କରୋନା ସଂକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମିନିଙ୍କ ପରାମର୍ଶଦାତା ମୃତ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ୩ ହଜାର ଟପିଯାଇଛି । ଏହା ସହିତ ମୋଟ କରୋନାଭାଇରସ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୮୯ ହଜାର ଟପିଯାଇଛି । ବିଶ୍ୱର ପ୍ରାୟ ୫୮ଟି ଦେଶକୁ କରୋନାଭାଇରସ ସଂକ୍ରମିତ ହୋଇଥିବା ଜଣାଯାଇଛି । ଅଧିକାଂଶ ମୃତ୍ୟୁ ଚୀନରେ ହୋଇଥିବାବେଳେ ୨ୟ ସ୍ଥାନରେ ରହିଛି ଇରାନ । ଇରାନରେ ମୃତ୍ୟୁସଂଖ୍ୟା ୬୬କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଦକ୍ଷିଣ କୋରିଆରେ କରୋନାଭାଇରସ ମୃତ୍ୟୁସଂଖ୍ୟା ୨୬କୁ ପହଞ୍ଚିଛି ।
ଇରାନ ପାଇଁ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଏହାର ଉଚ୍ଚପଦସ୍ଥ ବ୍ୟକ୍ତିମାନଙ୍କୁ ଏହି ରୋଗ ବ୍ୟାପିବା ଆରମ୍ଭ କରିଛି । ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମିନିଙ୍କ ପରାମର୍ଶଦାତା ପରିଷଦର ସଦସ୍ୟ ସୟଦ ମହମ୍ମଦ ମିରମୋହମଦି କରୋନାଭାଇରସ ସଂକ୍ରମିତ ହୋଇ ୭୧ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ଇରାନର ଆଉ କେତେକ କ୍ଷମତାଶାଳୀ ତଥା ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିମାନେ ମଧ୍ୟ ସଂକ୍ରମିତ ହୋଇଥିବା ସଂଦେହ କରାଯାଉଛି ।
ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି ଯେ ଇରାନରେ ପରିସ୍ଥିତି ଆଗକୁ ଆହୁରି ଖରାପ ହୋଇପାରେ କାରଣ ଏଠାରେ ସଂକ୍ରମିତ ବ୍ୟକ୍ତି ଓ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ଅନୁପାତ ଚୀନଠାରୁ ମଧ୍ୟ ଅଧିକ ରହିଛି । ଇରାନକୁ ସହାୟତା କରିବାକୁ ଚୀନ ଏକ ଡାକ୍ତରୀ ଦଳ ପଠାଇଛି । ତେବେ ଏକ୍ଷେତ୍ରରେ ଆମେରିକାର ସହାୟତାକୁ ଇରାନ ପ୍ରତ୍ୟାଖ୍ୟାନ କରିଦେଇଛି ।

ସମ୍ବନ୍ଧିତ ଖବର