ନୂଆଦିଲ୍ଲୀ: ଗୁପ୍ତଚରବୃତ୍ତି ଅଭିଯୋଗରେ ୪ ଜଣଙ୍କୁ ଫାଶୀ ଦେଇଛି ଇରାନ । ଏହି ୪ ଜଣ ଙ୍କୁ ଇସ୍ରାଏଲର ଗୁଇନ୍ଦା ସଂସ୍ଥା 'ମୋସାଦ' ପାଇଁ କାମ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଇରାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ୪ ଜଣଙ୍କ ଫାଶୀ ଦଣ୍ଡାଦେଶ ସମ୍ପର୍କରେ ସୂଚନା ଦେଇଛି।
ଇରାନର ପ୍ରତିରକ୍ଷା ମନ୍ତ୍ରଣାଳୟ ସହ ଜଡିତ ଏକ କାରଖାନାକୁ ଟାର୍ଗେଟ କରିବାକୁ ଷଡ଼ଯନ୍ତ୍ର କରିଥିବା ଏବଂ ଇସ୍ରାଏଲର ଗୁଇନ୍ଦା ସଂସ୍ଥା 'ମୋସାଦ'ରେ କାମ କରୁଥିବା ଅଭିଯୋଗରେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।
ଇରାନର ସରକାରୀ ନିୟନ୍ତ୍ରିତ ନ୍ୟୁଜ ଏଜେନ୍ସି ଆଇଆରଏନଏର ରିପୋର୍ଟ ଅନୁସାରେ ଏହି ୪ ଜଣ ଇସ୍ପହାନ ସହରରେ ଥିବା ଏକ ରାଷ୍ଟ୍ରାୟତ୍ତ କ୍ଷେପଣାସ୍ତ୍ର କାରଖାନା ଉପରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଥିଲେ ।
ମୃତ୍ୟୁଦଣ୍ଡ ପାଇଥିବା ଲୋକମାନେ ହେଲେ ମହମ୍ମଦ ଫରାମାର୍ଜି, ମୋହସିନ ମଜଲୁମ, ୱାଫା ଆଜରାବର ଓ ପେଜମାନ ଫତେହି। ସେମାନେ ସମସ୍ତେ ହେଉଛନ୍ତି ୪ ଜଣ ଇରାନୀ ନାଗରିକ। ଗତ ସେପ୍ଟେମ୍ବରରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ଫାଶୀ ଦଣ୍ଡାଦେଶକୁ ବଜାୟ ରଖିଥିଲେ ।
ଇରାନରେ ଏହି ୪ ଜଣଙ୍କୁ କିପରି ମୃତ୍ୟୁଦଣ୍ଡ ଦିଆଗଲା ସେ ସମ୍ପର୍କରେ ସରକାରୀ ଭାବେ କିଛି କୁହାଯାଇନାହିଁ । କିନ୍ତୁ ଇରାନରେ ଫାଶୀଦଣ୍ଡ ପ୍ରଚଳିତ ଥିବାରୁ ସେମାନଙ୍କୁ ଫାଶୀ ଦିଆଯାଇଥିବା ମନେକରାଯାଉଛି ।