ଇରାନ ହେଉଛି ଭାରତର ଭରସାଯୋଗ୍ୟ ତୈଳ ଯୋଗାଣକାରୀ ଦେଶ : ଜାରିଫ

ନୂଆଦିଲ୍ଲୀ : ଭାରତ ଇରାନ ପରି ଏକ ଭରସାଯୋଗ୍ୟ ତୈଳ ରପ୍ତାନିକାରୀ ଦେଶ ପାଇବ ନାହିଁ । ଏକ ତୈଳ ସହଯୋଗୀ ରାଷ୍ଟ୍ରଭାବେ ଇରାନକୁ ଭାରତ ହରାଇଲେ , ତାହା ଭାରତୀୟ ଅର୍ଥନୀତିକୁ ଗୁରୁତରଭାବେ ପ୍ରଭାବିତ କରିବ ବୋଲି କହିଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ଜାଭେଦ ଜାରିଫ ।
ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ବାର୍ଷିକ ଅନ୍ତର୍ଜାତୀୟ ସମ୍ମିଳନୀ ରାଇସିନା ଡାଇଲଗ୍‌ରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ଭାରତର ଆର୍ଥିକ ଅଭିବୃଦ୍ଧି ପାଇଁ ଶକ୍ତି ନିରାପତ୍ତା ଆବଶ୍ୟକ । କିନ୍ତୁ ଭାରତ ଇରାନ ପରି ଏକ ଭରସାଯୋଗ୍ୟ ତୈଳଯୋଗାଣକାରୀ ସହଯୋଗୀ ପାଇପାରିବ ନାହିଁ । ଆମେ ଆମ ବାଣିଜ୍ୟିକ ସଂପର୍କରେ ରାଜନୀତିକୁ ମିଶାଉ ନାହିଁ । ଇରାନ ଉପରେ ଆମେରିକା ଲଗାଇଥିବା ଆର୍ଥିକ କଟକଣାକୁ ସେ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଆମେରିକା ଚାହୁଁଛି ଇରାନବାସୀ ଭିକମାଗନ୍ତୁ । କିନ୍ତୁ ଏପରି ହେବ ନାହିଁ । ସେ କହିଛନ୍ତି ଯେ ବିଶ୍ୱର ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ମଧ୍ୟପ୍ରାଚ୍ୟରେ ଉତ୍ତେଜନା କମାଇବାରେ ଭାରତ ଏକ ଜରୁରୀ ଭୂମିକା ଗ୍ରହଣ କରିପାରିବ । ବୁଧବାରଦିନ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । ଆଜି ସେ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଭେଟିଛନ୍ତି ।
ସୂଚନାଯୋଗ୍ୟ ଯେ ଭାରତ ନିଜ ତୈଳ ଆମଦାନୀର ଏକ ବଡ଼ଭାଗ ଇରାନରୁ ଆଣିଥାଏ । କିନ୍ତୁ ଆମେରିକାର କଟକଣା ପରେ ଏହି ଦେଶରୁ ଭାରତର ତୈଳ ଆମଦାନୀ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର