ମୁମ୍ବାଇ: ଗୋଟେ ବି ମାଡ ତଳେ ପଡିଲାନି… କାହା ଗାଲରେ ବାଜୁଥିଲା ତ କାହା ପିଠିରେ ଦୁମ କିନା ବିଧା ବସୁଥିଲା… ପୁଣି କାହାକୁ କିଏ ପଛରୁ ଗୋଇଠା ମାରୁଥିଲା । ବିଧା, ଗୋଇଠା, ଚାପୁଡା ସବୁ ଉପରେ ଉପରେ ଉଡୁଥିଲା । ମାନେ କହିବାକୁ ଗଲେ କିଛି ସମୟ ପାଇଁ ଆପଲ ଷ୍ଟୋର ରଣକ୍ଷେତ୍ର ପାଲଟିଗଲା । ଯେଉଁଠି କିଛି ସମୟ ତଳେ ଉତ୍ସାହ ଥିଲା, ଅପେକ୍ଷା ଥିଲା ସେଠି ସଙ୍ଗେସଙ୍ଗେ ଗଣ୍ଡଗୋଳ ପରିସ୍ଥିତି ଦେଖାଦେଲା । ସବୁ ଉତ୍ସାହ ଉତ୍ତେଜନାରେ ବଦଳିଗଲା । 

Advertisment

ମୁମ୍ବାଇ ଆପଲ ଷ୍ଟୋରର ବିକେସି ଜିଓ ସେଣ୍ଟର ବାହାରେ କିଛି ଏମିତି ଦେଖିବାକୁ ମିଳିଛି । ଯେଉଁଠି ଧାଡି ଭାଙ୍ଗି ଧସେଇ ପଶିବା ପରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । କୁହାଯାଉଛି କିଛି ବିନା ବୁକିଂର ଲୋକ ଆସି ନୂଆ ଆଇଫୋନ୍-୧୭ କିଣିବା ପାଇଁ ଧାଡିରେ ଛିଡା ହୋଇଥିବା ଲୋକଙ୍କୁ ହଟେଇ ନିଜେ ଛିଡା ହେବାକୁ ଚେଷ୍ଟା କରିଥିଲେ । ଯେଉଁମାନେ ପୂର୍ବ ରାତିରୁ ବିଭିନ୍ନ ରାଜ୍ୟରୁ ଆସି ଆଇଫୋନ୍-୧୭ କିଣିବାକୁ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହୋଇଥିଲେ ସେମାନେ ଏହାକୁ ବିରୋଧ କରିଥିଲେ । ଆଉ ତାପରେ ହିଁ ସେଇଠି ବଚସାରୁ ବାଡିଆ ପିଟା ଲାଗିଥିଲେ ଆଇଫୋନ୍-୧୭ କିଣିବାକୁ ଆସିଥିବା ଗ୍ରାହକ । 

ବାସ୍ ତାପରେ ଆପଲ ଷ୍ଟୋର ରଣକ୍ଷେତ୍ରରେ ପରିଣତ ହୋଇଥିଲା । ମରା ପିଟା, ବିଧା ଗୋଇଠା ଉଡିବା ପରେ ସିକ୍ୟୁରିଟି ଆସି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ । ତେବେ ମୁମ୍ବାଇର ଜଣେ ଗ୍ରାହକ କହିଛନ୍ତି, ଏଠାରେ ସିକ୍ୟୁରିଚି ବ୍ୟବସ୍ଥା ପୂରା ବେକାର । ଲୋକେ ଲାଇନ ଭାଙ୍ଗି ଏଠି ସେଠି ପଳାଉଛନ୍ତି । ଯେଉଁମାନେ ଘଣ୍ଟା ଘଣ୍ଟା ଧାଡିରେ ଛିଡା ହୋଇଛନ୍ତି ସେମାନଙ୍କୁ ପଛରେ ରଖି ଅନ୍ୟମାନେ ଆଗକୁ ପଳାଉଛନ୍ତି । ଯେଉଁଥିପାଇଁ ଏ ଗଣ୍ଡଗୋଳ ପରିସ୍ଥିତି ହେଲା । 

ତେବେ ଆଇଫୋନ୍-୧୭ ଆଜି ଭାରତର ବିଭିନ୍ନ ସ୍ଥାନରେ ପ୍ରଥମ କରି ବିକ୍ରି ହେଉଥିବାରୁ ବିଭିନ୍ନ ସ୍ଥାନରେ ଭିଡ଼ ପରିଲକ୍ଷିତ ହୋଇଛି । ମୁମ୍ବାଇ ଏବଂ ଦିଲ୍ଲୀରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ଲୋକେ ଗତକାଲି ରାତିରୁ ଧାଡିରେ ଛିଡା ହୋଇଛନ୍ତି ।