୮ ଇସଲାମିକ ଷ୍ଟେଟ୍‌ସ ଆତଙ୍କବାଦୀଙ୍କୁ ଫାଶୀରେ ଝୁଲାଇଲା ଇରାନ

ତେହେରାନ: ଇରାନର ସଂସଦ ଓ ଆୟାତୋଲ୍ଲା ରୁହୋଲ୍ଲାହା ଖୋମିନୀଙ୍କ ପୀଠକୁ ଆକ୍ରମଣ କରିଥିବା ୮ ଜଣ ଇସଲାମିକ ଷ୍ଟେଟ୍‌ସ ଆତଙ୍କବାଦୀଙ୍କୁ ମୃତ୍ୟୁ ଦଣ୍ଡ ଦେଇଛି ଇରାନ। ଏହି ଆତଙ୍କବାଦୀମାନଙ୍କୁ କେଉଁଠାରେ ମୃତ୍ୟୁ ଦଣ୍ଡ ଦିଆଯାଇଛି ତାହା ସ୍ପଷ୍ଟ କରାଯାଇ ନ ଥିଲେ ବି ୮ ଜଣଙ୍କୁ ଏକକାଳୀନ ଫାଶୀରେ ଝୁଲାଇ ଦିଆଯାଇଥିବା ଇରାନର ବିଚାର ବିଭାଗୀୟ ନ୍ୟୁଜ ଏଜେନ୍ସି ମିଜାନ ନ୍ୟୁଜ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଗତ ଶନିବାର ଦିନ ଏହି ସମସ୍ତ ୮ ଜଣଙ୍କୁ ଫାଶୀ ଦିଆଯାଇଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ଡଜନେ ସରିକି ଆତଙ୍କବାଦୀଙ୍କ ଉପରେ ମୋକଦ୍ଦମା ଚାଲିଛି।

ସୂଚନାଯୋଗ୍ୟ ଯେ ୨୦୧୭ ମସିହା ଜୁନ ୭ ତାରିଖ ଦିନ ସୁନ୍ନି ମୌଳବାଦୀ ସଙ୍ଗଠନ ଆଇଏସଆଇଏସ ଆତଙ୍କବାଦୀମାନେ ସୁନ୍ନି ସମ୍ପ୍ରଦାୟ ବହୁଳ ଇରାନର ସଂସଦ ଓ ଆୟାତୋଲ୍ଲା ରୁହୋଲ୍ଲାହା ଖୋମିନୀଙ୍କ ପୀଠ ଉପରେ ଆକ୍ରମଣ କରିଥିଲେ। ଏଥିରେ ୧୮ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ୫୦ରୁ ଊର୍ଧ୍ୱ ଆହତ ହୋଇଥିିଲେ। ଏହି ଘଟଣାର ଏକ ବର୍ଷ ଭିତରେ ଇରାନ ପୁଲିସ ୮ ଜଣଙ୍କୁ ଗିରଫ କରିଥିଲା। ଇରାନରେ ଫାଶୀ ଦ୍ୱାରା ମୃତ୍ୟୁ ଦଣ୍ଡ ଦେବାର ବ୍ୟବସ୍ଥା ଥିବାରୁ ସେମାନଙ୍କୁ ଫାଶୀ ଦିଆଯାଇଥିବା କୁହାଯାଇଛି।

ଏହି ଘଟଣା ପୂର୍ବରୁ ୨୦୦୭ ମସିହାରେ ଏକ ଦୁଷ୍କର୍ମ ଘଟଣାରେ ଇରାନରେ ୭ ଜଣଙ୍କୁ ଏକକାଳୀନ ଫାଶୀ ଦିଆଯାଇଥିିଲା। ତେବେ ଗତ ଶନିବାର ଯେଉଁ ଆଇଏସଆଇଏସ ଆତଙ୍କବାଦୀଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଛି ସେମାନେ ହେଲେ ସୋଲେମାନ ମୋଜଫାରି, ଇସମାଇଲ ସୁଫି, ରହମାନ ବେହେରୌଜ, ମଜିଦ ମାର୍ତାଜାଇ,ସିରୋସ ଅଜିଜ, ଆୟୁବ ଇସମାଇଲ, ଖସ୍ରୋ ରମାଜନୀ ଓ ଉସମାନ ବେହେରୌଜ ବୋଲି ନ୍ୟୁଜ ଏଜେନ୍ସି ମିଜାନ ନ୍ୟୁଜ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର