ତେହେରାନ : ଇରାନରେ ଚାଲିଥିବା ଜନ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏହାକୁ ଦମନ କରିବାକୁ ଇରାନ ସରକାର ମଧ୍ୟ କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି । ପୁଲିସ ଗୁଳିରେ ମୃତ୍ୟୁସଂଖ୍ୟା ବଢିଚାଲିଛି । ଅନ୍ୟପକ୍ଷରେ ଶହ ଶହ ଲୋକଙ୍କୁ ଇରାନ ସରକାର ଏହି ଆନ୍ଦୋଳନରେ ସଂପୃକ୍ତି ଅଭିଯୋଗରେ ଗିରଫ କରୁଛନ୍ତି ଅଥବା ଅଟକ ରଖୁଛନ୍ତି ।
ରାଜଧାନୀ ତେହେରାନରେ ୬୦ ଦଙ୍ଗାକାରୀଙ୍କୁ ନୋଟିସ ପଠାଇଛି ପୁଲିସ । ସେହିପରି ଦକ୍ଷିଣ ଇରାନର ହୋରମଜଗନରେ ୬୬ ଜଣ ଦଙ୍ଗାକାରୀଙ୍କ ନିକଟକୁ ନୋଟିସ ପଠାଯାଇଛି । ୧୩ ଜଣଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରାଯାଇଛି ।
ଏହି ଲୋକମାନେ ବେଆଇନ ଭାବେ ଏକତ୍ରିତ ହେବା ସହ ଦେଶଦ୍ରୋହୀ କାମ କରିବା, ସରକାରୀ ଓ ଘରୋଇ ସଂପତ୍ତିକୁ ନଷ୍ଟ କରିଛନ୍ତି ବୋଲି ଇରାନ ସରକାର କହିଛନ୍ତି ।
ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ମାସ ୨ୟ ସପ୍ତାହରେ ଇରାନର ରାଜଧାନୀ ତେହେରାନ ବୁଲିବାକୁ ଆସିଥିବା ମାସା ଅମିନି ନାମକ ଜଣେ ୨୨ ବର୍ଷୀୟା ଯୁବତୀ ଠିକଭାବେ ହିଜାବ ପିନ୍ଧିନଥିବାରୁ ମୋରାଲ ପୁଲିସ ( ଧାର୍ମିକ ବ୍ୟାପାର ସଂପର୍କିତ ପୁଲିସ) ଗିରଫ କରିଥିଲା । ହାଜତରେ ତାଙ୍କୁ ପ୍ରବଳ ମାଡ଼ ମରାଯିବା ପରେ ସେପ୍ଟେମ୍ବର ୧୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ମୃତ୍ୟୁପାଇଁ ଅମିନିଙ୍କ ପରିବାର ପୁଲିସକୁ ଦାୟୀ କରୁଛନ୍ତି । ଏହା ପରେ ସମଗ୍ର ଇରାନରେ ଆନ୍ଦୋଳନର ବହ୍ନି ତେଜିବାରେ ଲାଗିଛି ।