ମୁମ୍ବାଇ: ବଲିଉଡ ଅଭିନେତା ଓ ପ୍ରାଯୋଜକ ଅର୍ବାଜ ଖାନ୍ କ୍ରିକେଟ ବେଟିଂ କରୁଥିବା ସ୍ୱୀକାର କରିବା ସହ ଥାନେ ପୁଲିସକୁ ଅନେକ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି। ବୁକି ସୋନୁ ସହ ସଂପର୍କ ହେବାପରେ ସେ ତାଙ୍କୁ ନିୟମିତ ବ୍ଲାକ୍ମେଲ କରୁଥିଲା। ଏପରିକି ୩ କୋଟି ଟଙ୍କା ହରାଇବା ସତ୍ତ୍ୱେ ମଧ୍ୟ ସୋନୁର ବଡ଼ ଷଡ଼ଯନ୍ତ୍ର ସଂପର୍କରେ ସେ ଅଜ୍ଞ ଥିଲେ ବୋଲି ଅର୍ବାଜ କହିଛନ୍ତି। ସୋନୁ ସହିତ ବନ୍ଧୁତା ହେବାର ୨ ବର୍ଷ ପରେ ଅର୍ବାଜ ତା’ର କାର୍ଯ୍ୟକଳାପକୁ ସନ୍ଦେହ କରିଥିଲେ। ଜଣେ ସରକାରୀ ଅଧିକାରୀଙ୍କୁ ସୋନୁ ବ୍ଲାକ୍ମେଲ କରିବା ଘଟଣା ସାମ୍ନାକୁ ଆସିବା ପରେ ସେ ଏ ବାବଦରେ ସବୁକିଛି ଜାଣିପାରିଥିଲେ ବୋଲି ଅର୍ବାଜ କହିଛନ୍ତି। ସୋନୁ ବେଟିଂ ପାଇଁ ଗ୍ରାହକ ସୃଷ୍ଟି କରିବାକୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହାୟତା ନେଉଥିଲା ଏବଂ ସେମାନଙ୍କ ସହ ଯୋଗସୂତ୍ରରେ ଏକ ଷଡ଼ଯନ୍ତ୍ରପୂର୍ଣ୍ଣ ବାତାବରଣ ସୃଷ୍ଟି କରୁଥିଲା। ଅର୍ବାଜ କହିଛନ୍ତି ସେ ସୋନୁ ସହ କଥାବାର୍ତ୍ତା ହେବାବେଳେ ସେ ଏହାର ଅଡିଓ ଓ ଭିଡିଓ ରେକର୍ଡି କରି ତାଙ୍କୁ ଯୋଜନାବଦ୍ଧ ଭାବେ ଫସାଇଥିଲା। ସୋନୁର ବେଟିଂ ସିଣ୍ଡିକେଟ୍ରେ ୧୨ ଶହ ଗ୍ରାହକ ଥିବା ବେଳେ ଏହି ର୍ୟାକେଟ୍କୁ ସଂଚାଳନ କରିବାରେ ସେ ନିଜେ ହିଁ ମୁଖ୍ୟ ଭୂମିକା ନେଉଥିଲା। ସୋନୁର ଗ୍ରାହକ ତାଲିକା ଲମ୍ବି ଚାଲିଥିବା ବେଳେ ଏଥିରେ ଅର୍ବାଜଙ୍କ ଭଳି ଅନେକ ସେଲିବ୍ରିଟିଙ୍କ ସଂପୃକ୍ତି ଥିବା ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ଅର୍୍ବାଜଙ୍କ ମାଧ୍ୟମରେ ସୋନୁ ୭ ଜଣ ବଲିଉଡ୍ ସେଲିବ୍ରିଟିଙ୍କୁ ଥୋପ କରି କାରବାର ବାଢ଼ଇଥିଲା ବୋଲି ଜେରାବେଳେ ଜଣାପଡ଼ିଛି। ତେବେ ସୋନୁ ଏସବୁ କାର୍ଯ୍ୟ ତା’ର ବସ୍ ‘ଜୁନିଅର୍ କୋଲକାତା’ ନିର୍ଦ୍ଦେଶରେ କରୁଥିଲା ବୋଲି ପୁଲିସକୁ ପ୍ରମାଣ ମିଳିଛି। ଅଣ୍ଡରଓ୍ଵାର୍ଲଡ ସହ ସଂପର୍କ ରଖି ଏହି କାରବାର ଚାଲିଥିଲା ବୋଲି ଜଣାପଡ଼ିଛି। ‘ଜୁନିଅର କୋଲାକାତା’ ଏବେ ଭାରତ ଛାଡ଼ି ପଳାୟନ କରିବାକୁ ସକ୍ଷମ ହୋଇଥିବା ପୁଳିସ୍ ଅନୁମାନ କରୁଛି।
ଆଇପିଏଲ ୨୦-୨୦ରେ ଚାଲିଥିବା ବେଟିଂ ନେଇ ଜେରାବେଳେ ଅନେକ ଚାଂଚଲ୍ୟକର ତଥ୍ୟ ଅର୍ବାଜ ପ୍ରଘଟ କରିଛନ୍ତି। ସେ ଯେଉଁ ସେଲିବ୍ରିଟିମାନଙ୍କୁ ସୋନୁ ସହିତ ପରିଚିତ କରାଉଥିଲେ ସୋନୁ ପରବର୍ତ୍ତୀ ସମୟରେ ସେମାନଙ୍କ ସହ ଯୋଗସୂତ୍ର ରଖି ଘନିଷ୍ଠ ହେବାକୁ ପ୍ରୟାସ କରୁଥିଲା। ୭ ଜଣ ବଲିଉଡ୍ ସେଲିବ୍ରିଟିଙ୍କ ସହିତ ସୋନୁ ବିଗତ ୩ ବର୍ଷ ଧରି ନିୟମିତ ବ୍ୟବଧାନରେ ସଂପର୍କରେ ରହୁଥିଲା ବୋଲି ଜଣାପଡ଼ିଛି। ଅର୍୍ବାଜଙ୍କୁ ଏହି ମାମଲାରେ ପୁଲିସ ଦୀର୍ଘ ୫ ଘଣ୍ଟା ଧରି ଜେରା କରିଥିବା ପ୍ରକାଶ। ତେବେ କେଉଁ ସେଲିବ୍ରିଟିଙ୍କ ନାମ ତଦନ୍ତ ପ୍ରକ୍ରିୟାରେ ଚର୍ଚ୍ଚାକୁ ଆସିଛି ସେ ସଂପର୍କରେ ପୁଲିସ ତଥ୍ୟ ପ୍ରଘଟ କରିନାହିଁ। ଏ ବାବଦରେ ଖୋଳତାଡ଼ ଆରମ୍ଭ ହୋଇଛି । ଏହା ସହିତ ୨ ଜଣ ବାର୍ ଗାର୍ଡ ଆଇପିଏଲ୍ ବେଟିଂ ସିଣ୍ଡିକେଟ୍ରେ ସୋନୁ ସହ ମିଶି କାମ କରୁଥିଲେ ବୋଲି ଜଣାପଡ଼ିଛି।