ତେହେରାନ: ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନକୁ ନେଇ ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଆଶଙ୍କା ଅଧିକ ବଢ଼ିଯାଇଛି। ଆମେରିକା ଇରାନ ଅଭିମୁଖେ ବହୁତ ବଡ଼ ‌ସୈନ୍ୟ ଦଳ ପଠାଇଛି ବୋଲି ଟ୍ରମ୍ପ ଗୁରୁବାର କହିଥିଲେ। ଟ୍ରମ୍ପଙ୍କ ବୟାନ ଉପରେ ଇରାନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି।

Advertisment

ଇରାନ ଅଭିମୁଖେ ଏକ ବହୁତ ବଡ଼ ସୈନ୍ୟଦଳ ଅଗ୍ରସର ହେଉଛି।

ଇରାନର ରିଭୋଲ୍ୟୁସନାରୀ ଗାର୍ଡସ୍‌ର କମାଣ୍ଡର ମଧ୍ୟ ଆମେରିକାକୁ ଚେତାବନୀ ଦେଇ କହିଛନ୍ତି ଯେ, ସେମାନେ ମଧ୍ୟ ଟ୍ରିଗର୍‌ ଉପରେ ଆଙ୍ଗୁଠି ରଖି ଅପେକ୍ଷା କରିଛନ୍ତି। ଡାଭୋସଠାରେ ବିଶ୍ବ ଅର୍ଥନୈତିକ ଫୋରମ୍‌ରୁ ଫେରିବା ସମୟରେ ଟ୍ରମ୍ପ ଏୟାରଫୋର୍ସ ୱାନରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ କଥାବାର୍ତ୍ତା କରି କହିଥିଲେ, "ଇରାନ ଅଭିମୁଖେ ଏକ ବହୁତ ବଡ଼ ସୈନ୍ୟଦଳ ଅଗ୍ରସର ହେଉଛି। ଆମେରିକା ସତର୍କତାମୂଳକ ପଦକ୍ଷେପ ଭାବେ ଇରାନ ଅଭିମୁଖେ ଏହି ବିଶାଳ ସୈନ୍ୟଦଳ ପଠାଇଛି। ମୁଁ ଚାହୁନି ସେଠାରେ କିଛି ହେଉ, କିନ୍ତୁ ଆମେ ତାଙ୍କ ଉପରେ ଖୁବ୍‌ ନିକଟରୁ ନଜର ରଖିଛୁ।"

୧୨ ଦିନିଆ ଯୁଦ୍ଧରୁ ସେମାନଙ୍କୁ ଶିକ୍ଷା ନେବା ଉଚିତ

ଟ୍ରମ୍ପଙ୍କ ଏହି ବୟାନ ପରେ ଇରାନର ଗାର୍ଡସ କମାଣ୍ଡର ଜେନେରାଲ ମହମ୍ମଦ ପାକପୋର ଇସ୍ରାଏଲ ଓ ଆମେରିକାକୁ ଚେତାବନୀ ଦେଇ କହିଛନ୍ତି ଯେ, ଐତିହାସିକ ଅନୁଭବ ଓ ଗତବର୍ଷ ହୋଇଥିବା ୧୨ ଦିନିଆ ଯୁଦ୍ଧରୁ ସେମାନଙ୍କୁ ଶିକ୍ଷା ନେବା ଉଚିତ, ଯଦ୍ବାରା ସେମାନେ କୌଣସି ଭ୍ରମରେ ରହିବେ ନାହିଁ। ଏଥର ସେମାନଙ୍କୁ ଆହୁରି ଅଧିକ ଭୟଙ୍କର ପରିଣାମର ଶିକାର ହେବାକୁ ପଡ଼ିବ। ଏଥର ସେମାନେ ପୂର୍ବାପେକ୍ଷା ଅଧିକ ପ୍ରସ୍ତୁତ ଥିବା କହିଛନ୍ତି। ଇରାନ ସଂଯୁକ୍ତ କମାଣ୍ଡ ମୁଖ୍ୟାଳୟର ନେତୃତ୍ବ ନେଉଥିବା ଜେନେରାଲ ଅଲି ଅବଦୁଲ୍ଲାହି ଅଲିବାଦୀ ଚେତାବନୀ ଦେଇ କହିଛନ୍ତି, "ଯଦି ଆମେରିକା ଇରାନ ଉପରେ ଆକ୍ରମଣ କରେ, ତେବେ ଆମେରିକାର ସମସ୍ତ ଠିକଣା ଇରାନର ସଶସ୍ତ୍ରବାହିନୀ ପାଇଁ ବୈଧ ଲକ୍ଷ୍ୟ ହେବ।"

ଆମେରିକା ନିଜର ଶକ୍ତି ପ୍ରଦର୍ଶନ କରି ମଧ୍ୟପ୍ରାଚ୍ୟକୁ ବହୁ ସଂଖ୍ୟାରେ ସାମରିକ ସରଞ୍ଜାମ, ବିମାନବାହୀ ଜାହାଜ ଏବଂ ଯୁଦ୍ଧବିମାନ ପଠାଇବା ପ୍ରକ୍ରିୟା ଜାରି ରଖିଥିବାରୁ ଇରାନ ଉପରେ ଯେ କୌଣସି ସମୟରେ ଅତର୍କିତ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ଆମେରିକା ପ୍ରତିରକ୍ଷା ବିଭାଗ (ପେଣ୍ଟାଗନ୍) ସୂଚନା ଦେଇଛି ଯେ, ୟୁଏସ୍‌ଏସ୍‌ ଆବ୍ରାହମ୍ ଲିଙ୍କନ୍ କ୍ୟାରିୟର ଷ୍ଟ୍ରାଇକ୍ ଗ୍ରୁପ୍‌କୁ ପ୍ରଶାନ୍ତ ମହାସାଗରରୁ ହଟାଇ ମଧ୍ୟପ୍ରାଚ୍ୟ ଅଭିମୁଖେ ପଠାଯାଇଛି। ଏହା ସହିତ ଏକାଧିକ ଏଫ୍‌-୧୫ଇ ଯୁଦ୍ଧବିମାନ ବ୍ରିଟେନରୁ ଜୋର୍ଡାନକୁ ପଠାଯାଇଛି। ଆଗାମୀ ଦିନରେ ଏଫ୍‌ ୧୬ ଏବଂ ଏ-୧୦ ଆଟାକ୍ ଏୟାରକ୍ରାଫ୍ଟ ମଧ୍ୟ ଏହି ଅଞ୍ଚଳରେ ମୁତୟନ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ତେହେରାନ ଉପରେ ଆମେରିକା ଅତି ଅପ୍ରତ୍ୟାଶିତ ଢଙ୍ଗରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ଆଶଙ୍କା କରି ଇସ୍ରାଏଲ ମଧ୍ୟ ଯୁଦ୍ଧ ପ୍ରସ୍ତୁତି ଚଳାଇଛି।

ଆହୁରି ପଢ଼ନ୍ତୁ: Goods Train Derailed ମାଲ ଅନଲୋଡ୍ ବେଳେ ଅଘଟଣ, ରୂପସା ଷ୍ଟେସନ ନିକଟରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ