‘ଅଜାଣତ’ରେ ୟୁକ୍ରେନ୍‌ ବିମାନକୁ କ୍ଷେପଣାସ୍ତ୍ର ମାରି ଖସାଇଥିବା କଥା ସ୍ୱୀକାର କଲା ଇରାନ୍‌

ତେହେରାନ୍‌: ‘ଅଜାଣତ’ରେ ତା’ର ସୈନିକମାନେ ୟୁକ୍ରେନୀୟ ଯାତ୍ରୀବାହୀ ବିମାନକୁ କ୍ଷେପଣାସ୍ତ୍ର ମାରି ଖସାଇ ଦେଇଥିବା କଥା ଶନିବାର ଦିନ ଇରାନ୍‌ ଘୋଷଣା କରିଛି। ଏହି ବିମାନରେ ଥିବା ୧୭୬ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।

ଶନିବାର ସକାଳେ ଇରାନ୍‌ ଏ ବିଷୟରେ ବିବୃତି ଦେବା ସହ ଏଥିପାଇଁ ‘ମାନବୀୟ ତ୍ରୁଟି’କୁ ଦାୟୀ କରିଛି।

ଟୁଇଟ୍‌ କରି ଇରାନ୍‌ର ବୈଦେଶିକ ମନ୍ତ୍ରୀ ଜାେଓ୍ଵଦ୍‌ ଜାଫ୍ରି ଲେଖିଛନ୍ତି: ଦୁଃଖଦାୟକ ଦିବସ। ସଶସ୍ତ୍ର ବାହିନୀର ଅଭ୍ୟନ୍ତରୀଣ ତଦନ୍ତର ପ୍ରାଥମିକ ସୂଚନା ଅନୁସାରେ: ଯୁକ୍ତରାଷ୍ଟ୍ର ଆମେରିକାର ଆକ୍ରମଣ ସମୟରେ ଉପୁଜିଥିବା ସଙ୍କଟ ଜନିତ ମାନବିକ ତ୍ରୁଟି ଯୋଗୁଁ ଏ ଭଳି ଦୁର୍ବିପାକ ଘଟିଲା। ଆମ ଦେଶବାସୀ, ସମସ୍ତ ମୃତବ୍ୟକ୍ତିଙ୍କ ପରିବାର ଏବଂ ଏଥିରେ ପ୍ରଭାବିତ ଅନ୍ୟାନ୍ୟ ଦେଶମାନଙ୍କ ନିକଟରେ ଆମେ ଗଭୀର ଦୁଃଖ ପ୍ରକାଶ କରିବା ସହ କ୍ଷମାଯାଚନା କରୁଛୁ ଏବଂ ମୃତବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ଶୋକବାର୍ତ୍ତା ଜଣାଉଛୁ।

ୟୁକ୍ରେନିୟାନ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ଲାଇନ୍‌ସ୍‌ର ଯାତ୍ରୀବାହୀ ବିମାନ ବୋଇଙ୍ଗ୍‌ ୭୩୭ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ତେହେରାନ୍‌ ଉପକଣ୍ଠ ଆକାଶରେ ପୋଡ଼ି ଯାଇ ତଳକୁ ଖସିପଡ଼ିଥିଲା।

Image Courtesy of The Times of India

କ୍ଷେପଣାସ୍ତ୍ର ନିକ୍ଷେପ ଯୋଗୁଁ ବିମାନଟି ଖସିପଡ଼ିଥିବା କଥାକୁ କିଛି ଦିନ ଧରି ଇରାନ୍‌ ଅସ୍ୱୀକାର କରି ଆସୁଥିଲା। ଗୁଇନ୍ଦା ସୂତ୍ରକୁ ଆଧାର କରି ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡା କହିଥିଲେ କି, ଇରାନ୍‌ ହିଁ କ୍ଷେପଣାସ୍ତ୍ର ମାରି ବିମାନଟିକୁ ଖସାଇ ଦେଇଛି।

୧୬୭ଜଣ ଯାତ୍ରୀ ଓ ୯ଜଣ ବିମାନ ପରିଚାରକଙ୍କୁ ନେଇ ବିମାନଟି ୟୁକ୍ରେନୀୟ ରାଜଧାନୀ କିବ୍‌କୁ ଯାଉଥିଲା। ଯାତ୍ରୀମାନଙ୍କ ମଧ୍ୟରେ ଥିଲେ ୮୨ ଜଣ ଇରାନୀୟ, ଅନ୍ୟୂନ ୬୩ଜଣ କାନଡୀୟ ଏବଂ ୧୧ଜଣ ୟୁକ୍ରେନୀୟ।

ସମ୍ବନ୍ଧିତ ଖବର