ଆଇପିଏଲ୍‌ ବେଟିଂର ଚେର ପାକିସ୍ତାନକୁ ଲମ୍ବିଛି, ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ: ଆଇପିଏଲ୍ ବେଟିଂର ଚେର ପାକିସ୍ତାନକୁ ଲମ୍ବିଛି।  ୨୦୧୯ ଆଇପିଏଲ୍‌ ମ୍ୟାଚ୍‌ରେ  ବେଟିଂ ହୋଇଥିବା ଅଭିଯୋଗର ତଦନ୍ତ କରୁଛି ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌(ସିବିଆଇ)। ଏହି କ୍ରମରେ ସିବିଆଇ ପକ୍ଷରୁ କୁହାଯାଇଛି କି  ପାକିସ୍ତାନରେ ସକ୍ରିୟ ଥିବା ଏକ ବେଟିଂ ନେଟ୍‌ୱାର୍କ ଦ୍ବାରା ଆଇପିଏଲ୍ ପ୍ରଭାବିତ ହୋଇଥିଲା । ପାକିସ୍ତାନରେ ସକ୍ରିୟ ଥିବା ବେଟିଂ ନେଟ୍‌ୱାର୍କର କିଛି ବ୍ୟକ୍ତିବିଶେଷଙ୍କ ଯୋଗୁ ଏହି ବେଟିଂ ହୋଇଥିବା ସିବିଆଇ ତା’ର ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଓ ଏ ସଂକ୍ରାନ୍ତରେ ମାମଲା ରୁଜୁ କରିଛି।

ବେଟିଂ ନେଟ୍‌ୱାର୍କ ଦ୍ବାରା ଜଡ଼ିତ ବ୍ୟକ୍ତିବିଶେଷ ପାକିସ୍ତାନ ଦ୍ବାରା ପ୍ରଭାବିତ ହୋଇ ସାଧାରଣ ଜନତାଙ୍କୁ ବେଟିଂ ପାଇଁ ଉସୁକାଉଛନ୍ତି। ଏହି ଘଟଣାର ତଦନ୍ତ କରି ଜାତୀୟ ତଦନ୍ତକାରୀ ସଂସ୍ଥା ଦିଲ୍ଲୀ ରୋହିଣୀର ଦୀଲିପ କୁମାର, ହାଇଦ୍ରାବାଦ୍‌ର ଗୁରାମ ଭାସୁ ଏବଂ ଗୁରାମ ସତିଶଙ୍କ ବିରୋଧରେ ମାମଲା ରୁଜୁ କରିଥିବା ସୂଚନ‌ା ରହିଛି।

ବେଟିଂ ଉଦ୍ଦେଶ୍ୟ ରଖି ଏହି  ନେଟ୍‌ୱାର୍କ କିଛି ଅଜଣା ବ୍ୟାଙ୍କ୍‌ ଅଧିକାରୀଙ୍କ ସହ ମିଶି ନକଲି ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଖୋଲିଥିବା ସୂଚନା ରହିଛି। ଏକାଧିକ ଜନ୍ମତାରିଖ ଭଳି ଜାଲ୍‌ ବିବରଣୀ ପ୍ରଦାନ କରି ଏହି ସବୁ ନକଲି ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଖୋଲା ଯାଇଥିବା ସିବିଆଇ ପ୍ରକାଶ କରିଛି।

ଏହିପରି ଭାବେ ସାଧାରଣ ଜନତା‌ଙ୍କଠାରୁ ଅର୍ଥ ଗ୍ରହଣ ହେଉଛି। ସାଧାରଣ ଜନତାଙ୍କଠାରୁ ଗ୍ରହଣ କରାଯାଉଥିବା ଅର୍ଥରୁ କିଛି ଭାଗ ବିଦେଶରେ ଥିବା ସେମାନଙ୍କ ସହଯୋଗୀମାନଙ୍କୁ ପ୍ରଦାନ କରାଯାଉଛି। ସୂଚନାରୁ ଜାଣିବାକୁ ମିଳିଛି ଯେ ଏହି ନେଟ୍‌ୱାର୍କରେ ଜଡ଼ିତ ଥିବା ବ୍ୟକ୍ତି ୨୦୧୦ ମସିହାରୁ ଏହି ବେଟିଂ କାରବାର ଚଳାଇଛନ୍ତି। ସିବିଆଇ ଏହି ମାମଲାକୁ ନେଇ ଆହୁରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର