ୟୁକ୍ରେନ୍‌ ବିମାନକୁ ଇରାନ୍‌ ହିଁ ଖସାଇଛି: ଆମେରିକା

ତେହେରାନ: ଇରାନ୍‌ର ରାଜଧାନୀ ତେହେରାନ୍‌ରେ ଗତକାଲି ୟୁକ୍ରେନ୍‌ର ଯାତ୍ରୀବାହୀ ବିମାନ ଦୁର୍ଘଟଣା ପଛରେ ଇରାନ୍‌ର ହାତ ରହିଛି। ଇରାନ୍‌ ଭୁଲ୍‌ରେ ବିମାନକୁ ଟାର୍ଗେଟ୍‌ କରି କ୍ଷେପଣାସ୍ତ୍ର ମାଡ଼ କରିବାରୁ ମାନଟି ଆକାଶରେ ଜଳି ଯାଇଥିଲା ବୋଲି ଆମେରିକାର ଦୁଇ ଜଣ ବରିଷ୍ଠ ଅଧିକାରୀ କହିଛନ୍ତି। ବିମାନ ଚଳାଚଳ କ୍ଷେତ୍ରର ବିଶେଷଜ୍ଞମାନେ ମଧ୍ୟ କହିଛନ୍ତି ଯେ ବିମାନଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣାର ଶିକାର ହୋଇନାହିଁ ଏବଂ ଏହା ପଛରେ ଅନ୍ୟ କାରଣ ରହିଛି।

ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ମଧ୍ୟ ବିମାନ ଦୁର୍ଘଟଣା ପଛରେ ଇରାନ୍‌ର ଭୂମିକା ଥିବା ନେଇ ସନ୍ଦେହ ପ୍ରକଟ କରିଛନ୍ତି। ଆମେରିକା ଏବଂ ଇରାନ୍‌ ମଧ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବା ବେଳେ ଗତକାଲି ଇରାନ୍‌ରେ ଘଟିଥିବା ୟୁକ୍ରେନ୍‌ ଯାତ୍ରୀ ବିମାନ ଦୁର୍ଘଟଣା ଏବେ ବି ରହସ୍ୟ ଘେରରେ ରହିଛି। ଏହି ଦୁର୍ଘଟଣାରେ ୧୭୬ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ତଦନ୍ତ ପାଇଁ ଇରାନ୍‌ ସରକାର ବ୍ଲାକ୍‌ ବକ୍ସ ଦେବନାହିଁ ବୋଲି ଘୋଷଣା କରିଥିବାରୁ ଆଜି ୟୁକ୍ରୋନ୍‌ ଏହାର ଜୋର୍‌ଦାର ବିରୋଧ କରିଛି ଏବଂ ଅନ୍ତର୍ଜାତୀୟ ସମୁଦାୟର ସହାୟତା ଲୋଡ଼ିଛି। ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସିବା ପୂର୍ବରୁ ହିଁ ଆକାଶରେ ହିଁ ଅଗ୍ନି ପିଣ୍ଡୁଳାରେ ପରିଣତ ହୋଇଥିବାରୁ ଏହା ରକେଟ୍‌ କିମ୍ବା ବିମାନ ବିଧ୍ବଂସୀ କ୍ଷେପଣାସ୍ତ୍ର ଆକ୍ରମଣର ଶିକାର ହୋଇଥିବା ଆଶଙ୍କା କରାଯାଉଛି। ଦୁର୍ଘଟଣାଗ୍ରସ୍ତ ୟୁକ୍ରେନ୍‌ର ବୋଇଂ ୭୩୭ ବିମାନର ୩ଦିନ ତଳେ ଯାଞ୍ଚ ହୋଇଥିଲା ଏବଂ ବିମାନରେ ସାମାନ୍ୟତମ ବୈଷୟକ ତ୍ରୁଟି ନଥିଲା ବୋଲି ୟୁକ୍ରେନ୍‌ କହିଛି।

ସମ୍ବନ୍ଧିତ ଖବର