ୱାସିଂଟନ: ଇରାନ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଏୟାର ଷ୍ଟ୍ରାଇକକୁ ନେଇ ସାରା ବିଶ୍ବ ଚିନ୍ତିତ। ଏଭଳି ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଦ୍ବାରା ଏହା ଜଣାପଡ଼ୁଛି ଯେ ଇରାନକୁ ତା ଅଞ୍ଚଳରେ କେହି ସେତେଟା ଭଲ ପାଉନାହାନ୍ତି। ଏଥିସହିତ ଇରାନ ଓ ପାକିସ୍ତାନକୁ ସର୍ବାଧିକ ସଂଯମ ଅବଲମ୍ବନ ପାଇଁ ଉଭୟ ଜାତିସଂଘ ଏବଂ ଆମେରିକା ପରାମର୍ଶ ଦେଇଛନ୍ତି। ପାକିସ୍ତାନର ବାଲୁଚିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଉପରେ ଇରାନ ମଙ୍ଗଳବାର ରାତିରେ ସାମରିକ ଆକ୍ରମଣ କରିଥିଲା। ଏହାର ଜବାବରେ ଇରାନ ଉପରେ ପାକିସ୍ତାନ ଗୁରୁବାର କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ପାକିସ୍ତାନର କ୍ଷେପଣାସ୍ତ୍ର ଆକ୍ରମଣରେ ଇରାନରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଇରାନର ସିସ୍ତାନ-ବାଲୁଚିସ୍ତାନ ପ୍ରଦେଶରେ ହୋଇଥିବା ଉକ୍ତ ଆକ୍ରମଣରେ ଅଧିକାଂଶ ମହିଳା ଓ ଶିଶୁ ପ୍ରାଣ ହରାଇଛନ୍ତି। ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ନେଇ ଉଭୟ ପାକିସ୍ତାନ ପରସ୍ପରକୁ ଅଧିକାଂଶ ସମୟରେ ଦୋଷାରୋପ କରିଥାନ୍ତି। କିନ୍ତୁ ସରକାରୀ ଭାବେ ଆକ୍ରମଣ ଓ ପ୍ରତିଆକ୍ରମଣ ପ୍ରାୟତଃ ଦେଖିବାକୁ ମିଳେନାହିଁ। କିନ୍ତୁ ବର୍ତ୍ତମାନର ଏଭଳି ଆକ୍ରମଣ ଓ ପ୍ରତିଆକ୍ରମଣ ବିଶ୍ବର ଚିନ୍ତା ବଢ଼ାଇଛି। ଏଭଳି ସ୍ଥିତିରେ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ଉଭୟ ପାକିସ୍ତାନ ଓ ଇରାନ ସରକାରଙ୍କୁ ସଂଯମତା ଅବଲମ୍ବନ କରିବାକୁ କହିଛନ୍ତି।
ହ୍ବାଇଟ୍ ହାଉସ ଜାତୀୟ ସୁରକ୍ଷା ପରିଷଦର ପ୍ରବକ୍ତା ଜନ କିର୍ବି କହିଛନ୍ତି, ଆମେରିକା ଅତି ନିକଟରୁ ପରିସ୍ଥିତି ଅନୁଧ୍ୟାନ କରୁଛି। ପାକିସ୍ତାନୀ ଅଧିକାରୀଙ୍କ ସହିତ ଯୋଗାଯୋଗ ମଧ୍ୟ ରହିଛି। ଉଭୟ ଦେଶ ପାଖରେ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଥିବାରୁ ସଂଯମତା ଅବଲମ୍ବନ ଜରୁରୀ ବୋଲି ସେ କହିଛନ୍ତି। ୟେମେନରେ ହୁତି ବିଦ୍ରୋହୀଙ୍କୁ ଇରାନ ସମର୍ଥନ କରୁଥିବାରୁ ଆମେରିକା ଏହି ଦେଶ ଉପରେ ଖପ୍ପା ରହିଛି। ଇରାନ ପାକିସ୍ତାନ ଅନ୍ତର୍ଗତ ବାଲୁଚିସ୍ତାନରେ ମଙ୍ଗଳବାର ଆକ୍ରମଣ କରିଥିଲା।