ତେହରାନ:  ଇରାନ ସହାୟତାରେ  ଏକ ବିଶାଳ  ତଥା ଶକ୍ତିଶାଳୀ ସାମରିକ ସଂଗଠନ ପାଲଟିଥିବା ହେଜବୁଲ୍ଲାକୁ ମୂଳପୋଛ କରିବା ପାଇଁ ଏବେ ଇସ୍ରାଏଲ ନିର୍ଣ୍ଣାୟକ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଛି। ଇତିମଧ୍ୟରେ ଇସ୍ରାଏଲ ‘ଅପରେସନ୍ ନ୍ୟୁ ଅର୍ଡର’ ଅଧୀନରେ ଏହି ବିପଜ୍ଜନକ ଆତଙ୍କବାଦୀ ସଂଗଠନର ମୁଖ୍ୟ ହସନ ନସ୍‌ରଲ୍ଲା ନିପାତ ହୋଇଥିବାରୁ ଏବେ ତା’ର ଉତ୍ତରାଧିକାରୀ ଖୋଜା ଚାଲିଛି। ନସ୍‌ରଲ୍ଲା ସମେତ ଦଳର ସମସ୍ତ ପ୍ରମୁଖ କମାଣ୍ଡରମାନଙ୍କ ମୃତ୍ୟୁ ଇରାନକୁ ମଧ୍ୟ ସ୍ତବ୍ଧ କରିଦେଇଛି। ଇରାନର ସର୍ବୋଚ୍ଚ ନେତା ଅଲି ଖେମିନି ଏବେ ଇସ୍‌ଲାମିକ ଦେଶ  ଏକଜୁଟ ହୋଇ ଇସ୍ରାଏଲକୁ ରୋକିବାକୁ ଆହ୍ବାନ ଦେଉଥିଲେ ମଧ୍ୟ  ନିଜେ ଭୟରେ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ଗତରାତିରେ ୨ଟି ଶକ୍ତିଶାଳୀ କ୍ଷେପଣାସ୍ତ୍ର ଏବଂ ପ୍ରାୟ ୮୦ ଟନ୍‌ ଓଜନର ବଙ୍କର ବିଧ୍ବଂସୀ ବୋମା ବ୍ୟବହାର କରି ବେରୁତରେ ଧ୍ବଂସଲୀଳା ରଚାଇଥିବା ଇସ୍ରାଏଲ ଆଗକୁ ମଧ୍ୟ ଆକ୍ରମଣ ଜାରି ରଖିବାକୁ ସଙ୍କେତ ଦେଇଛି। 

Advertisment

ଇସ୍ରାଏଲର ଘାତଶକ୍ତି ଏବେ ଇରାନ, ସିରିୟା, ଇରାକ୍‌ ଓ ୟେମେନରେ ଆତଙ୍କ ସୃଷ୍ଟି କରିଛି।  ସୂଚନାଯୋଗ୍ୟ, ହେଜବୁଲ୍ଲା ମୁଖ୍ୟ ନସ୍‌ରଲ୍ଲା ନିହତ ହେବା ପୂର୍ବରୁ ମଧ୍ୟ ଅଧିକାଂଶ ଶୀର୍ଷ କମାଣ୍ଡର ଇସ୍ରାଏଲ ଆକ୍ରମଣର ଶିକାର ହୋଇଥିଲେ। ଏବେ ନସ୍‌ରଲ୍ଲା ସମେତ ୧୨ ନେତାଙ୍କ ନିପାତ ପରେ ହେଜବୁଲ୍ଲାର ନେତୃତ୍ବ କିଏ ନେବ ତାହାକୁ ନେଇ ଚର୍ଚ୍ଚା ଚାଲିଛି।

ସୂଚନାଯୋଗ୍ୟ, ଚଳିତ ସଂଘର୍ଷରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌)ର ପ୍ରଥମ ଶିକାର ହୋଇଥିଲା ହେଜବୁଲ୍ଲାର ଅପରେସନ୍‌ ମୁଖ୍ୟ ଇବ୍ରାହିମ୍ ଅକିଲ। ଏହାପରେ ମହମ୍ମଦ କାବିସି (କ୍ଷେପଣାସ୍ତ୍ର ଏବଂ ରକେଟ୍‌ ୟୁନିଟ୍ ହେଡ୍), ଫୌଦ ଶୁକ୍ରା (ହେଜବୁଲ୍ଲାର ମୁଖ୍ୟ କମାଣ୍ଡର) ଓ  ଅଲ୍ କାରାକି (ଦକ୍ଷିଣ ମୋର୍ଚ୍ଚା  କମାଣ୍ଡର)ଙ୍କୁ ଇସ୍ରାଏଲ ନିପାତ କରିଥିଲା।  ସଂଗଠନର ଦ୍ବିତୀୟ ଧାଡ଼ିର ନେତାଙ୍କୁ ମଧ୍ୟ ଇସ୍ରାଏଲ ମୂଳପୋଛ କରିଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି  ୱିସାମ ଅଲ-ତାଭିଲ , ଅବୁ ହାସନ ସମୀର ( ପ୍ରଶିକ୍ଷଣ ମୁଖ୍ୟ), ମହମ୍ମଦ ହୁସେନ ସାଉର (ଏରିଏଲ  କମାଣ୍ଡର), ସାମି ତାଲେବ ଅବଦୁଲ୍ଲା ( ୟୁନିଟ୍ କମାଣ୍ଡର) ଏବଂ  ମହମ୍ମଦ ନାସିର ( ୟୁନିଟ୍ କମାଣ୍ଡର)। ଏଭଳି ଭାବେ ଆଇଡିଏଫ ହେଜବୁଲ୍ଲାର ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି।

ହସନ ନସ୍‌ରଲ୍ଲା କିଏ?
ତିନି ଦଶନ୍ଧିରୁ ଅଧିକ ସମୟ ଧରି ଇରାନର ପୂର୍ଣ୍ଣ ସମର୍ଥନରେ ହେଜବୁଲ୍ଲାର ନେତୃତ୍ୱ ନେଇଥିବା ହସନ ନସରଲ୍ଲାକୁ ଇସ୍ରାଏଲ ନିପାତ କରି ସମଗ୍ର ମଧ୍ୟପ୍ରାଚ୍ୟକୁ ଏକ କଡ଼ା ବାର୍ତ୍ତା ଦେଇଛି। ଜଣେ ପରିବା ବିକ୍ରେତାଙ୍କ ପୁଅ ନସ୍‌ରଲ୍ଲା ଇସ୍ରାଏଲ ବିରୋଧରେ ଲଗାତାର ଘୃଣା  ପ୍ରସାର କରି  ଯେଉଁ ବିଶାଳ ସାମରିକ ସଂଗଠନ ଛିଡ଼ା କରିଥିଲା ଆଜି ତାହା ଛାରଖାର ସ୍ଥିତିକୁ ଆସିଯାଇଛି। ଏକ ସାଧାରଣ ମିଲିସିଆରୁ ଆରମ୍ଭ ହୋଇ କାଳକ୍ରମେ ଲେବାନନ୍‌ ସେନା ଠାରୁ ଅଧିକ ଶକ୍ତିଶାଳୀ ବାହିନୀରେ ପରିଣତ ହୋଇଥିବା ହେଜବୁଲ୍ଲା ପାଖରେ ଅସ୍ତ୍ରଶସ୍ତ୍ରର ଏକ ବିଶାଳ ଭଣ୍ଡାର  ରହିଛି। ୧୯୬୦ ମସିହାରେ ବେରୁତର ପୂର୍ବ ବୁର୍ଜ ହମ୍ମୁଦରେ ଜନ୍ମିତ ନସ୍‌ରଲ୍ଲା ନିଜ ୯ ଭାଇ ଭଉଣୀଙ୍କ ମଧ୍ୟରୁ ସବୁଠାରୁ ବଡ଼  ।

ନସ୍‌ରଲ୍ଲା ୧୯୭୫ ରେ ଅମଲ ଆନ୍ଦୋଳନ ନାମକ ଏକ ସିଆ ମିଲିସିଆରେ ଯୋଗ ଦେଇଥିଲା । ୭ ବର୍ଷ ପରେ ସେ ଏବଂ ଅନ୍ୟ ସଦସ୍ୟମାନେ ଏହି ସଙ୍ଗଠନରୁ ଅଲଗା ହୋଇ ଇସ୍‌ଲାମିକ ଅମଲ ନାମରେ ଆଉ ଏକ ସଂଗଠନ ତିଆରି କରିଥିଲେ। ୧୯୮୨ରେ ପାଲେଷ୍ଟାଇନ୍ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଇସ୍ରାଏଲ ଲେବାନନ୍ ଉପରେ ଆକ୍ରମଣ କରିଥିଲା। ଏହାପରେ ଇସ୍ରାଏଲ ବିରୋଧୀ ସଂଗଠନକୁ ସୁଦୃଢ଼ କରି ନସ୍‌ରଲ୍ଲା ନିଜର ପ୍ରଭାବ ବିସ୍ତାର କରିଥିଲା। ପରବର୍ତ୍ତୀ ସମୟରେ ହେଜବୁଲ୍ଲା ନାମରେ ଗଠନ ହୋଇଥିବା ସଂଗଠନକୁ ଇରାନର ରିଭୋଲ୍ୟୁସନରି ଗାର୍ଡପକ୍ଷରୁ ପର୍ଯ୍ୟାପ୍ତ ସାମରିକ ଓ ସାଂଗଠନିକ ସମର୍ଥନ ମିଳିଥିଲା। ଅଳ୍ପ ସମୟ ମଧ୍ୟରେ ହେଜବୁଲ୍ଲା ସବୁଠାରୁ ପ୍ରମୁଖ ସିଆ ମିଲିସିଆ ଭାବେ ଉଭା ହୋଇଥିଲା। ୧୯୮୫ ମସିହାରେ ହେଜବୁଲ୍ଲା ଆନୁଷ୍ଠାନିକ ଭାବେ ଏହାର ପ୍ରତିଷ୍ଠା ଘୋଷଣା କରିବା ସହ ଏକ ଖୋଲା ଚିଠି ପ୍ରକାଶ କରି ଇସ୍ରାଏଲକୁ ଧ୍ବଂସ କରିବା ପାଇଁ ଆହ୍ୱାନ ଦେଇଥିଲା। ୧୯୯୨ରେ ଇସ୍ରାଏଲର   ଆକ୍ରମଣରେ ହେଜବୁଲ୍ଲା ମୁଖ୍ୟ ଅବ୍ବାସ ଅଲ୍-ମୁସାଭି ନିହତ ହେବା ପରେ ୩୨ ବର୍ଷ ବୟସରେ ନସରଲ୍ଲା ଏହି ସଂଗଠନର ଦାୟିତ୍ୱ ନେଇଥିଲା।