ଧର୍ମଶାଳା: କୁହାଯାଏ ମୃତ୍ୟୁ କେତେବେଳେ ଆସିଯିବ ତାହାର କୌଣସି ସମୟ ନଥାଏ | ଆଜିକାଲି ଅଧିକାଂଶ ଲୋକଙ୍କର ହୃଦଘାତରେ ଜୀବନ ଚାଲି ଯାଉଥିବା ବେଳେ ଆଜି ଜଣେ ଆଇପିଏସ୍ ଅଫିସରଙ୍କ ମୃତ୍ୟୁ ହୋଇଯାଇଛି | ବଡ କଥା ହେଲା ଆଇପିଏସ୍ ଅଧିକାରୀ ଜଣକ ଡ୍ୟୁଟିରେ ଥିବାବେଳେ ତାଙ୍କର ଜୀବନ ଚାଲିଯାଇଛି | ମିଳିଥିବା ସୂଚନା ମୁତାବକ ହିମାଚଳ ପ୍ରଦେଶ କ୍ୟାଡରର ଆଇପିଏସ୍ ଅଧିକାରୀ ସାଜୁ ରାମ ରାଣା ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ଧର୍ମଶାଳା ରାଲିରେ ଡ୍ୟୁଟି କରୁଥିବା ବେଳେ ତାଙ୍କର ଦେହାନ୍ତ ହୋଇଯାଇଛି | ଆଜି ଧର୍ମଶାଳାରେ ମୁଖ୍ୟମନ୍ତ୍ରୀଙ୍କ କୃତଜ୍ଞତା ସମାବେଶରେ ତାଙ୍କୁ ସୁରକ୍ଷା ବ୍ୟବସ୍ଥା ପାଇଁ ଦାୟିତ୍ୱ ଦିଆଯାଇଥିଲା | ଆଉ ଏହି ସମୟରେ ତାଙ୍କୁ ହଠାତ ହୃଦଘାତ ଆସିଥିଲା ଓ ତାଙ୍କର ମୃତ୍ୟୁ ହୋଇଯାଇଥିଲା |
ସୂଚନାନୁସାରେ ମଙ୍ଗଳବାର ଦିନ ଧର୍ମଶାଳାର ଜୋରାୱାର ଷ୍ଟାଡିୟମରେ କଂଗ୍ରେସ ଦଳ ଦ୍ୱାରା କୃତଜ୍ଞତା ରାଲି ଆୟୋଜନ କରାଯାଇଥିଲା। ରାଲିରେ ସୁରକ୍ଷା ବ୍ୟବସ୍ଥା ନିର୍ବାହ କରିବାକୁ ଆଇପିଏସ୍ ଅଧିକାରୀ ସାଜୁ ରାମ ରାଣାଙ୍କୁ ଦାୟିତ୍ୱ ଦିଆଯାଇଥିଲା | ତେବେ ଅପରାହ୍ନରେ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା। ତାଙ୍କ ଛାତିରେ ଯନ୍ତ୍ରଣା ହେଉଥିଲା ଏବଂ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ |
ଏହା ପରେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ଟାଣ୍ଡା ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ସୁଖୁ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏହାପୂର୍ବରୁ ସେ କିନଉର ଓ ବିଲାସପୁର ଜିଲ୍ଲାର ଏସପି ଥିଲେ। ଏବେ ସେ ହମିରପୁରର ଜଙ୍ଗଲବାରି ପୁଲିସ ବାଟାଲିୟନରେ କମାଣ୍ଡାଣ୍ଟ ଭାବେ ନିଯୁକ୍ତ ଥିଲେ | ଡ୍ରଗ୍ ମାଫିଆଙ୍କ ବିରୋଧରେ ସେ ଏକ ସ୍ୱତନ୍ତ୍ର ଅଭିଯାନ ମଧ୍ୟ କରିଥିଲେ, ଯେଉଁଥିରେ ତାଙ୍କୁ ବହୁତ ସଫଳତା ମିଳିଥିଲା | ଏହା ବ୍ୟତୀତ ସେ ମହିଳାଙ୍କ ପ୍ରତି ବଢୁଥିବା ଅପରାଧକୁ ହ୍ରାସ କରିବାରେ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ୨୪ଟି ପ୍ରଶଂସା ପତ୍ର, ଦୁଇଥର ସ୍ୱତନ୍ତ୍ର ଡ୍ୟୁଟି ପଦକ ବ୍ୟତୀତ ରାଷ୍ଟ୍ରପତିଙ୍କ ପୁଲିସ୍ ପଦକ ମଧ୍ୟ ମିଳିଥିଲା |