ତେହେରାନ: ଇରାନରେ ସରକାର ବିରୋଧୀ ଆନ୍ଦୋଳନ ଚରମ ସୀମା‌ରେ ପହଞ୍ଚିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆନ୍ଦୋଳନକାରୀଙ୍କୁ ଉସୁକାଇ ଅତି ଜଟିଳ ସ୍ଥିତି ସୃଷ୍ଟି କରିଛନ୍ତି। ଇରାନର ରାଷ୍ଟ୍ରାୟତ ଟିଭିରେ ଏନେଇ ଏକ ‌ଚେତାବନୀ ଦିଆଯାଇଛି। ଟିଭିରେ ୨୦୨୪ରେ ଟ୍ରମ୍ପଙ୍କ ଉପରେ ପେନସିଲଭାନିଆରେ ହୋଇଥିବା ହତ୍ୟା ଉଦ୍ୟମର କ୍ଲିପ୍‌ ପ୍ଲେ କରାଯାଇଛି ଏବଂ କୁହାଯାଇଛି ଯେ ଚଳିତ ଥର ଗୁଳି ଆଉ ଟାର୍ଗେଟ୍‌ ମିସ୍‌ କରିବନି। ଚଳିତ ଥର ଠିକ୍‌ ଜାଗାରେ ଗୁଳି ବାଜିବ। 

Advertisment

ଉଲ୍ଲେଖଯୋଗ୍ୟ ଯେ ୨୦୨୪ ଜୁଲାଇ ୧୩ ତାରିଖରେ ଟ୍ରମ୍ପଙ୍କ ଉପରେ ହତ୍ୟା ଉଦ୍ୟମ ହୋଇଥିଲା। ପେନସିଲଭାନିଆର ବୁଟଲେରରେ ‌ସେ ଏକ ପ୍ରଚାର ରୢାଲିରେ ଥିବାବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। କିନ୍ତୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ଇରାନ ପ୍ରଥମ ଥର ପାଇଁ ଟ୍ରମ୍ପଙ୍କୁ ହତ୍ୟା ଧମକ ଦେଇନାହିଁ। ୨୦୨୧ରେ ମଧ୍ୟ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ଅଫିସ ତାଙ୍କୁ ହତ୍ୟା ଧମକ ଦେଇଥିଲେ। ଟ୍ରମ୍ପ ଏକ ଯୁଦ୍ଧଜାହାଜ ଛାୟା ତଳେ ଗଲ୍ଫ ଖେଳୁଥିବାର ଫଟୋ ପୋଷ୍ଟ୍‌ କରି ଏହି ଧମକ ଦିଆଯାଇଥିଲା। ୨୦୨୦ରେ ଏକ ଭୟଙ୍କର ଆକ୍ରମଣ ପାଇଁ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ଇରାନ ଟ୍ରମ୍ପଙ୍କୁ ଏହି ହତ୍ୟା ଧମକ ଦେଇଥିଲା।