ଦୁର୍ବ୍ୟବହାର ଅଭିଯୋଗରେ ବରିଷ୍ଠ ଆଇପିଏସ୍‌ ବସନ୍ତ ରଥ ନିଲମ୍ବିତ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀର ଆଇଜି ବସନ୍ତ ରଥଙ୍କୁ ଦୁର୍ବ୍ୟବହାର ଏବଂ ଆଇନ ବିରୋଧୀ କାର୍ଯ୍ୟ ଅଭିଯୋଗରେ ନିଲମ୍ବିତ କରାଯାଇଛି। ରଥଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିବା ପରେ ଗୃହ ମନ୍ତ୍ରାଳୟ ନିଜ ଅଧିକାର ପ୍ରୟୋଗ କରି ତାଙ୍କୁ ଆଜି ନିଲମ୍ବନ କରିଛନ୍ତି। ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଆଦେଶରେ କୁହାଯାଇଛି, ୨୦୦୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ରଥ ଜମ୍ମୁ କାଶ୍ମୀର ପୁଲିସ ମହାନିର୍ଦ୍ଦେଶକଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ। ବସନ୍ତ ରଥ ଡିଜିପି ଦିଲବାଗ ସିଂହଙ୍କ ସହିତ ଏକ ବିବାଦକୁ ନେଇ ଚର୍ଚ୍ଚାରେ ଥିଲେ । ନିକଟରେ ବସନ୍ତ ରଥ ଥାନାରେ ଏକ ଅଭିଯୋଗ କରିଥିଲେ ଏବଂ ପୁଲିସ ମୁଖ୍ୟଙ୍କ କେତେକ କାର୍ଯ୍ୟକଳାପ ଯୋଗୁଁ ନିଜର ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଥିଲେ। ତାଙ୍କର ପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ୨୫ ଜୁନ୍‌ରେ ଗାନ୍ଧୀନଗର ପୁଲିସ ଷ୍ଟେସନର ଏସ୍‌ଏଚ୍‌ଓଙ୍କୁ ଦେଇଥିବା ଅଭିଯୋଗ ପତ୍ରରେ ସେ କହିଥିଲେ ଯେ ମୁଁ ଦେଶର ଏକ ନାଗରିକ ଭାବେ ନିଜ ସମସ୍ୟା ଉପସ୍ଥାପନ କରୁଛି, କୌଣସି ପୁଲିସ୍‌ କର୍ମୀ ଭାବେ ନୁହେଁ। ଏହି ପତ୍ରକୁ ପୁଲିସ ଡାଏରିରେ ସାମିଲ କରିବାକୁ ସେ କହିଥିଲେ। ରଥ ପତ୍ରରେ ଉଲ୍ଲେଖ କରିଥିଲେ- ‘ଯଦି ମୋ ସହିତ କିଛି ଅଘଟଣ ଘଟିଯାଏ, ତା’ହେଲେ କାହାକୁ ଡାଏଲ କରିବେ ତାହା ଆପଣ ଜାଣି ରଖିବା ଆବଶ୍ୟକ।’ ଏହି ପତ୍ର ଜାରି ହେବାପରେ ଡିଜିପିଙ୍କ ସହ ତାଙ୍କର ତିକ୍ତତା ଚରମ ସୀମାରେ ପହଞ୍ଚିଥିବା ଚର୍ଚ୍ଚା ହୋଇଥିଲା।

ସମ୍ବନ୍ଧିତ ଖବର