ପାରାଦୀପରେ ଆଇଓସିଏଲ୍ ଖଟାଇବ ଆଉ ୧୩,୮୦୫ କୋଟି

ସ୍ଥାପନ ହେବ ସମନ୍ବିତ ପିଏକ୍ସ-ପିଟିଏ କମ୍ପ୍ଲେକ୍ସ, ବୋର୍ଡ ଦେଲା ସବୁଜ ସ‌ଙ୍କେତ

ନୂଆଦିଲ୍ଲୀ : ପାରାଦୀପରେ ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌) ଆଉ ୧୩ ହଜାର ୮୦୫ କୋଟି ଟଙ୍କା ନିବେଶ କରିବ। ଏହି ଅର୍ଥରେ କମ୍ପାନି ସମନ୍ବିତ ପାରା-ଜାଇଲିନ(ପିଏକ୍ସ) ଏବଂ ପ୍ୟୁରିଫାଏଡ୍ ଟେରିଫଥାଲିକ୍ ଏସିଡ୍‌(ପିଟିଏ) କମ୍ପ୍ଲେକ୍ସ ନିର୍ମାଣ କରିବ। କମ୍ପାନି ପକ୍ଷରୁ ଗତକାଲି ଅନୁଷ୍ଠିତ ବୋର୍ଡ ବୈଠକରେ ଏହି ପ୍ରସ୍ତାବକୁ ସବୁଜ ସଙ୍କେତ ପ୍ରଦାନ କରାଯାଇଛି। ୨୦୨୪ ମସିହା ସୁଦ୍ଧା ଏହି ପ୍ରକଳ୍ପର ନିର୍ମାଣ ଶେଷ ହେବ। ଉକ୍ତ ପ୍ରକଳ୍ପରେ ପାରାଜାଇଲିନ୍‌ର ବାର୍ଷିକ ଉତ୍ପାଦନ କ୍ଷମତା ୮ ଲକ୍ଷ ଟନ୍ ରହିବ। ଏହାକୁ ପିଟିଏ ଉତ୍ପାଦନ ପାଇଁ କଞ୍ଚାମାଲ ଭାବେ ବ୍ୟବହାର କରାଯିବ। ପିଟିଏ ପ୍ରକଳ୍ପର ବାର୍ଷିକ ଉତ୍ପାଦନ କ୍ଷମତା ୧୨ ଲକ୍ଷ ଟନ୍ ରହିବ। ଉଭୟ ପିଟିଏ ଓ ଏମଇଜିକୁ ପଲିଷ୍ଟରର କଞ୍ଚାମାଲ ଭାବେ ବ୍ୟବହାର କରାଯିବ। ଭାରତୀୟ ତୈଳ ନିଗମର ଏମଇଜି କାରଖାନାର ନିର୍ମାଣ ଏବେ ପାରାଦୀପଠାରେ ଚାଲିଛି। ୨୦୨୧ ମସିହା ସୁଦ୍ଧା ଏହା ଉତ୍ପାଦନକ୍ଷମ ହେବ ବୋଲି ଆଶା ରଖାଯାଇଛି। ଉଭୟ ପିଟିଏ ଓ ଏମଇଜି ଉପଲବ୍ଧ ହେବା ଫଳରେ ପାରାଦୀପ ଓ ଏହାର ଆଖପାଖ ଅଂଚଳରେ ପଲିଷ୍ଟର ଉତ୍ପାଦନ ବହୁଳ ମାତ୍ରାରେ ହୋଇପାରିବ। ଏଥିସହିତ ଏଠାରୁ ବାର୍ଷିକ ୫୦ ହଜାର ଟନ୍ ଟୋଲୁଇନି ମଧ୍ୟ ଉତ୍ପାଦନ ହେବ। ପିଟିଏ ଓ ଏମଇଜି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପାରାଦୀପ ବିଶୋଧନାଗାରର ପେଟ୍ରୋକେମିକାଲ ଇ‌ନଟେନସିଟି ଇଣ୍ଡେକ୍ସ ବର୍ତ୍ତମାନର ୪.୫ ସ୍ତରରୁ ୧୪.୭ ସ୍ତରକୁ ବୃଦ୍ଧି ପାଇବ।

ପାରାଦୀପ ପେଟ୍ରୋରସାୟନ ନିବେଶ ଅଂଚଳରେ ଗଢ଼ି ଉଠୁଥିବା କାରଖାନା ଗୁଡ଼ିକ ପାଇଁ ଉଭୟ ପିଟିଏ ଓ ଏମଇଜି ଗୋଟିଏ ସ୍ଥାନରେ ଉପଲବ୍ଧ ହୋଇପାରିବ। ଭାରତୀୟ ତୈଳ ନିଗମ ପକ୍ଷରୁ ୨୦୧୯ ଫେବ୍ରୁଆରିରୁ ‌ପାରାଦୀପଠାରେ ଅନ୍ତର୍ଜାତୀୟସ୍ତରର ପଲିପ୍ରପଲିନ୍ ପ୍ଲାଣ୍ଟ ସ୍ଥାପନ ହୋଇସାରିଛି। ନୂଆ ପ୍ରକଳ୍ପ ସ୍ଥାପନ ହେଲେ ଏଠାରେ ପ୍ରାୟ ସମସ୍ତ ପ୍ରକାର ପେଟ୍ରୋରସାୟନ ସାମଗ୍ରୀ ଉପଲବ୍ଧ ହେବ। ଫଳରେ ଓଡ଼ିଶାର ପେଟ୍ରୋରସାୟନ ଶିଳ୍ପ ବିଶ୍ବରେ ନିଜର ଉପସ୍ଥିତି ଜାହିର କରିପାରିବ।

ପିଏକ୍ସ ପିଟିଏ ପ୍ରକଳ୍ପ ନିର୍ମାଣ ଫଳରେ ୩ ବର୍ଷ ମଧ୍ୟରେ ଏଠାରେ ୫ ନିୟୁତ ଶ୍ରମ ଦିବସର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବୈଷୟିକ ଶିକ୍ଷାଗତ ଯୋଗ୍ୟତା ଥିବା ବ୍ୟକ୍ତିଙ୍କ ସମେତ ୨୦୦୦ରୁ ଅଧିକ କୁଶଳୀ, ଅର୍ଦ୍ଧକୁଶଳୀ ଏବଂ ଅଣକୁଶଳୀ ବ୍ୟକ୍ତିଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

କମ୍ପାନିର ଅଧ୍ୟକ୍ଷ ଏସ ଏମ ବୈଦ୍ୟ ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ ଉକ୍ତ ପ୍ରକଳ୍ପ ସମେତ ଏମଇଜି ପ୍ଲାଣ୍ଟ ଦ୍ବାରା ଭଦ୍ରକଠାରେ ହେବାକୁ ଥିବା ବୟନଶିଳ୍ପକୁ କଞ୍ଚାମାଲ ମିଳିଯିବ। ଏଥିସହିତ ଏହି ଅଞ୍ଚଳର ଅନ୍ୟ ବୟନଶିଳ୍ପ ଓ ଟେକ୍ସଟାଇଲ ପ୍ରକଳ୍ପକୁ ମଧ୍ୟ କଞ୍ଚାମାଲ ଉପଲବ୍ଧ ହୋଇପାରିବ। ଏହି ନିବେଶ ଦ୍ବାରା ଓଡ଼ିଶା ସମେତ ସମଗ୍ର ପୂର୍ବ ଭାରତରେ ଔଦ୍ୟୋଗିକତାକୁ ପ୍ରୋତ୍ସାହନ ଦେବ ବୋଲି ‌ଶ୍ରୀ ବୈଦ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର