ଇରାନରେ ପରିସ୍ଥିତି ସଂଗୀନ, ମୃତ୍ୟୁସଂଖ୍ୟା ୮୫୩ ଛୁଇଁଲା, ୮୫ ହଜାର ବନ୍ଦୀଙ୍କୁ ସାମୟିକଭାବେ ମୁକ୍ତ କରାଗଲା

ତେହେରାନ : ଇରାନରେ କରୋନା ଭାଇରସ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ସେଠାକାର ସରକାର କିଂକର୍ତ୍ତବ୍ୟବିମୁଢ ହୋଇପଡ଼ିଛନ୍ତି । ଏହି ପଶ୍ଚିମ-ଏସୀୟ ଦେଶରେ ମୃତ୍ୟୁସଂଖ୍ୟା ୮୫୩ରେ ପହଞ୍ଚି ଥିବାବେଳେ ୧୪,୯୯୧ ଜଣ ସଂକ୍ରମିତ ହୋଇଛନ୍ତି । ଏପରିକି ଇରାନର ବରିଷ୍ଠ ଓ କ୍ଷମତାଶାଳୀ ବ୍ୟକ୍ତିମାନେ ମଧ୍ୟ କରୋନା ପ୍ରକୋପରୁ ବର୍ତ୍ତିପାରୁନାହାନ୍ତି ବୋଲି ଜଣାପଡ଼ିଛି ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଇରାନ ସରକାର ଦେଶର ବିଭିନ୍ନ ଜେଲରେ ଥିବା ୮୫ ହଜାର ବନ୍ଦୀଙ୍କୁ ସାମୟିକଭାବେ ମୁକ୍ତ କରିଛନ୍ତି । ଏହି ବନ୍ଦୀମାନଙ୍କ ମଧ୍ୟରେ ରାଜନୈତିକ ବନ୍ଦୀ ଓ ସୁରକ୍ଷା ସଂପର୍କିତ ବନ୍ଦୀମାନେ ମଧ୍ୟ ରହିଛନ୍ତି । କରୋନା ଭାଇରସ ସ୍ଥିତିରେ ଉନ୍ନତି ଆସିବା ପରେ ସେମାନଙ୍କୁ ପୁଣି ଜେଲକୁ ଫେରିବାକୁ ହେବ ବୋଲି କହିଛନ୍ତି ଇରାନ ନ୍ୟାୟ ବିଭାଗର ମୁଖପାତ୍ର ଗୋଲାମହୁସେନ ଇସମାଇଲ । ଅନ୍ୟପକ୍ଷରେ ଜେଲଗୁଡ଼ିକରେ ସଂକ୍ରମଣ ନ ବ୍ୟାପିବାକୁ ବ୍ୟାପକ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି ।

ତେହରାନରେ ଅବସ୍ଥାପିତ ଜାତିସଂଘ ପ୍ରତିନିଧି ଜାଭେଦ ପେହମାନଙ୍କ ପରାମର୍ଶକ୍ରମେ ଇରାନର ବିଚାରବିଭାଗ ଦେଶର ବିଭିନ୍ନ ଜେଲରେ ବନ୍ଦୀ ଥିବା ବନ୍ଦୀମାନଙ୍କୁ ପ୍ୟାରୋଲ ଦେଇ ସାମୟିକଭାବେ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ସେମାନଙ୍କୁ ମୁକ୍ତ କରିବା ପୂର୍ବରୁ ସେମାନଙ୍କ ରକ୍ତ ପରୀକ୍ଷା କରାଯାଇଥିଲା । ଏଥିରେ ସେମାନେ ସଂକ୍ରମିତ ହୋଇନଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର