ତେଲ୍ ଅଭିଭ୍: ଇରାନ-ଇସ୍ରାଏଲ ସଂଘର୍ଷ ଦିନକୁ ଦିନ ଭୀଷଣ ରୂପ ନେଉଛି। ଯୁଦ୍ଧର ପରିସମାପ୍ତି ପାଇଁ ଚାଲିଥିବା ପ୍ରୟାସ ଭଣ୍ଡୁର ହେଉଥିବା ବେଳେ ଉଭୟ ରାଷ୍ଟ୍ର ପରସ୍ପର ଉପରେ ଶକ୍ତିଶାଳୀ କ୍ଷେପଣାସ୍ତ୍ର ଆକ୍ରମଣ କରୁଥିବାରୁ ସ୍ଥିତି ଭୟାନକ ହେଉଛି। ଶନିବାର ରାତି ଓ ରବିବାର ସକାଳେ ଇସ୍ରାଏଲ ଓ ଇରାନ ପରସ୍ପର ଉପରେ ପୁଣି ଆକ୍ରମଣ କରିଛନ୍ତି। ତେହରାନ ପରମାଣୁ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିବ ନାହିଁ ବୋଲି ସ୍ପଷ୍ଟ କରିଦେବା ପରେ ଏ ବାବଦରେ ମଧ୍ୟସ୍ଥତା ପାଇଁ ଉଦ୍ୟମ କରୁଥିବା ୟୁରୋପୀୟ ସଂଘକୁ ଝଟ୍କା ଲାଗିଛି। ଇସ୍ରାଏଲ ସେନା ଏକ୍ସରେ ଏକ ପୋଷ୍ଟରେ କହିଛି ଯେ ଇରାନ ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ତେଲ୍ ଅଭିଭ୍ ସମେତ କେନ୍ଦ୍ରୀୟ ଇସ୍ରାଏଲରେ କେତେକ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। ଇରାନ ଆକ୍ରମଣ ପରେ କିଛି କୋଠାରେ ମଧ୍ୟ ନିଆଁ ଲାଗିଥିବା ସୂଚନା ମିଳିଛି। ଇସ୍ରାଏଲ ଅଧିକାରୀମାନେ କହିଛନ୍ତି ଯେ ଇରାନ ୫ଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିବା ପରେ ଦକ୍ଷିଣ ଇସ୍ରାଏଲରେ ମଧ୍ୟ ସାଇରନ୍ ବାଜିଛି। କ୍ଷେପଣାସ୍ତ୍ର ମାଡ଼ଜନିତ କ୍ଷୟକ୍ଷତି ନେଇ ବିସ୍ତୃତ ସୂଚନା ଦିଆଯାଇନାହିଁ। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ସ୍ଥାନୀୟ ସମୟ ରାତି ପ୍ରାୟ ୩ଟା ବେଳେ ଏକ ପୋଷ୍ଟରେ କହିଛି ଯେ ସେମାନେ କେନ୍ଦ୍ରୀୟ ଇରାନରେ କ୍ଷେପଣାସ୍ତ୍ର ଭଣ୍ଡାର ଓ ଉତ୍କ୍ଷେପଣ ଭିତ୍ତିଭୂମି ଉପରେ ଆକ୍ରମଣ କରିଥିଲେ।
ସପ୍ତାହେ ଧରି ଚାଲିଥିବା ଇସ୍ରାଏଲ-ଇରାନ ଯୁଦ୍ଧର ଅନ୍ତ ଘଟାଇବା ପାଇଁ ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି ବ୍ରିଟେନ, ଫ୍ରାନ୍ସ ଓ ଜର୍ମାନୀର ପ୍ରତିପକ୍ଷ ତଥା ୟୁରୋପୀୟ ସଂଘର ବୈଦେଶିକ ନୀତି ମୁଖ୍ୟଙ୍କୁ ଜେନେଭାରେ ଭେଟିବାର କିଛି ଘଣ୍ଟା ପରେ ଏହି ନୂଆ ଆକ୍ରମଣ ହୋଇଛି। ଗତ ଶୁକ୍ରବାରଠାରୁ ସଂଘର୍ଷ ଆରମ୍ଭ ହେବା ପରେ ପାଶ୍ଚାତ୍ୟ ଓ ଇରାନ ଅଧିକାରୀଙ୍କ ମଧ୍ୟରେ ପ୍ରଥମ ମୁହାଁମୁହିଁ ବୈଠକ ପରେ ଆରାଘଚି ଗଣମାଧ୍ୟମକୁ କହିଛନ୍ତି, ଯଦି ଆକ୍ରମଣ ବନ୍ଦ ହୁଏ ଏବଂ ଆକ୍ରମଣକାରୀଙ୍କୁ ତାଙ୍କ ଅପରାଧ ପାଇଁ ଉତ୍ତରଦାୟୀ କରାଯାଏ ତେବେ ଇରାନ କୂଟନୀତି ଉପରେ ବିଚାର କରିବାକୁ ପ୍ରସ୍ତୁତ ଅଛି।
ଇସ୍ରାଏଲ-ଇରାନ ଯୁଦ୍ଧ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଇସ୍ରାଏଲ ସେନା ଅପରେସନ ‘ରାଇଜିଂ ଲାୟ’ନ ଆରମ୍ଭ କରିଥିଲା ଏବଂ ଇରାନର ପରମାଣୁ ଓ ସାମରିକ ସ୍ଥଳ, ଶୀର୍ଷ ଜେନେରାଲ ଓ ପରମାଣୁ ବୈଜ୍ଞାନିକମାନଙ୍କ ଉପରେ ଆକ୍ରମଣ କରିଥିଲା। ୱାସିଂଟନ ସ୍ଥିତ ଇରାନର ମାନବାଧିକାର ସଙ୍ଗଠନ ଅନୁଯାୟୀ ଇରାନରେ ୨୬୩ ସାଧାରଣ ନାଗରିକଙ୍କ ସମେତ ଅତି କମ୍ରେ ୬୫୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇସ୍ରାଏଲ କହିଛି ଯେ ଇରାନ ଇସ୍ରାଏଲ ଉପରେ ୪୫୦ଟି କ୍ଷେପଣାସ୍ତ୍ର ଓ ୧୦୦୦ ଡ୍ରୋନ୍ ନିକ୍ଷେପ କରିଛି ।
ଇରାନକୁ ଶକ୍ତ ଝଟ୍କା; ୩ ଶୀର୍ଷ ସାମରିକ କମାଣ୍ଡର ନିହତ
ତେଲ ଅବିବ: ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଶନିବାର ଘୋଷଣା କରିଛି ଯେ ଏହାର ଆକ୍ରମଣରେ ଇରାନର ୩ ଜଣ ଶୀର୍ଷ ସାମରିକ କମାଣ୍ଡର ନିହତ ହୋଇଛନ୍ତି। ଇରାନର ଏକ ପରମାଣୁ ଗବେଷଣା କେନ୍ଦ୍ରକୁ ଟାର୍ଗେଟ୍ କରି ଇସ୍ରାଏଲ କରିଥିବା ଆକ୍ରମଣରେ ସେମାନେ ନିହତ ହୋଇଥିବା ଇରାନ ମଧ୍ୟ ସ୍ବୀକାର କରିଛି। ସେମାନେ ହେଲେ ଜେନେରାଲ ମହମ୍ମଦ ବାଘେରି ଯିଏ କି ପାରାମିଲିଟାରି ରିଭୋଲ୍ୟୁସନାରି ଗାର୍ଡର ନେତୃତ୍ବ ନେଉଛନ୍ତି। ଜେନେରାଲ୍ ହୋସେନ ସଲାମି ତଥା ବାଲିଷ୍ଟିକ ମିସାଇଲ ପ୍ରୋଗ୍ରାମ୍ର ମୁଖ୍ୟ ଏବଂ ଜେନେରାଲ ଅମିର ଅଲି ହଜିଜାଦେ। ଅନ୍ୟପକ୍ଷେ ଆଇଡିଏଫ୍ ମଧ୍ୟ କହିଛି ଯେ ଏହା ଆଇଆର୍ଜିସି (ଇସଲାମିକ ରିଭୋଲ୍ୟୁସନାରି ଗାର୍ଡ କର୍ପ୍ସ) କୁଦ୍ସ ବାହିନୀର ଅସ୍ତ୍ରଶସ୍ତ୍ର ଟ୍ରାନ୍ସଫର ବିଭାଗ କମାଣ୍ଡର ବେହନାମ ଶାହରିୟାରିକୁ ନିପାତ କରିଛି। ଏଥିସହ ଜଣେ ଶୀର୍ଷ ଆଇଆରଜିସି କମାଣ୍ଡର ଏବଂ କୁଦ୍ସ ବାହିନୀର ପାଲେଷ୍ଟାଇନ କର୍ପ୍ସ ମୁଖ୍ୟଙ୍କୁ ମଧ୍ୟ ନିପାତ କରାଯାଇଥିବା ଆଇଡିଏଫ୍ କହିଛି।
ଇସ୍ରାଏଲ ଅନୁଯାୟୀ ଶାହରିୟାରି ମଧ୍ୟପ୍ରାଚ୍ୟରେ ବିଭିନ୍ନ ସ୍ଥାନକୁ ଅସ୍ତ୍ର ପଠାଇ ଇସ୍ରାଏଲକୁ ଧ୍ବଂସ କରିବାପାଇଁ ସିଧାସଳଖ ସହଯୋଗ କରୁଥିଲା। ଆଇଡିଏଫ୍ ଏକ ବିବୃତି ଜାରି କରି କହିଛି ଯେ ଶାହରିୟାରି ଇସ୍ରାଏଲଠାରୁ ୧ ହଜାର କିମି ଦୂର ପଶ୍ଚିମ ଇରାନରେ ଯାତ୍ରା କରୁଥିବା ସମୟରେ ତାକୁ ନିପାତ କରାଯାଇଛି। ସେ ହେଜ୍ବୋଲ୍ଲାକୁ ଅସ୍ତ୍ର ଓ ଅର୍ଥ ଯୋଗାଣ କରୁଥିଲା। ଇରାନ ସମର୍ଥିତ ଆତଙ୍କୀ ନେଟୱର୍କକୁ ଏହା ଏକ ଶକ୍ତ ଝଟ୍କା ବୋଲି ଆଇଡିଏଫ୍ କହିଛି। ଅନ୍ୟପକ୍ଷେ ଆଇଆର୍ଜିସି ଶୀର୍ଷ କମାଣ୍ଡର ଇଜାଦିକୁ ଇରାନ ସହର କୋମ୍ରେ ପୃଥକ ବିମାନ ଆକ୍ରମଣରେ ନିପାତ କରାଯାଇଛି। ୨୦୨୩ ଅକ୍ଟୋବର ୭ ଆକ୍ରମଣର ସେ ମାଷ୍ଟରମାଇଣ୍ଡ୍ ବୋଲି କୁହାଯାଉଛି।