କରୋନା ଆତଙ୍କ: ଇରାନ୍‌, ଇଟାଲିରେ ହାହାକାର

ଇଟାଲିରେ ୧୯୭, ଇରାନ୍‌ରେ ୧୪୫ ମୃତ, କାଲିଫର୍ଣ୍ଣିଆ କ୍ରୁଜ୍‌ରେ ୨୧ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଯୋଗୁଁ ବିଶ୍ବବ୍ୟାପୀ ମୃତ୍ୟୁସଂଖ୍ୟା ଏବେ ୩,୫୦୦ ଟପିଛି। କେବଳ ଚୀନ୍‌ରେ କରୋନା ଯୋଗୁଁ ମୃତ୍ୟୁସଂଖ୍ୟା ୩,୦୭୦ ରହିଛି। ମୋଟ ୧୦୨,୫୫୯ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଚୀନ୍ ପରେ ଇଟାଲି ଏବଂ ଇରାନ୍‌ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ପରିସ୍ଥିତି ଭୟାନକ ରୂପ ନେଉଥିବାରୁ ଚାରିଆଡ଼େ ହାହାକାର ସୃଷ୍ଟି ହୋଇଛି। ସହର ସବୁ ବନ୍ଦ ହୋଇଯିବା ଆଶଙ୍କା କରି ଲୋକେ ଭୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି କରୁଛନ୍ତି। ଇଟାଲିରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୯୭କୁ ବୃଦ୍ଧି ପାଇଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୪,୬୩୬ ରହିଛି। ଅନ୍ୟପକ୍ଷେ ଇରାନ୍‌, ଦକ୍ଷିଣ କୋରିଆ, ଜାପାନ୍‌, ଜର୍ମାନୀ ଏବଂ ଆମେରିକାରେ ବି ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଇରାନ୍‌ରେ ମୃତ୍ୟୁ ସଂଖ୍ୟା ୧୪୫ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୭୪୭ ରହିଛି। ଜଣେ ସାଂସଦଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଉଲ୍ଲେଖଯୋଗ୍ୟ, ଇରାନ୍‌ରେ ସମୁଦାୟ ୨୩ ଜଣ ସାଂସଦ ଭାଇରସ୍‌ ଆକ୍ରାନ୍ତ ଥିଲେ। ସେହିପରି ଦକ୍ଷିଣ କୋରିଆରେ କରୋନା ମୃତ୍ୟୁସଂଖ୍ୟା ୪୮ ଥିବାବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୭,୦୦୦ ଅତିକ୍ରମ କରିଛି। ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୬୯୨ ରହିଛି। ଆମେରିକାରେ କ‌ରୋନା ଯୋଗୁଁ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩୬ରେ ପହଞ୍ଚିଛି। ଫ୍ଲୋରିଡ଼ାରେ ୨ ଜଣଙ୍କ ମୃତ୍ୟୁ ହୋଇଛି।

ବିଶ୍ବ ଆକ୍ରାନ୍ତଙ୍କ ସଂଖ୍ୟା ୧୦୨,୫୫୯, କରୋନା ମୃତ୍ୟୁସଂଖ୍ୟା ୩,୫୦୦ ଟପିଲା

ଅନ୍ୟପକ୍ଷେ କାଲିଫର୍ନିଆ ତ‌ଟରେ ଲାଗିଥିବା ଗ୍ରାଣ୍ଡ୍‌ ପ୍ରିନ୍ସେସ୍‌ କ୍ରୁଜ୍‌ରେ ୨୧ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଜାହାଜରେ ପ୍ରାୟ ୩,୫୦୦ ଜଣ ଥିବାବେଳେ ସେମାନଙ୍କ ମଧ୍ୟରୁ ୪୬ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ଯେଉଁମାନଙ୍କ ପାଇଁ କ୍ବାରେଣ୍ଟିନ୍‌ ବ୍ୟବସ୍ଥା ଆବଶ୍ୟକ ହେବ ସେମାନଙ୍କୁ କ୍ବାରେଣ୍ଟିନ୍‌ରେ ରଖା‌ଯିବ ଏବଂ ସମସ୍ତଙ୍କର ନମୁନା ପରୀକ୍ଷା କରାଯିବ ବୋଲି ଆମେରିକାର ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ କହିଛନ୍ତି। କିଛି ଦିନ ତଳେ ଜାପାନ୍‌ ତଟରେ ଲାଗିଥିବା ଡାଇମଣ୍ଡ ପ୍ରିନ୍ସେସ୍‌ କ୍ରୁଜ୍‌ରେ ୩,୭୦୦ ଜଣଙ୍କ ମଧ୍ୟରୁ ୭୦୦ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଥିଲେ। ଆମେରିକାର ନ୍ୟୁୟର୍କରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ବ୍ରିଟେନ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୩କୁ ବୃଦ୍ଧି ପାଇଥିବାରୁ ବ୍ରି‌ଟେନ୍‌ ସରକାର କରୋନା ମୁକାବିଲା ଦିଗରେ ଟିକା ବାହାର କରିବାପାଇଁ ୪୬ ମିଲିଅନ୍‌ ପାଉଣ୍ଡ୍‌ ପାଣ୍ଠି ଘୋଷଣା କରିଛନ୍ତି। ଏଦିଗରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବାପାଇଁ ବ୍ରିଟେନ୍‌ ସରକାର କହିଛନ୍ତି। ସେପଟେ ଇରାକ୍‌ରେ ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର