ତେହେରାନ: ଇରାନର କୁଦସ୍ ସେନାମୁଖ୍ୟ ମେଜର୍ ଜେନେରାଲ୍ କ୍ବାସିମ ସୁଲେମାନୀଙ୍କ ହତ୍ୟା ପରେ ଇରାନ ଓ ଆମେରିକା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଧୀରେ ଧୀରେ ଉଗ୍ର ରୂପ ନେଉଛି। ଇରାନର ଜଣେ ବ୍ୟକ୍ତି ସୁଲେମାନୀଙ୍କ ହତ୍ୟାରେ ପ୍ରତିଶୋଧ ଲାଗି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ମୁଣ୍ଡ ଉପରେ ୮୦ ମିଲିୟନ୍ ଆମେରିକୀୟ ଡଲାରର ପୁରସ୍କାର ଘୋଷଣା କରିଛନ୍ତି। ଯିଏ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କୁ ହତ୍ୟା କରିବ ତାକୁ ଏହି ରାଶି ସେ ପ୍ରଦାନ କରିବେ ବୋଲି କହିଛନ୍ତି।
ଟ୍ବିଟର୍ରେ ପୋଷ୍ଟ୍ ହୋଇଥିବା ଏକ ଭିଡିଓରେ ଶୁଣିବାକୁ ମିଳିଛି ଯେ ଟ୍ରମ୍ପ୍ଙ୍କୁ ହତ୍ୟା କରିବାକୁ ଜଣେ ବ୍ୟକ୍ତି ପୁରସ୍କାର ରାଶି ଘୋଷଣା କରୁଛନ୍ତି। ଇରାନର ଜନସଂଖ୍ୟା ୮୦ ମିଲିୟନ୍ ହୋଇଥିବାରୁ ଆମେରିକୀୟ ଡଲାରରେ ପୁରସ୍କାର ରାଶି ଭାବେ ୮୦ ମିଲିୟନ ହିଁ ଘୋଷଣା କରିଛନ୍ତି ବ୍ୟକ୍ତି ଜଣକ।
At Solemani’s funeral procession in Mashad one of the organisers called on all Iranian to donate $1 each in order to gather an $80million bounty on President Trumps head. pic.twitter.com/Qb7AAfAiww
— Ali Arouzi (@aliarouzi) January 5, 2020
ମଶାଦରେ ଅନୁଷ୍ଠିତ ସୁଲେମାନୀଙ୍କ ଶବଯାତ୍ରା ସମୟରେ ଜଣେ ବ୍ୟକ୍ତି ସେଠାରେ କହୁଛନ୍ତି କି, ‘ଆମେ ୮୦ ମିଲିୟନ୍ ଲୋକ। ସମସ୍ତେ ମିଶି ଗୋଟାଏ ଡଲାର ଦେଲେ ବି ସମୁଦାୟ ୮୦ ମିଲିୟନ୍ ଡଲାର ହେବ। ଆମେ ତାହାକୁ ଟ୍ରମ୍ପଙ୍କ ହତ୍ୟାକାରୀକୁ ପୁରସ୍କାର ଆକାରରେ ପ୍ରଦାନ କରିବୁ।’ ମାତ୍ର ଇରାନ ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ।
ଶୁକ୍ରବାର ଇରାନ୍ର କମାଣ୍ଡର ଜେନେରାଲ କାସିମ ସୁଲେମାନୀ ଆମେରିକାର କ୍ଷେପଣାସ୍ତ୍ର ମାଡ଼ରେ ନିହତ ହେବାପରେ ଏବେ ଇରାନ୍ ପ୍ରତିଶୋଧ ନେବାପାଇଁ ପ୍ରସ୍ତୁତ ହେଉଛି। ଆମେରିକା ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ଆଜି ଇରାନ୍ ଘୋଷଣା କରିବା ସହ କୋମ୍ ସହରର ଏକ ମସ୍ଜିଦ୍ରେ ଲାଲ ପତାକା ଉଡ଼ାଇଛି। ଏହି ଲାଲ ପତାକାକୁ ପ୍ରତିଶୋଧ ଏବଂ ଯୁଦ୍ଧର ସଙ୍କେତ ଭାବେ ଇରାନ୍ ଗ୍ରହଣ କରିଛି ଏବଂ ଏହା ଦ୍ବାରା ନାଗରିକମାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସତର୍କ କରାଇ ଦେଇଛି। ସୁଲେମାନୀଙ୍କ ମୃତ୍ୟୁ ପରେ ଇରାନ୍ ଘୋଷଣା କରିଥିଲା ଯେ ଏହାର ଭୟଙ୍କର ପରିଣାମ ଆମେରିକାକୁ ଭୋଗିବାକୁ ପଡ଼ିବ।