ଇସ୍ରାଏଲର ବନ୍ଦର ନଗରୀ ହାଇଫାକୁ ମାଟିରେ ମିଶାଇବାକୁ ଇରାନର ଧମକ

ତେହେରାନ : ଇରାନ ଉପରେ ଆକ୍ରମଣ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ଧମକର ଜବାବ ଦେଇଛି ତେହେରାନ । ଇରାନର ପୂର୍ବତନ ସେନାମୁଖ୍ୟ ମୋହସିନ ରାଜାଇ କହିଛନ୍ତି ଯେ ଆମେରିକା ଯଦି ଆକ୍ରମଣ କରେ ତେବେ ଇସ୍ରାଏଲ ଉପରେ ଭୟଙ୍କର ଆକ୍ରମଣ କରାଯିବ । ମୁଖ୍ୟତଃ ଇସ୍ରାଏଲର ବନ୍ଦର ନଗରୀ ହାଇଫା ଇରାନ ସେନାର ଟାର୍ଗେଟ୍‌ରେ ରହିଛି ବୋଲି ସେ କହିଛନ୍ତି ।

ରବିବାରଦିନ ଟ୍ରମ୍ପ କହିଥିଲେ ଯେ ଯଦି ଇରାନ ଆମେରିକୀୟ ଓ ଆମେରିକୀୟ ପ୍ରତିଷ୍ଠାନ ଉପରେ ଆକ୍ରମଣ କରେ ତେବେ ତାହାର ଭୟଙ୍କର ଓ ଦ୍ରୁତ ଜବାବ ଦିଆଯିବ । ଆକ୍ରମଣ କରିବାକୁ ଇରାନର ୫୨ଟି ସ୍ଥାନକୁ ଟାର୍ଗେଟ୍‌ କରାଯାଇଛି ବୋଲି ସେ କହିଥିଲେ ।

ରାଜାଇ କହିଛନ୍ତି ଯଦି ଆମେରିକା ଆକ୍ରମଣ କରେ ତେବେ ଏହା ନିଶ୍ଚିତଯେ ଇସ୍ରାଏଲର ବନ୍ଦର ନଗରୀ ହାଇଫାକୁ ଆକ୍ରମଣ କରି ମାଟିରେ ମିଶାଇ ଦିଆଯିବ । ଇସ୍ରାଏଲର ଅନ୍ୟ ସହର ଉପରେ ମଧ୍ୟ ଆକ୍ରମଣ କରାଯିବ । ସେ କହିଛନ୍ତି ଉପସାଗରୀୟ ଅଞ୍ଚଳରୁ ଆମେରିକା ନ ଯିବା ପର୍ଯ୍ୟନ୍ତ ଆକ୍ରମଣ କରାଯିବ । ସମଗ୍ର ବିଶ୍ୱ ଜାଣୁ ଯେ ଆମେରିକା ଏ ଅଞ୍ଚଳରୁ ଖୁବଶୀଘ୍ର ଯାଉଛି ।

ଗତ ଜାନୁଆରି ୩ ତାରିଖରେ ଆମେରିକା ଦ୍ୱାରା ଇରାନ ସେନାର କୁଦସ୍‌ ଫୋର୍ସ କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନିଙ୍କ ହତ୍ୟା ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର କଳାବାଦଲ ଦେଖାଦେଇଛି । ଏହାର କଠୋର ଜବାବ ଦିଆଯିବ ବୋଲି ଇରାନର ଧମକ ପରେ ଆମେରିକା ଇରାକରେ ଥିବା ନିଜ ନାଗରିକମାନଙ୍କୁ ଫେରିଆସିବାକୁ ନିର୍ଦ୍ଦେଶ ଦେଇଛି । ଏହା ସହିତ ମଧ୍ୟପ୍ରାଚ୍ୟ ଅଞ୍ଚଳକୁ ଅତିରିକ୍ତ ୩ ହଜାର ଯବାନ ପଠାଇଛି ଆମେରିକା ।

ସମ୍ବନ୍ଧିତ ଖବର