ଜନଆନ୍ଦୋଳନ ପରେ ଇରାନ ସରକାରଙ୍କ ବୁଦ୍ଧି ଉଦୟ : ଉଠିଲା ଧାର୍ମିକ ପୁଲିସ ବ୍ୟବସ୍ଥା

ତେହେରାନ : ଆନ୍ଦୋଳନର ପ୍ରାୟ ଅଢେଇ ମାସ ପରେ ଇରାନ ସରକାରଙ୍କ ବୁଦ୍ଧି ଉଦୟ ହୋଇଛି । ଇରାନରେ ଧାର୍ମିକ ବ୍ୟାପାର ପୁଲିସ  (ମୋରାଲିଟି ପୁଲିସ) ବ୍ୟବସ୍ଥାକୁ ଉଠାଇ ଦେଇଛନ୍ତି ସେଠାକାର ସରକାର । ଏହି ଧାର୍ମିକ ପୁଲିସ ମାଡ଼ରେ ହିଁ ମାସା ଅମିନି ନାମକ ୨୨ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ହୋଇଥିଲା ।

ଇରାନର ଆଟର୍ଣ୍ଣି ଜେନେରାଲ ମହମ୍ମଦ ଜାଫର ମଣ୍ଟାଜେରି କହିଛନ୍ତି ଯେ, ଇରାନର ନ୍ୟାୟପାଳିକା ସହ ଧାର୍ମିକ ପୁଲିସର କୌଣସି ସଂପର୍କ ନାହିଁ । ଏଣୁ ତାହାକୁ ପ୍ରତ୍ୟାହାର କରିନିଆଯାଇଛି । ଏକ ଧାର୍ମିକ ସମାବେଶରେ ସେ ଏ ସଂପର୍କରେ ଘୋଷଣା କରିଛନ୍ତି ।

ହିଜାବ ବିରୋଧରେ ଆନ୍ଦୋଳନ କରୁଥିବା ଲୋକମାନଙ୍କର ଏକ ବଡ଼ ଦାବି ଥିଲା ଏହି ଧାର୍ମିକ ପୁଲିସ ବାହିନୀକୁ ବନ୍ଦ କରିବା ।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବରରେ ମାସା ଅମିନିଙ୍କ ମୃତ୍ୟୁପରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ବି ଜାରି ରହିଛି । ଏହି ଆନ୍ଦୋଳନରେ ଏପର୍ଯ୍ୟନ୍ତ ୪୮୮ରୁ ଅଧିକ  ଲୋକ ପ୍ରାଣ ହରାଇସାରିଲେଣି ବୋଲି ଇରାନୀୟ ମାନବାଧିକାର ସଂସ୍ଥା କହିଛି । ମୃତକଙ୍କ ମଧ୍ୟରେ ୬୦ ଜଣ ଶିଶୁ ଓ ୨୯ ଜଣ ମହିଳା ରହିଛନ୍ତି । ମୃତକଙ୍କ ମଧ୍ୟରେ କିଛି ପୁଲିସ ଓ ରିଭୋଲ୍ୟୁସନାରୀ ଗାର୍ଡ ବି ଅଛନ୍ତି ।

ଏହି ଆନ୍ଦୋଳନକୁ  ବନ୍ଦ କରିବାକୁ ଇରାନ ସରକାର କଠୋର ଅଭିମୁଖ୍ୟ ଗ୍ରହଣ କରିଥିଲେ ବି ସବୁ ଉଦ୍ୟମ ବିଫଳ ହୋଇଛି । ଏପର୍ଯ୍ୟନ୍ତ ଇରାନ ସରକାର ୫ ଜଣ ଆନ୍ଦୋଳନକାରୀଙ୍କୁ ମୃତ୍ୟୁଦଣ୍ଡ ଦେଇସାରିଲେଣି ।

 

 

ସମ୍ବନ୍ଧିତ ଖବର