ମଧ୍ୟପ୍ରାଚ୍ୟରେ ଉତ୍ତେଜନା କମାଇବାରେ ଭାରତ ଏକ ଜରୁରୀ ଭୂମିକା ଗ୍ରହଣ କରିପାରିବ : ଇରାନ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ : ଆମେରିକା ସହ ବିବାଦକୁ ନେଇ ସାରା ବିଶ୍ୱର ନଜର ଇରାନ ଉପରେ ଥିବାବେଳେ ଇରାନର ବୈଦେଶିକ ମନ୍ତ୍ରୀ ଜାଭେଦ ଜାରିଫ ବୁଧବାରଦିନ ତିନିଦିନିଆ ଭାରତଗସ୍ତରେ ଆସି ନୂଆଦିଲ୍ଲୀଠାରେ ପହଞ୍ଚିଛନ୍ତି । ନୂଆଦିଲ୍ଲୀରେ ପହଞ୍ଚି ସେ ଗଣମାଧ୍ୟମକୁ କହିଛନ୍ତି ଯେ ଏ ଅଞ୍ଚଳରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ମଧ୍ୟପ୍ରାଚ୍ୟରେ ଉତ୍ତେଜନା କମାଇବାରେ ଭାରତ ଏକ ଜରୁରୀ ଭୂମିକା ଗ୍ରହଣ କରିପାରିବ ।
ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏକ ବାର୍ଷିକ ଅନ୍ତର୍ଜାତୀୟ ସମ୍ମିଳନୀ ରାଇସିନା ଡାଇଲଗ୍‌ ରେ ଯୋଗ ଦେବାକୁ ସେ ଭାରତ ଆସିଛନ୍ତି । ବୁଧବାରଦିନ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ସେ ରାଇସିନା ଡାଇଲଗ ସମ୍ମିଳନୀରେ ଉଦବୋଧନ ଦେବେ । ଗୁରୁବାରଦିନ ସେ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଭେଟିବେ । ସେହିଦିନ ଅପରାହ୍ଣରେ ସେ ମୁମ୍ବାଇ ଯାଇ ଶିଳ୍ପପତିମାନଙ୍କୁ ଭେଟିବେ ।
ଇରାନ-ଆମେରିକା ଉତ୍ତେଜନା ମଧ୍ୟରେ ଇରାନୀ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି । କାରଣ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ହ୍ରାସ ଦିଗରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କୁହାଯାଉଛି । ଆହୁରିମଧ୍ୟ ଆସନ୍ତା ମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସୁଥିବାରୁ ଜାରିଫଙ୍କ ଗସ୍ତର ଗୁରୁତ୍ୱ ବଢିଯାଇଛି ।
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଏଡେଇବାକୁ ଗତ ସପ୍ତାହରେ ତେହେରାନରେ ହୋର୍ମୁଜ ପିସ ଇନିସିଏଟିଭ ( ହୋର୍ମୁଜ ଶାନ୍ତି ଉଦ୍ୟମ) ସଂଗଠନ ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତ, ଚୀନ, ଓମାନ, ଆଫଗାନିସ୍ତାନ ଆଦି ଇରାନର ମିତ୍ର ଦେଶମାନେ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର