ୱାସିଂଟନ: ଇରାନର ଅର୍ଥନୀତି ଭୁଶୁଡ଼ିବା ତଥା ରାଜନୈତିକ ଦମନ ଉପରେ କ୍ରୋଧିତ ପ୍ରଦର୍ଶନକାରୀଙ୍କ ଉପରେ ଇରାନୀ କର୍ତ୍ତୃପକ୍ଷ ସେମାନଙ୍କ କାର୍ଯ୍ୟାନୁଷ୍ଠାନ ତୀବ୍ର କରିଛନ୍ତି। ଇରାନରେ ସରକାର ବିରୋଧୀ ଆନ୍ଦୋଳନ ଯୋଗୁ ଗତ ଦୁଇ ସପ୍ତାହରେ ୨,୪୦୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଇରାନ ସରକାରୀ ବିରୋଧୀ ପ୍ରଦର୍ଶନରେ ସାମିଲ ୨୬ ବର୍ଷୀୟ ଇର୍ଫାନ ସୁଲତାନୀଙ୍କୁ ଆଜି ଫାଶୀ ଦେଇପାରେ। ଇର୍ଫାନ ସୁଲତାନୀଙ୍କୁ ୮ ଜାନୁଆରୀରେ ଗିରଫ କରାଯାଇଥିଲା। ହିଂସାକୁ ଉସୁକାଇବା ଅଭିଯୋଗରେ ଇରାନ ତାଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛି।
ପରିବାର ସହିତ ଭେଟିବାକୁ ୧୦ ମିନିଟ ସମୟ ଦିଆଯିବ
ଇରାନ ପକ୍ଷରୁ ଇର୍ଫାନ ସୁଲତାନୀଙ୍କ ସମ୍ପର୍କରେ କୁହାଯାଇଛି ଯେ, ଆଗକୁ ଏହି ମାମଲାରେ କୌଣସି ବିଚାର କରାଯିବ ନାହିଁ ଓ ପରିବାରକୁ ଶେଷଥର ପାଇଁ ତାଙ୍କ ସହିତ ଭେଟିବାକୁ ୧୦ ମିନିଟ ସମୟ ଦିଆଯିବ। ଆନ୍ଦୋଳନକାରୀଙ୍କ ଉପରେ ଇରାନ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୃଢ଼ ବିରୋଧ କରିଛନ୍ତି। ବିକ୍ଷୋଭକାରୀଙ୍କ ମୃତ୍ୟୁଦଣ୍ଡ ଦିଆଗଲେ ତେହେରାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଟ୍ରମ୍ପ ଚେତାବନୀ ଦେଇଛନ୍ତି। ମଙ୍ଗଳବାର ସିବିଏସସ୍ ନ୍ୟୁଜକୁ ଟ୍ରମ୍ପ କହିଥିଲେ, ଇରାନ ଯଦି ବିକ୍ଷୋଭକାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ଆରମ୍ଭ କରେ ତାହାହେଲେ ଆମେରିକା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଟ୍ରମ୍ପଙ୍କ ଚେତାବନୀର ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ଇରାନ ନେତୃବୃନ୍ଦ। ଇରାନର ଜାତୀୟ ସୁରକ୍ଷା ମୁଖ୍ୟ ଅଲି ଲାରିଜାନି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଇରାନ ଲୋକଙ୍କର ମୁଖ୍ୟ ହତ୍ୟାକାରୀ ବୋଲି କହିଛନ୍ତି।
ଇରାନ ଲୋକଙ୍କ ମୁଖ୍ୟ ହତ୍ୟାକାରୀ ହେଲେ ଟ୍ରମ୍ପ-ନେତାନ୍ୟାହୁ
ଟ୍ରମ୍ପ ଇରାନ ଲୋକଙ୍କୁ ସରକାରୀ ପ୍ରତିଷ୍ଠାନ ଦଖଲ କରିବାକୁ କହିବାର କିଛି ଘଣ୍ଟା ପରେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଇରାନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ରଖାଯାଇଥିଲା। ଇରାନ ସଂସଦର ପୂର୍ବତନ ବାଚସ୍ପତି ତଥା ଇରାନ ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସମ୍ପାଦକ ଅଲି ଲାରିଜାନି ‘ଏକ୍ସ’ରେ ଏକ ପୋଷ୍ଟରେ ଲେଖିଛନ୍ତି, ଇରାନ ଲୋକଙ୍କ ମୁଖ୍ୟ ହତ୍ୟାକାରୀଙ୍କ ନାଁ ଆମେ ଘୋଷଣା କରୁଛୁ, ୧-ଟ୍ରମ୍ପ, ୨- ନେତାନ୍ୟାହୁ। ଇରାନରେ ଯେଉଁ ଅସନ୍ତୋଷ ଦେଖାଯାଇଛି ଓ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି ସେଥିପାଇଁ ୱାସିଂଟନ ଓ ତେଲ ଅଭିଭ ଇନ୍ଧନ ଯୋଗାଉଛନ୍ତି ବୋଲି ଲାରିଜାନି ଉଲ୍ଲେଖ କରିଛନ୍ତି।
ଜାତିସଂଘରେ ଇରାନ ରାଷ୍ଟ୍ରଦୂତ ଆମିର ସୟିଦ ଇରାଭନି ମଧ୍ୟ ଇରାନରେ ହିଂସା ତଥା ରାଜନୈତିକ ଅସ୍ଥିରତା ସୃଷ୍ଟି ପାଇଁ ଟ୍ରମ୍ପଙ୍କୁ ଦାୟୀ କରିଛନ୍ତି। ଏହା ତେହେରାନର ସାର୍ବଭୌମ୍ୟ ତଥା ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି ଇରାଭନି କହିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦକୁ ଏକ ଚିଠି ଲେଖି ଇରାଭାନି ତେହେରାନରେ ନାଗରିକଙ୍କ ମୃତ୍ୟୁ ପାଇଁ ଆମେରିକା ଓ ଇସ୍ରାଏଲ ଦାୟୀ କରିଛନ୍ତି। ଟ୍ରମ୍ପଙ୍କ ସୋସିଆଲ ମିଡିଆ ପୋଷ୍ଟର ଜବାବରେ ଏହି ଚିଠି ଇରାନ ପକ୍ଷରୁ ଲେଖାଯାଇଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ଙ୍କୁ ମଧ୍ୟ ଏହି ଚିଠି ଲେଖାଯାଇଛି।
ରୁଷର ବିରୋଧ
ରୁଷ୍ ମଧ୍ୟ ଆମେରିକାର ଧମକକୁ ବିରୋଧ କରିଛି। ଇରାନର ଆଭ୍ୟନ୍ତରୀଣ ରାଜନୀତି ବିରୋଧରେ ଆମେରିକାର ଏହା ବିଧ୍ବଂସକାରୀ ବାହ୍ୟ ହସ୍ତକ୍ଷେପ ବୋଲି ରୁଷ୍ କହିଛି। ଇରାନ ବିରୋଧରେ ଆମେରିକାର ଆକ୍ରମଣ ଧମକ ଗ୍ରହଣଯୋଗ୍ୟ ନୁହେ ବୋଲି ରୁଷ୍ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି। ଇରାନରେ ମୃତ ପ୍ରଦର୍ଶନକାରୀ ମଧ୍ୟରେ ୧୮ ବର୍ଷରୁ କମ୍ ୧୨ ଜଣ ଅଛନ୍ତି।
ଆହୁରି ପଢ଼ନ୍ତୁ: Thailand Crane Collapse On Train: ଥାଇଲାଣ୍ଡରେ ଚଳନ୍ତା ଟ୍ରେନ ଉପରେ ଖସିଲା କ୍ରେନ୍: ୨୨ ମୃତ, ୩୦ ରୁ ଅଧିକ ଆହତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/01/14/protester-2026-01-14-12-30-50.jpg)