ତେହରାନ/ତେଲ୍ ଅଭିଭ୍: ଶନିବାର ଯୁକ୍ତରାଷ୍ଟ୍ର ଆମେରିକା ‘ଅପରେସନ୍ ମିଡ୍ନାଇଟ୍ ହାମର୍’ ଜରିଆରେ ଇରାନର ଫୋର୍ଡୋ, ନାତାଞ୍ଜ ଏବଂ ଇସ୍ଫାହାନ ପରମାଣୁ ଠିକଣା ଉପରେ ବଙ୍କର ବଷ୍ଟର ବୋମା ବର୍ଷା କରିଥିଲା। ଆମେରିକାର ଏହି ଆକ୍ରମଣ ପରେ ଇରାନ ରକ୍ତମୁଖା ହୋଇପଡ଼ିଛି। ଆମେରିକା ଆକ୍ରମଣର ଦିନକ ପରେ ଆଜି ଇସ୍ରାଏଲ ଓ ଇରାନ ପରସ୍ପର ଉପରେ ଜୋରଦାର ରକେଟ୍, ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି। ଇରାନର ପରମାଣୁସ୍ଥଳ ଫୋର୍ଡୋ ଓ କେତେକ ସୈନ୍ୟ ଛାଉଣୀ ଉପରେ ଇସ୍ରାଏଲ ଭୟଙ୍କର ଆକ୍ରମଣ କରିଛି। ଫୋର୍ଡୋ ପରମାଣୁସ୍ଥଳର ପ୍ରବେଶ ପ୍ରସ୍ଥାନ ପଥଗୁଡ଼ିକୁ ଟାର୍ଗେଟ୍ କରି ଇସ୍ରାଏଲ କ୍ଷେପଣାସ୍ତ୍ର ମାଡ଼ କରିଛି। ଏଭଳି ସ୍ଥିତିରେ ଇରାନ ରାଜଧାନୀ ତେହରାନରୁ ସାଧାରଣ ଲୋକ ଅନ୍ୟତ୍ର ଚାଲିଯିବା ପାଇଁ ଇସ୍ରାଏଲ ପକ୍ଷରୁ ସତର୍କ କରାଯାଇଛି। ଇରାନର ରାଜଧାନୀରେ ଥିବା ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ, କୁଖ୍ୟାତ ଏଭିନ୍ ପ୍ରିଜନ୍ ଏବଂ ଇରାନ ସେନାର ମୁଖ୍ୟାଳୟକୁ ଟାର୍ଗେଟ୍ କରି ଇସ୍ରାଏଲ ଆକ୍ରମଣ ଚଳାଇଛି।
ଅନ୍ୟପକ୍ଷରେ ଇସ୍ରାଏଲ ଉପରେ ଇରାନ ଆଜି ୧୫ଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହାଦ୍ବାରା ରାଜଧାନୀ ତେଲ ଅଭିଭ୍ ଓ ଜେରୁଜେଲମ ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଜେରୁଜେଲମରେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। ଏସବୁ ସହରର ରାସ୍ତାଘାଟ ଧୂଆଁମୟ ହୋଇଯାଇଛି। ଇସ୍ରାଏଲର ଅଶଦୋଦ୍ ସହରରେ ଥିବା ଶକ୍ତିକେନ୍ଦ୍ରଠାରୁ ଆରମ୍ଭ କରି ବ୍ୟାଙ୍କ ଓ ଆବାସିକ ଅଞ୍ଚଳରେ ଇରାନ ଘନଘନ କ୍ଷେପଣାସ୍ତ୍ର, ଡ୍ରୋନ୍ ଏବଂ ରକେଟ୍ ମାଡ଼ କରୁଛି। ଅଶଦୋଦ୍ ସହର ଉପରେ ବଡ଼ଧରଣର ଆକ୍ରମଣ କରାଯାଇଥିବା ନେଇ ଭିଡିଓ ଭାଇରାଲ୍ ହୋଇଛି। ଇରାନର କ୍ଷେପଣାସ୍ତ୍ର ସିଧାସଳଖ ଇସ୍ରାଏଲର କେତେକ ସହରରେ ମାଡ଼ ହୋଇଛି। କ୍ଷେପଣାସ୍ତ୍ର ମାଡ଼ ପରେ ବ୍ୟାପକ ଅଞ୍ଚଳରେ ନିଆଁ ଓ ଧୂଆଁ ବ୍ୟାପିଥିବା ଦେଖିବାକୁ ମିଳିଛି। ଶକ୍ତି କେନ୍ଦ୍ରରେ ଆକ୍ରମଣ ଯୋଗୁ ବଡ଼ଧରଣର ବିଜୁଳି ବିଭ୍ରାଟ ଦେଖିବାକୁ ମିଳିଛି। ଇରାନର ଏହି ଆକ୍ରମଣ ପରେ ଇସ୍ରାଏଲର ସୁରକ୍ଷା ବାହିନୀ ସେଠାରେ ପୁନରୁଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଅଫୁଟା ବୋମା ଓ ଗୁଳିଗୋଳାକୁ ନିଷ୍କ୍ରିୟ କରିବା ପାଇଁ ପ୍ରୟାସ ଚଳାଇଛନ୍ତି।