ତେହେରାନ: ଇରାନରେ ହିଜାବ ପିନ୍ଧିବା ବାଧ୍ୟତାମୂଳକ । ତେବେ ବିଗତ କିଛି ବର୍ଷ ହେବ ଏହି ନିୟମକୁ ତୀବ୍ର ବିରୋଧ କରାଯାଉଛି। ହିଜାବକୁ ବିରୋଧ କରୁଥିବା ମହିଳାଙ୍କ ପାଇଁ ଇରାନ ଏକ ସ୍ୱତନ୍ତ୍ର ଯୋଜନା ଉପରେ କାମ କରୁଛି । ଏହି ଯୋଜନା ଅଧୀନରେ ସାରା ଦେଶରେ ମାନସିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯିବ । ଏହି କ୍ଲିନିକ୍ ଗୁଡ଼ିକ ହିଜାବ ପିନ୍ଧିବାକୁ ବିରୋଧ କରୁଥିବା ମହିଳାଙ୍କ ପାଇଁ ମାନସିକ ଚିକିତ୍ସା ଯୋଗାଇଦେବେ।

Advertisment

ତେହେରାନର ମହିଳା ଓ ପରିବାର ବିଭାଗର ମୁଖ୍ୟ ମେହେରୀ ତାଲେବି ଦାରେସ୍ତାନୀ କହିଛନ୍ତି ଯେ ଖୁବଶୀଘ୍ର ଇରାନରେ 'ହିଜାବ ରିମୁଭେଲ ଟ୍ରିଟମେଣ୍ଟ କ୍ଲିନିକ୍' ଖୋଲାଯିବ। ଏଠାରେ ମହିଳାମାନଙ୍କୁ ବୈଜ୍ଞାନିକ ଚିକିତ୍ସା ମିଳିବ।

ଇରାନରେ ଏହି ଟ୍ରିଟମେଣ୍ଟ କ୍ଲିନିକର ଖବର ସାମ୍ନାକୁ ଆସିବା ପରେ ଏହାକୁ ବିରୋଧ ମଧ୍ୟ ଆରମ୍ଭ ହୋଇଛି । ଏହି କ୍ଲିନିକ୍ ଗୁଡ଼ିକ ବିକଳ୍ପ ହେବ ବୋଲି ଇରାନ ସରକାର କହିଛନ୍ତି। ତେବେ ଏହି କ୍ଲିନିକ ଗୁଡ଼ିକ କ୍ଲିନିକ୍ ନୁହେଁ ବରଂ ଜେଲ୍ ହେବ ବୋଲି ସାମାଜିକ କର୍ମୀମାନେ ବିଶ୍ୱାସ କରୁଛନ୍ତି।
ଇରାନର ମାନବାଧିକାର ଆଇନଜୀବୀ ହୁସେନ ରଇସି ସରକାରଙ୍କ ଏହି ଯୋଜନାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ହିଜାବ ପିନ୍ଧିବାକୁ ମନା କରୁଥିବା ମହିଳାଙ୍କୁ ଚିକିତ୍ସା ନାଁରେ କ୍ଲିନିକ୍ କୁ ନେବା ଠିକ୍ ନୁହେଁ ବୋଲି ସେ କହିଛନ୍ତି। ଏହା ନା ଇସଲାମିକ ନା ଇରାନର ଆଇନ ଅନୁଯାୟୀ ।