ଆଇପିଏଲ୍ ଫାଇନାଲ୍: ତୃତୀୟ ଥର ପାଇଁ ଟାଇଟଲ୍ ଜିତିବାକୁ ପଡ଼ିଆକୁ ଓହ୍ଲାଇବ କୋଲକାତା ଦଳ, ସନରାଇଜର୍ସ ସହ କଡ଼ା ହେବ ମୁକାବିଲା…

ଚେନ୍ନାଇ: ଆଇପିଏଲର ୧୭ତମ ସିଜନ ରବିବାର ଶେଷ ହେବ। ଆଜିର ଫାଇନାଲରେ ଦୁଇଥର (୨୦୧୨, ୨୦୧୪) ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ୨୦୧୬ର ଚାମ୍ପିଅନ୍ ସନରାଇଜର୍ସ ହାଇଦ୍ରାବାଦ ସହିତ ମୁହାଁମୁହିଁ ହେବ।

୨୦୨୨ ବର୍ଷକୁ ବାଦ୍ ଦେଇ, ଆଇପିଏଲ୍ ୨୦୧୭ରୁ ୨୦୨୩ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ଦଳ କିମ୍ବା ଚେନ୍ନାଇ ସୁପର କିଙ୍ଗ୍ସ ଚାମ୍ପିଅନ୍ ହୋଇଛି। ୨୦୨୨୨ରେ ଗୁଜୁରାଟ ଟାଇଟନ୍ସ ଦଳ ଜିତିଥିଲା ​​। ୨୦୧୬ ପରେ ଏହା ଦ୍ୱିତୀୟ ଥର ହେବ ମୁମ୍ବାଇ ଏବଂ ଚେନ୍ନାଇ ପରେ ନୂଆ ଚାମ୍ପିଅନ୍ ମିଳିବ। ଫାଇନାଲ ମ୍ୟାଚ୍ ସନ୍ଧ୍ୟା ସାଢ଼େ ୭ଟାରେ ଆରମ୍ଭ ହେବ । ଏଥିପାଇଁ ଏକ ରିଜର୍ଭ ଦିନ ଭାବେ ୨୭ ମେ’କୁ ମଧ୍ୟ ରଖାଯାଇଛି। ଗତ ଥର ରିଜର୍ଭ ଦିନରେ ଚାମ୍ପିୟନ ନିଷ୍ପତ୍ତି ନିଆଯାଇଥିଲା। ତେବେ ଚଳିତ ବର୍ଷ ଚେନ୍ନାଇରେ ବର୍ଷା ହେବାର ସମ୍ଭାବନା ନାହିଁ। ଏଭଳି ପରିସ୍ଥିତିରେ କୋଲକାତା ଏବଂ ସନରାଇଜର୍ସ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିବାର ଆଶା ରହିଛି।

ଗୋଟିଏ ପଟେ କୁଶଳୀ କ୍ରିକେଟ୍ ରଣନୀତିଜ୍ଞ ଗୌତମ ଗମ୍ଭୀରଙ୍କ ନାଇଟ୍ ରାଇଡର୍ସ ଥିବାବେଳେ ଅନ୍ୟ ପଟେ ପ୍ୟାଟ୍ କମିନ୍ସଙ୍କ ‘ଦଳ’ ରହିଛି। ଯିଏ ଆକ୍ରମଣାତ୍ମକ ବ୍ୟାଟିଂର ଏକ ନୂତନ ସଂଜ୍ଞା ସୃଷ୍ଟି କରିଛନ୍ତି। ଗମ୍ଭୀର ଏବଂ କୋଲକାତା ଦଳର ‘କରବୋ, ଲଡବୋ, ଜେତବୋ’ର ମାନସିକତା ଥିବାବେଳେ ଅନ୍ୟ ପଟେ ପ୍ୟାଟ କମିନ୍ସ ରହିବେ ଯାହାଙ୍କର ଅଷ୍ଟ୍ରେଲିୟ ମାନସିକତା ଅଛି, ଯିଏ ଦଳକୁ କଠିନ ପରିସ୍ଥିତିରୁ କିପରି ବାହାର କରିବେ ତାହା ଭଲ ଭାବେ ଜାଣନ୍ତି।

ନିଜର ଦ୍ୱିତୀୟ ଆଇପିଏଲ୍ ଫାଇନାଲ୍ ଖେଳିବାକୁ ଯାଉଥିବା ଶ୍ରେୟସ୍ ଆୟରଙ୍କୁ ଏହି ସିଜିନରେ ଏକ ବଡ଼ ଭୂମିକାରେ ଦେଖିବାକୁ ମିଳିଛି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ ସେ ଗମ୍ଭୀରତାର ସହିତ ନେଉଛନ୍ତି। କେକେଆରର ଅଧିନାୟକ ଭାବରେ ଚଳିତ ସିଜନରେ ଫାଇନାଲରେ ପହଞ୍ଚିବା ପୂର୍ବରୁ ଶ୍ରେୟସ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଭାବରେ ୨୦୨୦ରେ ଫାଇନାଲରେ ପ୍ରବେଶ କରିଥିଲେ। ଏଥି ସହିତ, ଏକ ଦଶନ୍ଧି ପୂର୍ବରୁ କେହି କଳ୍ପନା କରି ନଥିଲେ ଯେ କମିନ୍ସ ଅଧିନାୟକ ହେବେ ଯିଏ ୬ ମାସ ମଧ୍ୟରେ ଏକଦିବସୀୟ ବିଶ୍ୱକପ୍, ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଜିତିବେ । ବର୍ତ୍ତମାନ ଯଦି ସେ ସନରାଇଜର୍ସକୁ ଆଇପିଏଲ୍ ଟାଇଟଲ୍ ଦିଅନ୍ତି ତେବେ ଏହା ଅତ୍ୟନ୍ତ ଭଲ ହେବ ।

ରାଜସ୍ଥାନ ରୟାଲ୍ସ ବିପକ୍ଷ ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟରେ ଦଳର ବିଜୟ ପରେ ସନରାଇଜର୍ସ ଆସିଷ୍ଟାଣ୍ଟ କୋଚ୍ ସାଇମନ୍ ହେଲମୋଟ କହିଛନ୍ତି କମିନ୍ସ ଜଣେ ଅତ୍ୟନ୍ତ ବ୍ୟବହାରିକ, ଭଦ୍ର ଏବଂ ପ୍ରଭାବଶାଳୀ ଅଧିନାୟକ। ବିଭିନ୍ନ ପରିସ୍ଥିତିରେ ପ୍ରତିଦ୍ୱନ୍ଦ୍ୱୀ ଦଳ ବିରୁଦ୍ଧରେ ସେମାନଙ୍କର ସମସ୍ତ ସୂଚନା ଏବଂ ପରିସଂଖ୍ୟାନ ଅଛି। କମିନ୍ସ ଦଳୀୟ ବୈଠକରେ ସମୟ ନଷ୍ଟ କରନ୍ତି ନାହିଁ ।

ସମ୍ବନ୍ଧିତ ଖବର