ତେହେରାନ: ଇରାନ ଶନିବାର ପ୍ରକାଶ କରିଛି ଯେ ଇରାନର ପୂର୍ବତନ ଉପ-ପ୍ରତିରକ୍ଷା ମନ୍ତ୍ରୀ ତଥା ବ୍ରିଟିସ-ଇରାନ ଦ୍ବୈତ ନାଗରିକତ୍ବ-ସମ୍ପନ୍ନ ଅଲି ରେଜା ଆକବରୀଙ୍କୁ ବ୍ରିଟେନ ପାଇଁ ଗୁପ୍ତଚରଗିରି ଅଭିଯୋଗରେ ଫାଶୀ ଦିଆଯାଇଛି। ଅନ୍ତର୍ଜାତୀୟ ସମୁଦାୟ ପକ୍ଷରୁ ଫାଶୀ ଦଣ୍ଡକୁ ସ୍ଥଗିତ ରଖିବା ପାଇଁ ଚେତାବନୀ ଦିଆଯାଇଥିଲା ଏବଂ ସାରା ଦେଶରେ ପ୍ରତିବାଦର ସ୍ବର ଉଠିଥିଲେ ମଧ୍ୟ ଏହାକୁ ଖାତିର ନ କରି ଇରାନ ସରକାର ଫାଶୀଦଣ୍ଡାଦେଶକୁ କାର୍ଯ୍ୟକାରୀ କରିଛନ୍ତି। ଆକବରୀ ଥିଲେ ବରିଷ୍ଠ ସୁରକ୍ଷା ଅଧିକାରୀ ଅଲି ସମଖାନିଙ୍କ ଘନିଷ୍ଠ ସହଯୋଗୀ। ମେହସା ଆମିନିଙ୍କ ହାଜତ ମୃତ୍ୟୁ ଘଟଣା ପରେ ଦେଶରେ ହିଜାବ-ବିରେଧୀ ଆନ୍ଦୋଳନ ଚରମରେ ପହଞ୍ଚିଥିବାବେଳେ ଆକବରୀଙ୍କ ଫାଶୀ ଘଟଣା ହଇଚଇ ସୃଷ୍ଟି କରିଛି। ଏହାକୁ ନେଇ ଉଭୟ ଇରାନ ଓ ଇଂଲଣ୍ଡରେ କ୍ରୋଧ ପ୍ରକାଶ ପାଇଛି। ଆକବରୀ ଇଂଲଣ୍ଡ ପାଇଁ ଗୁପ୍ତଚରଗିରି କରୁଥିଲେ ବୋଲି ଇରାନ ଅଭିଯୋଗ କରିଥିଲେ ମଧ୍ୟ ତା’ ସପକ୍ଷରେ କୌଣସି ପ୍ରମାଣ ଉପସ୍ଥାପନ କରିନାହିଁ। ତାଙ୍କୁ ନିଜ ସପକ୍ଷରେ ଲଢ଼ିବା ପାଇଁ ଓକିଲ ବାଛିବାର ସୁଯୋଗ ଦିଆଯାଇ ନାହିଁ। ଏହି ଫାଶୀ ରାଜନୈତିକ ଉଦ୍ଦେଶ୍ୟ-ପ୍ରଣୋଦିତ ଏବଂଏହା ମାନବାଧିକାରର ଘୋର ଉଲ୍ଲଂଘନ ବୋଲି ମାନବାଧିକାର ଗୋଷ୍ଠୀ ଅଭିଯୋଗ କରିଛନ୍ତି।
ବ୍ରିଟିସ-ଇରାନୀ ନାଗରିକ ଅଲିରେଜାଙ୍କୁ ଇରାନରେ ମୃତ୍ୟୁଦଣ୍ଡ ଦିଆଯିବା ଘଟଣାରେ ବ୍ରିଟିସ ପ୍ରଧାନମନ୍ତ୍ରୀ ଋଷି ସୁନକ ଚିନ୍ତା ପ୍ରକଟ କରିଛନ୍ତି। ଏହା ଏକ ନୃଶଂସ ଓ ବର୍ବର କାଣ୍ଡ ବୋଲି ସେ କହିଛନ୍ତି। ଫାଶୀ ଖବରରେ ବ୍ରିଟିସ ବିଦେଶ ମନ୍ତ୍ରୀ ଜେମ୍ସ କ୍ଳେଭରଲି କହିଛନ୍ତି, ଏହା ଏକ ଅସମ୍ବେଦନଶୀଳ ଓ ଭୀରୁତାପୂର୍ଣ୍ଣ କାର୍ଯ୍ୟ। ଏକ ବର୍ବର ଦେଶରେ ଲୋକଙ୍କର ମାନବାଧିକାର ବୋଲି କିଛି ନାହିଁ। ଏପରି ବର୍ବର କାର୍ଯ୍ୟକୁ ସର୍ବତ୍ର ନିନ୍ଦା କରାଯିବା ଉଚିତ ବୋଲି ସେ କହିଛନ୍ତି।