ଓକିଲ କହିଥିଲେ। ତେଣୁ ଜେଲରେ କାର୍ତ୍ତିଙ୍କ ପାଇଁ ସ୍ୱତନ୍ତ୍ର କୋଠରୀ ସମେତ ଉନ୍ନତ ରହଣି ବ୍ୟବସ୍ଥା ଲାଗି ଅନୁମତି ଦେବାକୁ ତାଙ୍କ ଓକିଲଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ସେହିପରି ଏହି ମାମଲାରେ କାର୍ତ୍ତିଙ୍କୁ ଗିରଫ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡିି) ଆବେଦନର ଶୁଣାଣି ଦିଲ୍ଲୀ ହାଇକୋର୍ଟ ଆସନ୍ତା ୨୦ ତାରିଖରେ କରିବେ। ସୂଚନାଯୋଗ୍ୟ, ୨୦୦୭ରେ ପି.ଚିଦମ୍ବରମ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବା ବେଳେ ବୈଦେଶିକ ପୁଞ୍ଜିନିବେଶ ପ୍ରମୋସନ ବୋର୍ଡ ଦ୍ୱାରା ଆଇଏନ୍‌ଏକ୍ସ ମିଡିଆର କ୍ଲିୟରାନ୍ସ ପାଇଁ କାର୍ତ୍ତି ୪.୫କୋଟି ଟଙ୍କା ଲାଞ୍ଚ ନେଇଥିବା ଆଇଏନ୍‌ଏକ୍ସର ମାଲିକାଣୀ ଇନ୍ଦ୍ରାଣୀ ମୁଖାର୍ଜୀ କହିବା ପରେ କାର୍ତ୍ତିଙ୍କୁ ଗତ ୨୮ ତାରିଖରେ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର