୮୦ ଆମେରିକୀୟ ସୈନ୍ୟ ମରିଥିବା ଦାବି
ଆମେରିକାର ୧୪୦ଟି ସ୍ଥାନରେ ଆକ୍ରମଣ ଧମକ
ଆମର କେହି ମୃତାହତ ହୋଇନାହାନ୍ତି: ଆମେରିକା
୨୪ ଘଣ୍ଟା ଅପେକ୍ଷା କର: ଡୋନାଲ୍ଡ ଟ୍ରମ୍ପ
ତେହେରାନ୍ : ଇରାନ୍ର କମାଣ୍ଡର ଜେନେରାଲ କ୍ବାସିମ ସୁଲେମାନୀଙ୍କୁ ହତ୍ୟା ପରେ ମଧ୍ୟପ୍ରାଚ୍ୟରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ଏହା ଯେ କୌଣସି ସମୟରେ ଯୁଦ୍ଧର ରୂପ ନେଇପାରେ। ଏହି ହତ୍ୟାକାଣ୍ଡ ପାଇଁ ପ୍ରତିଶୋଧ ନେବାଲାଗି ପୂର୍ବରୁ ଧମକ ଦେଇଥିବା ଇରାନ ଆଜି ଇରାକ୍ସ୍ଥିତ ଆମେରିକାର ସାମରିକ ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି। ଏଥିରେ ଆମେରିକାର ୮୦ ଜଣ ସୈନ୍ୟ ପ୍ରାଣ ହରାଇଥିବା ଇରାନ୍ ଦାବି କରିଛି। ତେବେ ଆମେରିକା ଏହି ଆକ୍ରମଣ କଥା ସ୍ବୀକାର କରିଥିଲେ ମଧ୍ୟ କେହି ମୃତାହତ ହୋଇ ନଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଅନ୍ୟପକ୍ଷରେ ୨୪ ଘଣ୍ଟା ମଧ୍ୟରେ ଏହାର ଜବାବ ଦିଆଯିବ ବୋଲି ଟ୍ରମ୍ପ ଇରାନ୍କୁ ଚେତାଇ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଇରାନ୍ ୧୫ଟି କ୍ଷେପଣାସ୍ତ୍ର ମାଡ଼ କରିଛି। ଆଜି ଭୋର୍ ସମୟରେ ଆମେରିକାର ବାୟୁସେନା ଘାଟି ଏବଂ ସୈନ୍ୟ ଶିବରକୁ ଟାର୍ଗେଟ୍ କରି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏଥିରେ ଅନ୍ୟୂନ ୮୦ ଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁ ହୋଇଛି ବୋଲି ଇରାନ୍ର ସରକାରୀ ଟେଲିଭିଜନ୍ କହିଛି। କୌଣସି ଗୋଟିଏ ହେଲେ କ୍ଷେପଣାସ୍ତ୍ରକୁ ପ୍ରତିରୋଧ କରାଯାଇ ନାହିଁ ବୋଲି ଇରାନୀୟ ଟେଲିଭିଜନ୍ ଖବର ପ୍ରସାରଣ କରିଛି। ତେବେ ଇରାନ୍ର କ୍ଷେପଣାସ୍ତ୍ର ଆକ୍ରମଣ ସତ୍ତ୍ବେ ଆମର କୌଣସି କ୍ଷତି ହୋଇନାହିଁ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି।
ଇରାନ୍ର କମାଣ୍ଡର ଜେନେରାଲ ସୁଲେମାନୀଙ୍କ ହତ୍ୟା ପରେ ଇରାନ୍ ଆମେରିକୀୟ ସେନାକୁ ଆତଙ୍କବାଦୀ ବୋଲି ଘୋଷଣା କରିଛି। ୮୦ ଆମେରିକୀୟ ସେନାଙ୍କ ମୃତ୍ୟୁ ହୋଇଛି ବୋଲି ଇରାନ୍ର ଦାବିକୁ ଆମେରିକା ରାଷ୍ଟ୍ରପତି ହାଲୁକା ଢଙ୍ଗରେ ନେବା ସହିତ ସବୁକିଛି ଠିକ୍ ଅଛି ବୋଲି କହିଥିବା ବେଳେ ଇରାକ୍ ମଧ୍ୟ ଆମେରିକା ସୈନିକ ସଂପୂର୍ଣ୍ଣ ସୁରକ୍ଷିତ ବୋଲି କହିଛି। ତେବେ ଇରାନ୍ର କ୍ଷେପଣାସ୍ତ୍ର ଆକ୍ରମଣରେ କିଭଳି କ୍ଷତି ଘଟିଛି ତାହାର ଆକଳନ ଚାଲିଛି ବୋଲି ଟ୍ରମ୍ପ୍ କହିଛନ୍ତି।
ଇରାନ ସରକାରୀ ଟେଲିଭିଜନ ଆମେରିକା ଉଦ୍ଦେଶ୍ୟରେ ଚେତାବନୀ ଦେଇ କହିଛି ଯେ ଯଦି ଓ୍ଵାସିଂଟନ୍ କୌଣସି ପ୍ରତିହିଂସାତ୍ମକ ପଦକ୍ଷେପ ଗ୍ରହଣ କରେ ଇରାନ୍ ଅନ୍ୟ ୧୪୦ଟି ସ୍ଥାନରେ ଆକ୍ରମଣ କରିବ। ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ୍ ଇରାନ୍ର ୫୨ଟି ସ୍ଥଳରେ ଆକ୍ରମଣ ହେବ ବୋଲି ଧମକ ଦେଇଥିବାରୁ ଇରାନ୍ ଏହାର ଜବାବରେ ୧୪୦ ସ୍ଥାନରେ ଆକ୍ରମଣ ହେବ ବୋଲି ଘୋଷଣା କରିଛି।
ଆଜିର କ୍ଷେପଣାସ୍ତ୍ର ମାଡ଼ରେ ଆମେରିକାର ହେଲିକପ୍ଟର୍ ଏବଂ ସାମରିକ ଉପକରଣ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଏହା ଫଳରେ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ସୃଷ୍ଟି ହୋଇଛି। ଆମେରିକୀୟ ସାମରିକ ଘାଟୀରେ ଇରାନ୍ର କ୍ଷେପଣାସ୍ତ୍ର ଆକ୍ରମଣକୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ ନିନ୍ଦା କରିଛନ୍ତି।