ଇରାନ୍‌ର ଆକ୍ରମଣ ସଂପର୍କରେ ଆଗୁଆ ଜଣାଇଥିଲୁ: ଇରାକ୍‌

ବାଗଦାଦ : ଇରାନ୍‌ ନିଜ କମାଣ୍ଡର କ୍ବାସିମ ସୁଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ବାଗଦାଦ ସ୍ଥିତ ଆମେରିକାର ବାୟୁସେନା ଘାଟିରେ ଆଜି ଭୋର୍‌ ସମୟରେ ପ୍ରାୟ ୧୫ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏଥିରେ ୮୦ ଆମେରିକୀୟ ସୈନିକ ନିହତ ହୋଇଥିବା ଇରାନ୍‌ ଦାବି କରିଥିଲେ ମଧ୍ୟ ଆମେରିକାର ଜଣେ ବି ସୈନିକ ଏଥିରେ ମୃତାହତ ହୋଇନଥିବା ରିପୋର୍ଟ ମିଳିଛି। ଆମେରିକା ଇରାନ୍‌ର ଦାବିକୁ ପ୍ରତ୍ୟାଖ୍ୟାନ କରିବା ସହ ସୈନିକମାନେ ସଂପୂର୍ଣ୍ଣ ସୁରକ୍ଷିତ ଥିବା କହିଛି। ଇରାନ୍‌ର କ୍ଷେପଣାସ୍ତ୍ର ଆକ୍ରମଣ ଯୋଜନା ସଂପର୍କରେ ଇରାକ୍‌ ଆମେରିକାକୁ ଆଗୁଆ ସୂଚନା ଦେଇଥିଲା ଏବଂ ଆମେରିକାର ସବୁ ସୈନିକ ସୁରକ୍ଷିତ ଅଛନ୍ତି ବୋଲି ଇରାକ୍‌ ପ୍ରଧାନମନ୍ତ୍ରୀ ପ୍ରବକ୍ତା କହିଛନ୍ତି। ‘ଇରାନ୍‌ କ୍ଷେପଣାସ୍ତ୍ର ଆକ୍ରମଣ କରିବା ପୂର୍ବରୁ ଆମ ପାଖରେ ଖବର ପହଞ୍ଚିଥିଲା ଏବଂ ଆମେ ଆମେରିକାକୁ ଜଣାଇ ଦେଇଥିଲୁ’ ବୋଲି ସେ କହିଛନ୍ତି। ଯେତେବେଳେ ଇରାକ୍‌ର କ୍ଷେପଣାସ୍ତ୍ର ୬୦୦ ମାଇଲ୍‌ ଦୂରରେ ଥିଲା, ସେତେବେଳେ ସୈନିକଙ୍କୁ ଚେତାବନୀ ମିଳିସାରିଥିଲା ଏବଂ ସମସ୍ତେ ନିଜ ନିଜ ବଙ୍କରରେ ଛପି ଯାଇଥିଲେ।

ଏନ୍‌ ଅଲ୍‌ ଅସଲ ଏବଂ ଏରିୱଲ ବାୟୁସେନା ଘାଟି ଏବଂ ଏହା ସଂଲଗ୍ନ ସୈନ୍ୟ ଶିବିର ଉପରେ ୧୫ଟି କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା। ଏହି ଆକ୍ରମଣରେ ଆମେରିକୀୟ ସୈନିକ ମୃତାହତ ହୋଇଥିବା ଖବରକୁ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ମଧ୍ୟ ଖଣ୍ଡନ କରିଛନ୍ତି। ଇରାକ୍‌ଠାରୁ ସୂଚନା ପାଇବା ମାତ୍ରେ ଆମେରିକା ତା’ର ଅତ୍ୟାଧୁନିକ ଡିଟେକ୍ସନ ସିଷ୍ଟମ ମାଧ୍ୟମରେ କ୍ଷେପଣାସ୍ତ୍ରଗୁଡ଼ିକର ଗତି ସଂପର୍କରେ ଜାଣିପାରିଥିଲା ଏବଂ ସେହି ଆଧାରରେ ସୈନିକଙ୍କୁ ସୁରକ୍ଷିତ ରହିବାକୁ କୁହାଯାଇଥିଲା।

ସମ୍ବନ୍ଧିତ ଖବର