ଭାରତକୁ ତେଲ ରପ୍ତାନି ଲାଗି ବିକଳ୍ପ ଉପାୟ ଖୋଜୁଛି ଇରାନ

ନୂଆଦିଲ୍ଲୀ : ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବଢିଚାଲିଥିବାରୁ ସରକାରଙ୍କ ଉପରେ ଚାପ ବଢିଯାଇଛି । କିନ୍ତୁ ଆଗକୁ ଆହୁରି ସମସ୍ୟା ଆସୁଛି । କାରଣ ନଭେମ୍ବର ୪ରୁ ଇରାନଠାରୁ ତେଲ ଆମଦାନୀ ସଂପୂର୍ଣ୍ଣ ବନ୍ଦ କରିବାକୁ ଆମେରିକା ଭାରତକୁ କହିଛି । ଏପରିକି ନିକଟରେ ଅନୁଷ୍ଠିତ ୨+୨ ବୈଠକରେ ଏହି କଟକଣାକୁ କୋହଳ କରିବାକୁ ଆମେରିକାକୁ ଅନୁରୋଧ କରାଯାଇଥିଲା । କିନ୍ତୁ ଏଥିରେ କିଛି ସୁଫଳ ମିଳିପାରିନାହିଁ ।
ତେବେ ଏହି ସମସ୍ୟାର ଏକ ବିକଳ୍ପ ଉପାୟ ବାହାର କରିବାକୁ ଉଭୟ ଇରାନ ଓ ଭାରତ ଯୋଜନା କରୁଛନ୍ତି । ଏହି ଯୋଜନା ଅନୁସାରେ ନଭେମ୍ବର ୪ ପରେ ବି ଭାରତ ଇରାନରୁ ତେଲ ଆମଦାନୀ କରିପାରିବ । ଇରାନର ସଡ଼କ ପରିବହନ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ଅବାସ ଅଖଉଣ୍ଡି କହିଛନ୍ତି ଯେ ଆମେରିକା ଏହି ଅଞ୍ଚଳରେ ଏକ ବାହାର ପକ୍ଷ । ଏସିଆର ବିକାଶ ପାଇଁ ଭାରତ-ଇରାନ ମଧ୍ୟରେ ରହିଥିବା ସଂପର୍କକୁ ଆହୁରି ସୁଦୃଢ କରିବାକୁ ହେବ ।
ଭାରତ ନିଜ ତୈଳ ଆବଶ୍ୟକତାର ଏକ ବଡ଼ ଭାଗ ଇରାନରୁ ଆମଦାନୀ କରିଥାଏ । ଇରାନ ଭାରତକୁ ରିହାତି ଦରରେ ତେଲ ଯୋଗାଇଥାଏ । ଆହୁରି ମଧ୍ୟ ଇରାନକୁ ଭାରତୀୟ ଟଙ୍କାରେ ପେମେଣ୍ଟ କରିଥାଏ ଭାରତ । ଏଣୁ ଅନ୍ତର୍ଜାତୀୟ ବଜାରରେ ଡଲାର ମୂଲ୍ୟ ଉପର ତଳ ହେଲେ ମଧ୍ୟ ତାହାର ପ୍ରଭାବ ଇରାନ-ଭାରତ ତୈଳ କାରବାର ଉପରେ ପଡିନଥାଏ । ଅନ୍ୟପକ୍ଷରେ ଇରାନରେ ଭାରତ ଚାବାହାର ବନ୍ଦର ନିର୍ମାଣ କରିଛି । ଏହା ମାଧ୍ୟମରେ ଭାରତ ଆଫଗାନିସ୍ତାନ ଓ ସମଗ୍ର କେନ୍ଦ୍ର ଏସିଆ ପାଇଁ ବାଟ ଖୋଲୁଛି । ଏଣୁ ଇରାନକୁ ଛାଡିବା ଭାରତ ପକ୍ଷରେ ସମ୍ଭବ ନୁହେଁ ।

ସମ୍ବନ୍ଧିତ ଖବର