ଇରାନରେ ତେଜୁଛି ମହିଳା ଆନ୍ଦୋଳନ, ଏପର୍ଯ୍ୟନ୍ତ ୧୧ ମୃତ, ଇଣ୍ଟରନେଟ୍ ବନ୍ଦ

ତେହେରାନ : ପୁଲିସ ହାଜତରେ ଜଣେ ଯୁବତୀ ମୃତ୍ୟୁବରଣ କରିବା ଘଟଣାକୁ ନେଇ ସମଗ୍ର ଇରାନରେ ଆନ୍ଦୋଳନ ତେଜିବାରେ ଲାଗିଛି । ପୁଲିସର ଦମନ ସତ୍ତ୍ବେ ଅଧିକରୁ ଅଧିକ ମହିଳା ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାରେ ଲାଗିଛନ୍ତି । ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ ଏହି ଆନ୍ଦୋଳନ ଯୋଗୁଁ ଏପର୍ଯ୍ୟନ୍ତ ୧୧ ଜଣ ମୃତ୍ୟୁବରଣ କରିସାରିଲେଣି । ସମଗ୍ର ଇରାନରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି ।

ଗତ ସପ୍ତାହରେ ଇରାନର ରାଜଧାନୀ ତେହେରାନ ବୁଲିବାକୁ ଆସିଥିବା ମାସା ଅମିନି ନାମକ ଜଣେ ୨୨ ବର୍ଷୀୟା ଯୁବତୀ ଠିକଭାବେ ହିଜାବ ପିନ୍ଧିନଥିବାରୁ ମୋରାଲ ପୁଲିସ ( ସଂସ୍କାର ପୁଲିସ) ଗିରଫ କରିଥିଲା । ହାଜତରେ ତାଙ୍କୁ ପ୍ରବଳ ମାଡ଼ ମରାଯିବା ପରେ ଗତ ୧୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ଇରାନ ସରକାର କହୁଛନ୍ତି ଯେ ସଂପୃକ୍ତ ଯୁବତୀର ହୃଦରୋଗ ଥିଲା ଓ ସେ ହୃଦଘାତରେ ପ୍ରାଣ ହରାଇଛି । କିନ୍ତୁ ଅମିନିଙ୍କ ପରିବାର ଲୋକେ ଏହାକୁ ଖଣ୍ଡନ କରିଛନ୍ତି ।

ଏହା ପରେ ସମଗ୍ର ଇରାନରେ ଆନ୍ଦୋଳନ ତେଜିବାରେ ଲାଗିଛି । ଗତ ଏକ ସପ୍ତାହ ହେଲା ଇରାନର ମହିଳାମାନେ ରାସ୍ତାକୁ ଓହ୍ଲାଇ ନିଜ ନିଜର ହିଜାବ ଖୋଲିବା ସହ ରାସ୍ତାରେ ନିଆଁ ଲଗାଇ ସାଂକେତିକ ବିରୋଧ ପ୍ରଦର୍ଶନ କରୁଛନ୍ତି । ସେମାନେ ସମାନତାର ଅଧିକାର ଦାବି କରୁଛନ୍ତି । ପୁଲିସ ଏହି ଆନ୍ଦୋଳନକୁ ଯେତିକି ଦମନ କରିବାକୁ ଉଦ୍ୟମ କରୁଛି ସ୍ଥିତି ସେତିକି ବିଗିଡ଼ିଚାଲିଛି ।

 

ସମ୍ବନ୍ଧିତ ଖବର