ୱାସିଂଟନ: ଓମାନ ଉପସାଗରରେ ଇରାନୀୟ ନୌସେନାକମାଣ୍ଡରମାନେ ହେଲିକପ୍ଟରରେ ଆସି ଏକ ଆମେରିକାଗାମୀ ତୈଳ ଟ୍ୟାଙ୍କରକୁ ଗୁରୁବାର ଜବତ କରିଛନ୍ତି। ଏହି ଜାହାଜରେ ୨୪ ଜଣ ଭାରତୀୟ କର୍ମଚାରୀ ଥିଲେ ବୋଲି ଶୁକ୍ରବାର ଇରାନୀ ସରକାରୀ ଟେଲିଭିଜନ ବାର୍ତ୍ତାରେ ପ୍ରକାଶ କରାଯାଇଛି। ତ୍ବରାନ୍ବିତ ଆଣବିକ କାର୍ଯ୍ୟକ୍ରମ ପାଇଁ ଆମେରିକା ସହ ଉତ୍ତେଜନା ଲାଗି ରହିଥିବା ବେଳେ ତୁର୍କୀ-ପରିଚାଳିତ ଓ ଚୀନ୍ ମାଲିକାନାରେ ଥିବା ଆଡ୍ଭେଣ୍ଟେଜ୍ ସ୍ବିଟ୍ ଜାହାଜକୁ ଇରାନ ଜବତ କରିଛି।
ତୁର୍କୀର ଆଡ୍ଭେଣ୍ଟେଜ୍ ଟ୍ୟାଙ୍କର୍ସ ନାମକ ଏକ ସଂସ୍ଥା ଏହି ଜାହାଜର ପରିଚାଳନା କରୁଥିଲା, ଯେଉଁଥିରେ ୨୪ ଜଣ ଭାରତୀୟ କର୍ମଚାରୀ ଥିଲେ। ଜାହାଜକୁ ନେଇ ଇରାନର ଏକ ବନ୍ଦରରେ ରଖାଯାଇଛି। ତେହେରାନ ପକ୍ଷରୁ କୁହାଯାଇଛି ଯେ, ଜାହାଜଟି ଆଉ ଏକ ଇରାନୀ ଜାହାଜ ଆଡ଼କୁ ମାଡ଼ିଯାଉଥିବାରୁ ତାହାକୁ ଜବତ କରାଯାଇଛି। କିନ୍ତୁ ଏ ବାବଦରେ ଇରାନ କୌଣସି ପ୍ରମାଣ ଦେଇନାହିଁ। ଗତ ୨ ବର୍ଷ ଭିତରେ ଆମେରିକାର ୫ଟି ବାଣିଜ୍ୟିକ ଜାହାଜକୁ ତେହେରାନ ଜବତ କରିସାରିଲାଣି।