ଇରାନ୍‌-ଆମେରିକା ଉତ୍ତେଜନା ବଢ଼ୁଛି, ମଧ୍ୟପ୍ରାଚ୍ୟରେ ସେନା ମୁତୟନ ବଢ଼ାଇବ ଆମେରିକା

‘ଯୁଦ୍ଧ ଏଡ଼ାଇବା ପାଇଁ ଆକ୍ରମଣ ହୋଇଥିଲା’

ୱାସିଂଟନ/ତେହରାନ: ଇରାନ୍‌ର କମାଣ୍ଡର ଜେନେରାଲ କ୍ବାସିମ ସୁଲେମାନୀଙ୍କ ମୃତ୍ୟୁ ପରେ ଏବେ ସମଗ୍ର ମଧ୍ୟପ୍ରାଚ୍ୟ ଅସ୍ଥିରତା ଆଡ଼କୁ ମୁହାଁଇଛି। ଇରାନ୍‌-ଆମେରିକା ମଧ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବାରୁ ଏହା କେତେବେଳେ ଯୁଦ୍ଧର ରୂପ ନେବ କହିହେବ ନାହିଁ। ଇରାନ୍‌ ପଟୁ ଆମେରିକା ଏବେ ବଡ଼ ବିପଦ ଆଶଙ୍କା କରି ଉପସାଗରୀୟ ରାଷ୍ଟ୍ରଗୁଡ଼ିକରେ ନିଜର ସେନା ମୁତୟନ ବଢ଼ାଇବାକୁ ପଦକ୍ଷେପ ନେଇଛି। ଅତିରିକ୍ତ ୩୫୦୦ ‌ଆମେରିକୀୟ ସୈନିକ ତୁରନ୍ତ ମୁତୟନ ପାଇଁ ପ୍ରସ୍ତୁତି ଚାଲିଛି। ଉପସାଗରୀୟ ରାଷ୍ଟ୍ରଗୁଡ଼ିକରେ ଆମେରିକା ନିଜର ଶକ୍ତି ବୃଦ୍ଧି କରିବା ପାଇଁ ଏବେ କେତେକ ସ୍ବତନ୍ତ୍ର ରଣନୀତି ଆପଣାଇଛି। ପ୍ରଥମ ପର୍ଯ୍ୟାୟରେ କୁଏତରେ ପ୍ରାୟ ୧ ହଜାରରୁ ଅଧିକ ଆମେରିକୀୟ ସୈନ୍ୟ ପହଞ୍ଚିଥିବା ଜଣାପଡ଼ିଛି। ଏହା ପୂର୍ବରୁ ବିଗତ ୨ ମାସ ମଧ୍ୟରେ ଆମେରିକା ମଧ୍ୟପ୍ରାଚ୍ୟକୁ ୧୭୦୦ ସୈନିକ ପଠାଇଥିଲା। ଆମେରିକା ଆଜି ମଧ୍ୟପ୍ରାଚ୍ୟ ରଣନୀତି ଏବଂ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛି। ମଧ୍ୟପ୍ରାଚ୍ୟରେ ଇରାନ୍‌ର ସମର୍ଥକ ରାଷ୍ଟ୍ର ଏବଂ ସଂଗଠନଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି। ‌ୟେମେନ ଏବଂ ଲେବାନନ୍‌ରେ ଇରାନ୍‌ ସମର୍ଥିତ ସଂଗଠନଗୁଡ଼ିକ ଉପରେ ଆମେରିକା ବାୟୁସେନା ଆକ୍ରମଣ କରିପାରନ୍ତି ବୋଲି କୁହାଯାଉଛି।

‘ଯୁଦ୍ଧ ଏଡ଼ାଇବା ପାଇଁ ଆକ୍ରମଣ ହୋଇଥିଲା’
ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଆଜି କହିଛନ୍ତି ଯେ ଇରାନ୍‌ର କମାଣ୍ଡର ଜେନେରାଲ କ୍ବାସିମ ସୁଲେମାନୀ ଆମେରିକାର କୂଟନୀତିଜ୍ଞ ଏବଂ ସାମରିକ ପ୍ରତିଷ୍ଠାନ ଉପରେ ବଡ଼ ଆକ୍ରମଣ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସବୁ ପ୍ରସ୍ତୁତି କରିଥିଲେ ଏବଂ ଏହା ପରବର୍ତ୍ତୀ ସମୟରେ ଏହା ଏକ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଥାନ୍ତା। ଏହାକୁ ଏଡ଼ାଇବା ପାଇଁ ହିଁ ସୁଲେମାନୀଙ୍କୁ ନିପାତ କରିବା ପାଇଁ ଆଦେଶ ଦିଆଯାଇଥିଲା ବୋଲି ଟ୍ରମ୍ପ୍‌ କହିଛନ୍ତି। ଆମେରିକାର ଆକ୍ରମଣ ଶାନ୍ତି ରକ୍ଷା ଦିଗରେ ଏକ ପଦକ୍ଷେପ ଥିଲା ଏବଂ ଇରାନ୍‌ ଏହାକୁ ଭଲ ଭାବେ ବୁଝି ପଦକ୍ଷେପ ନେବା ଦରକାର ବୋଲି ଟ୍ରମ୍ପ୍‌ କହିଛନ୍ତି। ଯୁଦ୍ଧ ଆରମ୍ଭ କରିବାକୁ ଆମେ ପଦକ୍ଷେପ ନେଇନାହୁଁ କିମ୍ବା ଆମେ ଇରାନ୍‌ ସହ ଯୁଦ୍ଧ ଚାହୁନାହୁ ବୋଲି ଟ୍ରମ୍ପ୍‌ ସ୍ପଷ୍ଟ କରିଛନ୍ତି। ତେବେ ଇରାନ୍‌ ପଟୁ ଯେ କୌଣସି ଆକ୍ରମଣର ଜବାବ ଦେବାକୁ ଆମେରିକା ତୟାର ବୋଲି ଟ୍ରମ୍ପ୍‌ କହିଛନ୍ତି।

ସମ୍ବନ୍ଧିତ ଖବର