କରୋନା ସଂକ୍ରମଣ ରୋକିବାକୁ ୫୪ ହଜାର କଏଦୀଙ୍କୁ ସାମୟିକଭାବେ ମୁକ୍ତ କଲା ଇରାନ

ତେହେରାନ : ଇରାନରେ କରୋନା ଭାଇରସ ଚିନ୍ତାଜନକ ବେଗରେ ବଢିଚାଲିଛି । ଏହି ପଶ୍ଚିମ-ଏସୀୟ ଦେଶରେ ମୃତ୍ୟୁସଂଖ୍ୟା ୭୭ ରେ ପହଞ୍ଚିଥିବାବେଳେ ୨୩୩୬ ଜଣ ସଂକ୍ରମିତ ହୋଇଛନ୍ତି । ତେବେ ଇରାନର ଏହି ସଂକଟ କିଛି ଲୋକଙ୍କ ପାଇଁ ଖୁସିଖବର ଆଣିଦେଇଛି । ଇରାନର ବିଭିନ୍ନ ଜେଲରେ ଥିବା ହଜାର ହଜାର ବନ୍ଦୀମାନଙ୍କ ପାଇଁ କରୋନା ଭାଇରସ କିଛିଟା ଆନନ୍ଦ ଆଣିଦେଇଛି । କାରଣ ଇରାନ ସରକାର ସେମାନଙ୍କୁ ସାମୟିକ ଭାବେ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ବିବିସିର ରିପୋର୍ଟ ଅନୁସାରେ ଇରାନର ବିଚାରବିଭାଗ ଦେଶର ବିଭିନ୍ନ ଜେଲରେ ବନ୍ଦୀ ଥିବା ୫୪ ହଜାର ଲୋକଙ୍କୁ ପ୍ୟାରୋଲ ଦେଇ ସାମୟିକଭାବେ ମୁକ୍ତ କରିଛନ୍ତି । ସେମାନଙ୍କୁ ମୁକ୍ତ କରିବା ପୂର୍ବରୁ ସେମାନଙ୍କ ରକ୍ତ ପରୀକ୍ଷା କରାଯାଇଥିଲା । ଏଥିରେ ସେମାନେ ସଂକ୍ରମିତ ହୋଇନଥିବା ଜଣାପଡ଼ିଛି ।

କରୋନା ଭାଇରସ ସ୍ଥିତିରେ ଉନ୍ନତି ଆସିବା ପରେ ସେମାନଙ୍କୁ ପୁଣି ଜେଲକୁ ଫେରିବାକୁ ହେବ । ତେବେ ଏହି ସୁବିଧା କେବଳ ୫ ବର୍ଷରୁ କମ ଅବଧିର କାରାଦଣ୍ଡ ଭୋଗୁଥିବା ଲୋକମାନଙ୍କ ପାଇଁ ଲାଗୁ ହୋଇଛି । ୫ ବର୍ଷରୁ ଅଧିକ ସମୟର କାରାଦାଣ୍ଡ ଭୋଗୁଥିବା କଏଦୀମାନେ ପୂର୍ବବତ୍‌ ଜେଲରେ ରହିବେ । ଇରାନ ଜେଲରେ ବନ୍ଦୀ ଥିବା ବ୍ରିଟିଶ-ଇରାନୀ ସମାଜସେବୀ ନାଜାନିନ ରେଟକ୍ଲିଫଙ୍କୁ ମଧ୍ୟ ଆସନ୍ତା କାଲି ଖଲାସ କରାଯିବ ।

ସମ୍ବନ୍ଧିତ ଖବର