ୟୁକ୍ରେନର ଯାତ୍ରୀବାହୀ ବିମାନକୁ ଇରାନ କ୍ଷେପଣାସ୍ତ୍ର ମାରି ଖସାଇଦେଇଥିବା ସଂଦେହ

ଦୁବାଇ : ମଧ୍ୟପ୍ରାଚ୍ୟରେ ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ବଢିଚାଲିଥିବା ମଧ୍ୟରେ ୟୁକ୍ରେନର ଏକ ଯାତ୍ରୀବାହୀ ବିମାନ ତେହେରାନଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଆକାଶରେ ଜଳିଯିବାରୁ ଏଥିରେ ଥିବା ୧୬୭ ଜଣ ଯାତ୍ରୀ ନିହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣାକୁ ନେଇ ସଂଦେହ ବଢିବାରେ ଲାଗିଛି ।

ଯାନ୍ତ୍ରିକ ତ୍ରୁଟି କାରଣରୁ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଥିବା ବେଳେ ପ୍ରକୃତ ସତ ଅଲଗା ବୋଲି ସଂଦେହ କରାଯାଉଛି । ଇରାନ ଦ୍ୱାରା ଆମେରିକା ସେନାଘାଟୀ ଉପରେ ଆକ୍ରମଣ କରାଯିବାର କିଛି ଘଣ୍ଟା ମଧ୍ୟରେ ଏହି ଦୁର୍ଘଟଣା ହୋଇଥିବାରୁ ସଂଦେହ ବଢିଯାଇଛି ।
ଏହା ଏକ ଦୁର୍ଘଟଣା ନୁହେଁ ବୋଲି ଆରବର କେତେକ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛନ୍ତି । ଜୋର୍ଡାନର ଲୋକପ୍ରିୟ ନ୍ୟୁଜ ପୋର୍ଟାଲ ଅଲ ହଦିଥ୍‌ କହିଛି ଯେ ଇରାନର ଏୟାର ଡିଫେନ୍ସ ବାହିନୀ ଦ୍ୱାରା ଭୁଲରେ ଶତ୍ରୁପକ୍ଷର ବିମାନଭାବି ଏହା ବିମାନକୁ ଖସାଇଦିଆଯାଇଥିଲା । ତେବେ ଉଭୟ ଇରାନ ଓ ୟୁକ୍ରେନ ପକ୍ଷରୁ ଏହି ଖବରକୁ ଏପର୍ଯ୍ୟନ୍ତ ସ୍ୱୀକାର କରାଯାଇନାହିଁ । ଆହୁରି ମଧ୍ୟ ଜଣାଯାଇଛି ଯେ ଗତ ୬ ତାରିଖରେ ଏହି ବିମାନର ନିୟମିତ ବୈଷୟିକ ଯାଞ୍ଚ ହୋଇଥିଲା, ଯେଉଁଥିରେ ଏହି ବିମାନରେ କୌଣସି ତ୍ରୁଟି ନଥିବା ଜଣାପଡ଼ିଥିଲା ।

ସୂଚନାଯୋଗ୍ୟ ଯେ ବୁଧବାର ଦିନ ଭୋର ସମୟରେ ଇରାନ ପକ୍ଷରୁ ଇରାକରେ ଥିବା ଆମେରିକୀୟ ସେନା ଘାଟି ଉପରେ ମିସାଇଲ ମାଡ଼ କରାଯାଇଛି । ଏଥିରେ ୮୦ ଜଣ ଆମେରିକୀୟ ସୈନିକ ନିହତ ହୋଇଛନ୍ତି ବୋଲି ଇରାନ ଦାବି କରୁଥିବାବେଳେ ଆମେରିକା ଏହାକୁ ଅସ୍ୱୀକାର କରିଛି ।

ସମ୍ବନ୍ଧିତ ଖବର