ତେହେରାନ: ଗାଜା ଅଭିଯାନକୁ ବିରୋଧ କରି ଇରାନ ଇସ୍ରାଏଲକୁ ତୁହାକୁ ତୁହା ଧମକ ଦେଇଚାଲିଛି। ଇସ୍ରାଏଲ ଯଦି ‘ଯୁଦ୍ଧ ଅପରାଧ ଏବଂ ଗଣହତ୍ୟା’ ଜାରି ରଖେ, ତେବେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ଏବଂ ‘ସୁଦୂରପ୍ରସାରୀ ପରିଣାମ’ ଆସିପାରେ ବୋଲି ଇରାନ କହିଛି। ଇରାନର ଶୀର୍ଷ ଅଧିକାରୀମାନେ କହିଛନ୍ତି ଯେ, ତେହେରାନ ଏଥିରେ ହସ୍ତକ୍ଷେପ କରିବ ଏବଂ ଯଦି ଇସ୍ରାଏଲ ହମାସ୍ ନିୟନ୍ତ୍ରିତ ଗାଜାରେ ସ୍ଥଳ ଆକ୍ରମଣ କରେ ତେବେ ସେମାନେ ବିରାଟ ପ୍ରତିରୋଧକୁ ସାମ୍ନା କରିବେ। ଇରାନର ସରକାରୀ ଗଣମାଧ୍ୟମ ଅନୁଯାୟୀ, ଇରାନର ବୈଦେଶିକ ମନ୍ତ୍ରୀ ହୁସେନ ଅମିରାବ୍ଦୋଲାହିଆନ ଦୋହାରେ ହମାସ୍ ପଲିଟ୍ ବୁରୋ ମୁଖ୍ୟ ଇସମାଇଲ ହାନିୟେହଙ୍କ ସହ ସାକ୍ଷାତ କରିଛନ୍ତି।
ହମାସ୍ ବିରୋଧରେ ଲଢ଼େଇରେ ଇସ୍ରାଏଲକୁ ସମର୍ଥନ କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱିତୀୟ ବିମାନବାହୀ ଯୁଦ୍ଧ ଜାହାଜ ପଠାଇସାରିଛି। ୟୁଏସ୍ଏସ୍ ଡ୍ୱାଇଟ୍ ଡି ଆଇଜେନହାଓ୍ୱାର କ୍ୟାରିୟର ଷ୍ଟ୍ରାଇକ୍ ଗ୍ରୁପ୍ ପୂର୍ବ ଭୂମଧ୍ୟସାଗରରେ ପହଞ୍ଚିଛି। ସେପଟେ ଇସ୍ରାଏଲରେ ୨୯ ଜଣ ଆମେରିକୀୟଙ୍କ ମୃତ୍ୟୁ ହୋଇଥିବା କଥା ଆମେରିକାର ବୈଦେଶିକ ବିଭାଗ ସ୍ପଷ୍ଟ କରିଛି। ସଦ୍ୟତମ ହିସାବ ଅନୁଯାୟୀ, ପାଲେଷ୍ଟିନୀୟଙ୍କ ମୃତ୍ୟୁ ଗାଜାରେ ପୂର୍ବ ଯୁଦ୍ଧ ତୁଳନାରେ ଅଧିକ ହୋଇଛି। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ସଦ୍ୟତମ ସଂଘର୍ଷରେ ଅତି କମ୍ରେ ୨,୩୨୯ ପାଲେଷ୍ଟିନୀୟ ପ୍ରାଣ ହରାଇଛନ୍ତି। ୨୦୧୪ରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ହୋଇଥିବା ତୃତୀୟ ଯୁଦ୍ଧରେ ୨,୨୫୧ ପାଲେଷ୍ଟିନୀୟ ପ୍ରାଣ ହରାଇଥିଲେ। ଇସ୍ରାଏଲରେ ହମାସ ଆକ୍ରମଣରେ ୧,୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୩,୨୨୭ ଜଣ ଆହତ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ, ଇସ୍ରାଏଲ-ହାମାସ ଯୁଦ୍ଧକୁ ବ୍ୟାପିବାରୁ ରୋକିବା ପାଇଁ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଚୀନ୍ର ସହାୟତା ଲୋଡ଼ିଛନ୍ତି। ବ୍ଲିଙ୍କେନ୍ ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟିଙ୍କୁ ଫୋନ୍ କରି ଅନ୍ୟ ଦେଶ ଏବଂ ଗୋଷ୍ଠୀକୁ ସଂଘର୍ଷରେ ପ୍ରବେଶ କରିବାରୁ ରୋକିବାକୁ ଅନୁରୋଧ କରିଛନ୍ତି। ଏହା ସହିତ ବ୍ଲିଙ୍କେନ କହିଛନ୍ତି ଯେ ମଧ୍ୟପ୍ରାଚ୍ୟର ରାଷ୍ଟ୍ରମାନେ ଇସ୍ରାଏଲ-ହମାସ୍ ଯୁଦ୍ଧ ଅଧିକ ବ୍ୟାପକ ହେଉବୋଲି ଚାହୁନାହାନ୍ତି ଏବଂ ଏହା ଏକ ଭଲ ସଙ୍କେତ।