ଆଇପିସିସି ରିପୋର୍ଟ, ଭାରତ ପାଇଁ ଚରମ ଚେତାବନୀ

ପୁଣେ: ୧୯୫୦ ପରଠାରୁ ବର୍ତ୍ତମାନ ସୁଦ୍ଧା ହାରାହାରି ବ‌ାୟୁମଣ୍ଡଳୀୟ ତାପମାତ୍ରା ୦.୬ ଡିଗ୍ରି ବୃଦ୍ଧି ପାଇଥିବା ବେଳେ ଚରମ ପାଣିପାଗ-ଜନିତ ଘଟଣା ତିନିଗୁଣ ବୃଦ୍ଧି ପାଇଛି। ଜଳବାୟୁ ପରିବର୍ତ୍ତନ ଉପରେ ଜାତିସଂଘର ଆନ୍ତଃସରକାରୀ ପ୍ୟାନେଲ୍‌ (ଆଇପିସିସି)ର ସଦ୍ୟତମ ରିପୋର୍ଟରେ କୁହାଯାଇଛି ଯେ, ଚଳିତ ଶତାବ୍ଦୀ ଶେଷ ସୁଦ୍ଧ‌ା ବିଶ୍ବ ତାପମାତ୍ରା ୧.୫ ଡିଗ୍ରୀ ସେଲ୍‌ସିୟସ୍ ବା ତତୋଽଧିକ ବୃଦ୍ଧି ପାଇବ। ଆସନ୍ତା ୨୦ ବର୍ଷ ପର୍ଯ୍ୟନ୍ତ ଅନେକ ଅନୁକୂଳ ଦୃଶ୍ୟପଟ ପରିଦୃଶ୍ୟ ହେଲେ ମଧ୍ୟ ଏହା ଭାରତ ପାଇଁ ଚରମ ଚେତାବନୀ। କାରଣ ଅନେକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଗତ ଶତାବ୍ଦୀ ଭିତରେ ମାତ୍ର ୦.୬ ଡିଗ୍ରୀ ଉତ୍ତାପ ବୃଦ୍ଧି ଯୋଗୁ ୧୯୫୦ ପରଠାରୁ ମାତ୍ରାଧିକ ବର୍ଷା ଓ ବନ୍ୟା ତିନିଗୁଣ ବୃଦ୍ଧି ପାଇଛି।

ଅନ୍ତର୍ଜାତୀୟ ବିପର୍ଯ୍ୟୟ ଡାଟାବେସ୍ (ଇଏମ୍-ଡିଏଟି) ଅନୁସାରେ ୧୯୫୦ରୁ ୨୦୧୦ ଭିତରେ ଭାରତରେ ବନ୍ୟା ସଂଖ୍ୟା ପାଞ୍ଚରୁ ଛଅଗୁଣ ଏବଂ ଅବଶିଷ୍ଟ ଦକ୍ଷିଣ ଏସିଆରେ ଆଠରୁ ଦଶଗୁଣ ବୃଦ୍ଧି ପାଇଛି। ଉପକୂଳ ମହାରାଷ୍ଟ୍ରର ଚିପଲୁନ ଟାଉନରେ ହୋଇଥିବା ବନ୍ୟା ଏବଂ ୨୦୧୯ରେ ପଶ୍ଚିମ ମହାରାଷ୍ଟ୍ରର କୋହ୍ଲାପୁର ଓ ସାଙ୍ଗଲି ସିଟିରେ ହୋଇଥିବା ବନ୍ୟା ହେଉଛି ମାତ୍ରାଧିକ ବର୍ଷାଜନିତ। ଦକ୍ଷିଣ ଏସିଆରେ ଘଟୁଥିବା ୭୦ ପ୍ରତିଶତ ପ୍ରାକୃତିକ ବିପର୍ଯ୍ୟୟ ହେଉଛି ଗ୍ରୀଷ୍ମମଣ୍ଡଳୀୟ ବାତ୍ୟାଜନିତ, ଯାହା ପୁନଶ୍ଚ ବନ୍ୟାର କାରଣ ହୋଇପାରେ। ୧୯୫୦ ପରଠାରୁ ବନ୍ୟା ଓ ବାତ୍ୟା ସଂଖ୍ୟା ସାତରୁ ଆଠଗୁଣ ବୃଦ୍ଧି ପାଇଥିବା ବେଳେ ଅନ୍ୟ ବିପର୍ଯ୍ୟୟ ଯଥା ଭୂସ୍ଖଳନ ମଧ୍ୟ ୬ରୁ ୧୦ ଗୁଣ ବୃଦ୍ଧି ପାଇଛି। ୨୦୧୫ ପରେ ଅବଶ୍ୟ ଚରମ ଘଟଣାଗୁଡ଼ିକର ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଛି। ଶକ୍ତି, ପରିବେଶ ଓ ଜଳ ପରିଷଦର ଡିସେମ୍ବର ୨୦୨୦ ରିପୋର୍ଟ ଅନୁସାରେ ୧୯୭୦ ଦଶକରେ ୧୩ଟି ବନ୍ୟା ହୋଇଥିବା ବେଳେ ୨୦୧୦ ଦଶକରେ ତାହା ୧୦୪କୁ ବୃଦ୍ଧି ପାଇଛି, ଅର୍ଥାତ୍ ପାଞ୍ଚ ଦଶନ୍ଧିରେ ଆଠଗୁଣ ବଢ଼ିଛି।

ରିପୋର୍ଟ ଅନୁସାରେ ମନ୍ୟା ସହ ସମ୍ବନ୍ଧିତ ଚରମ ଘଟଣାଗୁଡ଼ିକ ଯଥା ଭୂସ୍ଖଳନ, ମାତ୍ରାଧିକ ବର୍ଷା, ବାଦଲଫଟା ବର୍ଷା, କରକାବୃଷ୍ଟି ଏବଂ ଘନଘନ ବଜ୍ରପାତ ସହ ଝଡ଼ତୋଫାନ ପ୍ରଭୃତି ଗୁଣୋତ୍ତର ପ୍ରଗତିରେ ବୃଦ୍ଧି ପାଇଛି। ସେଗୁଡ଼ିକ ୧୦୭୦ ଦଶକରେ ୧ରୁ ବୃଦ୍ଧି ପାଇ ୨୦୧୦ ଦଶକରେ ୨୩ରେ ପହଞ୍ଚିଛି। ବାତ୍ୟା ସଂଖ୍ୟା ତିନିଗୁଣ ବୃଦ୍ଧି ପାଇଛି। ରିପୋର୍ଟରୁ ମଧ୍ୟ ଜଣାପଡ଼ିଛି ଯେ, ବଡ଼ ଧରଣର ବନ୍ୟା ୧୯୭୦ରୁ ୨୦୦୫ ଭିତରେ ଯେତିକି ଥିଲା, ୨୦୦୫ରୁ ୨୦୧୯ ଭିତରେ ତା’ର ତିନିଗୁଣା ବୃଦ୍ଧି ପାଇଛି। ପୂର୍ବରୁ ଯେତିକି ଜିଲ୍ଲା ଏହାଦ୍ବାରା ପ୍ରଭାବିତ ହେଉଥିଲେ, ଏବେ ସେ ସଂଖ୍ୟା ମଧ୍ୟ ତିନିଗୁଣ ବୃଦ୍ଧି ପାଇଛି। ପୁଣେସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ ମେଟେରୋଲୋଜି (ଆଇଆଇଟିଏମ୍‌)ସ୍ଥିତ ଜଳବାୟୁ ପରିବର୍ତ୍ତନ ଗବେଷଣା କେନ୍ଦ୍ରର ମୁଖ୍ୟ ରସ୍କି ମାଥିଉ କୋଲଙ୍କ ବିଶ୍ଳେଷଣ ଅନୁସାରେ, ଭାରତରେ ବ୍ୟାପକ ଅଞ୍ଚଳରେ ପୂର୍ବାପେକ୍ଷା ତିନିଗୁଣ ଅଧିକ ବୃଷ୍ଟିପାତ ହେବ। କିନ୍ତୁ ୧୯୫୦ ଦଶକରୁ ୨୦୦୦ ଦଶକ ଭିତରେ ମୋଟ ବୃଷ୍ଟିପାତର ପରିମାଣ କମିଛି। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ନିକଟରେ ଭାରତରେ ଦୀର୍ଘକାଳୀନ ହାରାହାରି ମୌସୁମୀ ବୃଷ୍ଟିପାତ ପରିମାଣ ୮୯ ସେମିରୁ ୮୮ ସେମିକୁ ହ୍ରାସ ପାଇଥିବା ପ୍ରକାଶ କରିଛନ୍ତି। ବୃଷ୍ଟିପାତ ପରିମାଣ ହ୍ରାସ ପାଇବା ଏବଂ କେତେକ ଜାଗାରେ ବାଦଲଫଟା ବର୍ଷା ହେବା ଭଳି ଘଟଣା ବୃଦ୍ଧି ପାଇବା ଅର୍ଥ ଆଗକୁ ଅନାବୃଷ୍ଟି ଅଧିକ ହେବ ବୋଲି କୋଲଙ୍କ ଅଧ୍ୟୟନ ଦର୍ଶାଇଛି। ସେ ମଧ୍ୟ କହିଛନ୍ତି ଯେ, ଆରବ ସାଗରରେ ଜଳପୃଷ୍ଠର ତାପମାତ୍ରା ବୃଦ୍ଧି ପାଇବା ସହ ଏହାର ସମ୍ବନ୍ଧ ଅଛି। ଏହା ଫଳରେ ବାତ୍ୟା ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ବୃଦ୍ଧି ପାଉଛି।

କମଲଜିତ୍ ରାୟ ଓ ଅନ୍ୟମାନଙ୍କ ୨୦୨୧ ଗବେଷଣା ସନ୍ଦର୍ଭ ଅନୁସାରେ ଭାରତରେ ପ୍ରାୟ ସବୁ ପ୍ରକାର ଚରମ ଜଳବାୟୁ-ଜନିତ ଘଟଣା (ଶୀତ ଓ ଗ୍ରୀଷ୍ମ ଲହରି, ବନ୍ୟା ବା ବିଜୁଳି)ର ବାର୍ଷିକ ବାରମ୍ବାରତା ବୃଦ୍ଧି ପାଇଛି। ସେମାନଙ୍କ ଗବେଷଣା ଅନୁସାରେ, ବାତ୍ୟା ସଂଖ୍ୟା ହ୍ରାସ ପାଇଛି। ୧୯୮୦ରୁ ୧୯୯୯ ଏହି ୨୦ ବର୍ଷ ଭିତରେ ୬୪ଟି ବନ୍ୟା ଘଟଣା ଘଟିଥିବା ବେଳେ ୨୦୨୦ରୁ ୨୦୧୯ ପର୍ଯ୍ୟନ୍ତ ପରବର୍ତ୍ତୀ ୨୦ ବର୍ଷ ଭିତରେ ଏହା ୯୩କୁ ବୃଦ୍ଧି ପାଇଥିଲା। ସେହିପରି ଗ୍ରୀଷ୍ମ ଲହରି ଜନିତ ଘଟଣା ୧୦ରୁ ୨୪କୁ ବୃଦ୍ଧି ପାଇଥିଲା। ତେବେ ସେମାନଙ୍କ ସୂଚନା ଅନୁସାରେ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ମାନବ ଜୀବନ ହାନି ସଂଖ୍ୟା କମିଛି। ଲୋକଙ୍କ ସଚେତନା, ସରକାରଙ୍କ ଜାଗରୁକତା ଓ ଉପଲବ୍ଧ ଜ୍ଞାନକୌଶଳ ତଥା ଭିତ୍ତିଭୂମି ଯୋଗୁ ଏପରି ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର