ନୂଆଦିଲ୍ଲୀ:  ୟୁପିଏସ୍‌ସି ପରୀକ୍ଷା ଭାରତର ସବୁଠାରୁ କଠିନ ପରୀକ୍ଷା ଭାବେ ଜଣାଶୁଣା। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ଛାତ୍ରଛାତ୍ରୀଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ। ଏଥମଧ୍ୟରୁ ଏମିତି ବି କିଛି ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ପ୍ରଥମ ପ୍ରୟାସରେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସଫଳତା ହାସଲ କରିଛନ୍ତି।

Advertisment

ଏହି କ୍ରମରେ ଦେଖିବାକୁ ଗଲେ  ଆଇପିଏସ୍‌ ସିମାଲା ପ୍ରସାଦ କୌଣସି କୋଚିଂ ନ ନେଇ ପ୍ରଥମ ପ୍ରୟାସରେ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।  ସିମାଲା ପ୍ରସାଦ ୨୦୧୦ ବ୍ୟାଚ ଆଇପିଏସ ଅଧିକାରୀ ଏବଂ ବର୍ତ୍ତମାନ ତାଙ୍କୁ ମଧ୍ୟପ୍ରଦେଶରେ ପୋଷ୍ଟିଂ କରାଯାଇଛି। ସିମାଲା ପ୍ରାୟତଃ ନିଜ କାମ ସହିତ ଗ୍ଲାମରକୁ ନେଇ ଚର୍ଚ୍ଚାରେ ଥାଆନ୍ତି।

ସିମାଲା ଅକ୍ଟୋବର ୧୯୮୦ରେ ଭୋପାଳରେ ଜନ୍ମଗ୍ରହଣ କରିଥିଲେ। ସେ ସେଣ୍ଟ ଜୋସେଫ ସ୍କୁଲରେ ଅଧ୍ୟୟନ କରି ବି.କମ ଓ ପରେ  ସମାଜବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ସେ ପାଠପଢ଼ାରେ ସ୍ବର୍ଣ୍ଣପଦକ ମଧ୍ୟ ହାସଲ କରିଛନ୍ତି।

ଏହାପରେ ସିମାଲା  ମଧ୍ୟପ୍ରଦେଶ ଜନସେବା ଆୟୋଗର ଏମ୍‌ପି ପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ତେଣୁ ତାଙ୍କୁ ଡିଏସପି ପଦରେ ନିଯୁକ୍ତ କରାଯାଇଥିଲା। ଏହି ସମୟରେ ସେ ଡିୟୁଟି ସହିତ  ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଆଉ  ପ୍ରଥମ ପ୍ରୟାସରେ ସିମାଲା ସଫଳତା ହାସଲ କରିଥିଲେ। ତେବେ ଏହି ସଫଳତା ପାଇବା ପାଇଁ ସିମାଲା ଖୁବ ପରିଶ୍ରମ କରିଛନ୍ତି ଅନେକ କଷ୍ଟ ସହିଛନ୍ତି।

ସିମାଲା ୨୦୧୭ରେ ରିଲିଜ ହୋଇଥିବା ଆଲିଫ ଏବଂ ୨୦୧୯ରେ ମୁକ୍ତିଲାଭ କରିଥିବା ନାକାଶ ଭଳି ବଲିଉଡ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ସେ ଆଲିଫ ଚଳଚ୍ଚିତ୍ରରେ ଶ୍ୟାମି ଏବଂ ନାକାଶରେ ଜଣେ ସାମ୍ବାଦିକ ଭୂମିକାରେ ଅଭିନୟ କରିଥିଲେ।