ଓ୍ଵାସିଂଟନ୍‌: ଇରାନ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ନାମରେ ଗିରଫ ପରଓ୍ଵାନା ଜାରି କରିଛି। କେବଳ ଏତିକି ନୁହେଁ, ଟ୍ରମ୍ପଙ୍କୁ ଧରାଇବା ପାଇଁ ଇଣ୍ଟରପୋଲର ବି ସାହାଯ୍ୟ ଲୋଡିଛି ଇରାନ୍‌। ଜେନେରାଲ୍ କାସିମ୍ ସୋଲେମାନୀଙ୍କ ହତ୍ୟାମାମଲାରେ  ଟ୍ରମ୍ପଙ୍କ ବ୍ୟତୀତ ଅନ୍ୟ ୧୨ଜଣଙ୍କ ବିରୋଧରେ  ଗିରଫ ପରଓ୍ଵାନା ଜାରି କରାଯାଇଛି।

Advertisment

ପରମାଣୁ ରାଜିନାମାରୁ ଆମେରିକା ଓହରିବା ପରଠୁ ଦୁଇ ଦେଶ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଏମିତିରେ ଇରାନର ଏହି ପଦକ୍ଷେପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଆହୁରି ବଢିବାର ସମ୍ଭାବନା ରହିଛି ବୋଲି କୁହାଯାଉଛି। କିନ୍ତୁ ଏଥିରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଗିରଫଦାରୀର କୌଣସି ବିପଦ ନାହିଁ।

ସୋଲେମାନୀଙ୍କ ହତ୍ୟା ଘଟଣାରେ ଡୋନାଲ୍ଡ ଟ୍ରମ୍ପ ଓ ଅନ୍ୟ ୧୨ଜଣ ସଂଶ୍ଲିଷ୍ଟ ବୋଲି  ଇରାନ ସନ୍ଦେହ କରୁଛି । ଏହି ସମସ୍ତଙ୍କୁ ଧରିବା ଲାଗି ତେହରାନ ଇଣ୍ଟରପୋଲର ସହାୟତା ଲୋଡିଛି।

ତେହରାନର ପ୍ରବକ୍ତା ଅଲି ଅଲକାସିମହର କହିଛନ୍ତି ଯେ, ଇରାନ ଜାନୁଆରୀରେ ବାଗଦାଦରେ ହୋଇଥିବା ଆକ୍ରମଣରେ ଟ୍ରମ୍ପ ଓ ୩୦ ଅନ୍ୟଜଣଙ୍କ ବିରୋଧରେ ଆଭିଯୋଗ ଆଣିଛି। ଏହି ଡ୍ରୋନ ଆକ୍ରମଣରେ ଇରାନ୍‌ ସେନାର ମୁଖ୍ୟ ଜେନେରାଲ କାସିମ ସୋଲେମାନିଙ୍କ ମୃତ୍ୟୁ ଘଟିଥିଲା। ଫ୍ରାନ୍‌ସର ଲୟୋନସ୍ଥିତ ଇଣ୍ଟରପୋଲ୍‌ ଏହି ଘଟଣାରେ ତୁରନ୍ତ କୌଣସି ଜବାବ ଦେଇ ନାହିଁ।