ତେହରାନ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭୟଙ୍କର ହେବାରେ ଲାଗିଛି। ଇରାନ-ଇସ୍ରାଏଲ ଯୁଦ୍ଧକୁ ୧୧ ଦିନ ବିତିଥିବାବେଳେ ଏହା କମିବା ପରିବର୍ତ୍ତେ ଉଗ୍ର ରୂପ ନେଇଛି। ଇରାନର ୩ଟି ପରମାଣୁ ଠିକଣାରେ ଆମେରିକା ଗତ ଶନିବାର ଆକ୍ରମଣ କରି ଧ୍ବଂସ କରିବାର ଦିନକ ପରେ ଇରାନ୍ ପ୍ରତିଶୋଧ ନେବା ଆରମ୍ଭ କରିଛି। କତର ଏବଂ ଇରାକରେ ଥିବା ଆମେରିକାର ସାମରିକ ଘାଟି ଉପରେ ଇରାନ କ୍ଷେପଣାସ୍ତ୍ର ମାଡ଼ ଆରମ୍ଭ କରିଦେଇଛି। କତର ରାଜଧାନୀ ଦୋହାସ୍ଥିତ ଆମେରିକାର ସାମରିକ ଘାଟି ଅଲ ଉଦେଦ୍ ଉପରେ ଇରାନ ଶକ୍ତିଶାଳୀ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହି ଘାଟି ଉପରେ ଇରାନ ୧୦ଟି କ୍ଷେପଣାସ୍ତ୍ର ମାଡ଼ କରିଛି। ସେହିଭଳି ଇରାକସ୍ଥିତ ଆମେରିକାର ସାମରିକ ଘାଟି ଉପରେ ମଧ୍ୟ ଇରାନ ଗୋଟିଏ କ୍ଷେପଣାସ୍ତ୍ର ମାଡ଼ କରିଛି ବୋଲି ଦାବି କରିଛି। ଅନ୍ୟପକ୍ଷରେ ଅଲ ଉଦେଦ୍ ଘାଟି ଉପରେ ଇରାନର ଆକ୍ରମଣକୁ ସଫଳତାର ସହ ପ୍ରତିହତ କରାଯାଇଛି ବୋଲି ଦୋହା ଦାବି କରିଛି। ଇରାନ ଆକ୍ରମଣକୁ ସିଧାସଳଖ ଜବାବ ଦେବା ଅଧିକାର କତରର ରହିଛି ବୋଲି ଏହି ଦେଶ କହିଛି।
କତର ରାଜଧାନୀ ଦୋହାରେ ଏକାଧିକ କ୍ଷେପଣାସ୍ତ୍ର ଆକ୍ରମଣର ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। କତରରେ ଇରାନ ଆକ୍ରମଣ କରିବା ପରେ ବାହାରିନ ଏହାର ବାୟୁସୀମାକୁ ଅସ୍ଥାୟୀଭାବେ ବନ୍ଦ କରିଦେଇଛି। କେବଳ କତର ନୁହେଁ, ସୁରକ୍ଷା ଦୃଷ୍ଟିରେ ରଖି ବାହାରିନ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ କୁଏତ ଭଳି ୪ଟି ଦେଶ ବର୍ତ୍ତମାନ ସୁଦ୍ଧା ସେମାନଙ୍କର ବାୟୁସୀମାକୁ ବନ୍ଦ ଘୋଷଣା କରିଛନ୍ତି। ଏଥିସହିତ ଏୟାର ଇଣ୍ଡିଆ ମଧ୍ୟପ୍ରାଚ୍ୟ ଉପର ଦେଇ ଏହାର ସମସ୍ତ ବିମାନ ଉଡ଼ାଣ ବାତିଲ କରିଛି। ତେବେ ଆମେରିକା ଘାଟି ଉପରେ ଆକ୍ରମଣ ପୂର୍ବରୁ କତରକୁ ସୂଚନା ଦିଆଯିବ ବୋଲି ଇରାନ କହିଛି। ଏଭଳି ସ୍ଥିତିରେ କତର ସ୍ଥିତ ସାମରିକ ଘାଟି ଉପରେ ଆକ୍ରମଣ ଫଳରେ କାହାରି ମୃତ୍ୟୁ ହୋଇ ନଥିବା ଆମେରିକାର ଜଣେ ଅଧିକାରୀ କହିଛନ୍ତି।
ବାୟୁସୀମା ବନ୍ଦ କଲେ ୪ ଦେଶ, ଭାରତୀୟମାନଙ୍କୁ ସତର୍କ ରହିବାକୁ ପରାମର୍ଶ
ଇରାନରେ ଆମେରିକା ଆକ୍ରମଣକୁ ପୁଟିନଙ୍କ ନିନ୍ଦା
ଇରାନର ଫୋର୍ଡୋ, ନାତାଞ୍ଜ ଏବଂ ଇସ୍ଫାହାନ ପରମାଣୁ କେନ୍ଦ୍ର ଉପରେ ଆମେରିକା କରିଥିବା ଆକ୍ରମଣର ଜବାବ ଦେବାକୁ ଯାଇ ଇରାକ ଏବଂ କତରରେ ଥିବା ଆମେରିକା ସାମରିକ ଘାଟି ବିରୋଧରେ ‘ଅପରେସନ୍ ବସରତ୍ ଅଲ୍ ଫତହ’ ଘୋଷଣା କରିଛି। କତରରେ ଇରାନ ଆକ୍ରମଣ ଉପରେ ସାଉଦି ଆରବ ପ୍ରତିକ୍ରିୟା ରଖିବା ସହ ନିନ୍ଦା କରିଛି। ଆମେରିକା ସାମରିକ ଘାଟି ଉପରେ ଇରାନ ଆକ୍ରମଣ କରିବା ପୂର୍ବରୁ କତର ସେଠାରୁ ଲୋକମାନଙ୍କୁ ବାହାର କରି ଆଣିଥିଲା। ସତର୍କତାମୂଳକ ପଦକ୍ଷେପ ଭାବେ ଏହା କରାଯାଇଥିଲା। କତର ବିଦେଶ ମନ୍ତ୍ରୀଙ୍କ ପ୍ରବକ୍ତା କହିଛନ୍ତି, ଆମେ ଏହା ନିଶ୍ଚିତ କରୁଛୁ ଯେ କତରର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସଫଳତାର ସହିତ ଇରାନର କ୍ଷେପଣାସ୍ତ୍ରଗୁଡ଼ିକୁ ପ୍ରତିହତ କରିଛି। କତରରେ ଆମେରିକା ବାୟୁସେନା ଘାଟିରେ ଆକ୍ରମଣ ଉପରେ ଇରାନ କହିଛି ଯେ ଆବାସିକ ଅଞ୍ଚଳଠାରୁ ବହୁ ଦୂରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କତର ସହିତ ଉତ୍ତମ ସଂପର୍କ ରଖିବାକୁ ଇରାନ ପ୍ରତିବଦ୍ଧ ବୋଲି ତେହରାନର ଜାତୀୟ ସୁରକ୍ଷା ପରିଷଦ ମତ ଦେଇଛି।
କତରରେ ପ୍ରାୟ ସାଢ଼େ ୮ ଲକ୍ଷ ଭାରତୀୟ ବାସ କରୁଛନ୍ତି। ଏଭଳି ସ୍ଥିତିରେ ସେମାନଙ୍କୁ ଘର ଭିତରେ ସତର୍କ ରହିବା ସହ ବିଚଳିତ ନହେବା ପାଇଁ ଭାରତ ସରକାର ପରାମର୍ଶ ଦେଇଛନ୍ତି। କତର କର୍ତ୍ତୃପକ୍ଷ ଦେଉଥିବା ନିର୍ଦ୍ଦେଶ ଓ ପରାମର୍ଶକୁ ପାଳନ କରିବା ଲାଗି ସେମାନଙ୍କୁ କୁହାଯାଇଛି। ଏ ସଂପର୍କରେ ଅଧିକ ସୂଚନା ସରକାରୀ ସୋସିଆଲ ମିଡିଆ ଆକାଉଣ୍ଟ୍ରେ ପୋଷ୍ଟ୍ କରାଯିବ ବୋଲି ଦୋହାରେ ଅବସ୍ଥାପିତ ଭାରତୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପଶ୍ଚିମ ଏସିଆରେ ଦେଖାଦେଇଥିବା ପରିସ୍ଥିତି ଉପରେ ନଜର ରଖିବା ଲାଗି ଏକ ସ୍ବତନ୍ତ୍ର କୋଠରିକୁ ଯାଇଛନ୍ତି। ଆମେରିକା ପକ୍ଷରୁ ହଠାତ୍ ପ୍ରତିଆକ୍ରମଣ ନେଇ କୌଣସି ସୂଚନା ମିଳିନାହିଁ।
ଇରାନର ପରମାଣୁ କେନ୍ଦ୍ର ଉପରେ ଆମେରିକାର ଆକ୍ରମଣ ଯୁକ୍ତିଯୁକ୍ତ ନୁହେଁ। ଏହା ବିଶ୍ୱକୁ ବଡ଼ ବିପଦ ମୁହଁକୁ ଠେଲି ଦେଉଛି ବୋଲି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର କହିଛନ୍ତି। ପୁଟିନ କ୍ରେମଲିନରେ ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାକଚିଙ୍କ ସହ ଆଲୋଚନା କରିବା ବେଳେ ତେହେରାନକୁ ନିଜର ସମର୍ଥନ ଜଣାଇଛନ୍ତି। ଏହି ବୈଠକରେ ପୁଟିନଙ୍କ ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭରୋଭ, କ୍ରେମଲିନ ବୈଦେଶିକ ନୀତି ସହଯୋଗୀ ୟୁରି ଉଷାକୋଭ ଓ ରୁଷିଆର ଜିଆର୍ୟୁ ସାମରିକ ଗୁଇନ୍ଦା ଏଜେନ୍ସି ମୁଖ୍ୟ ଇଗୋର କୋସଟ୍ୟୁକୋଭ ମଧ୍ୟ ଉପସ୍ଥିତ ଥିଲେ। ଇରାନ ବିରୋଧରେ ଆକ୍ରମଣର କୌଣସି ଆଧାର ନାହିଁ କି ଯଥାର୍ଥତା ନାହିଁ ଏବଂ ଇରାନବାସୀଙ୍କୁ ସାହାଯ୍ୟ କରିବା ପାଇଁ ଆମେ ପ୍ରୟାସ ଜାରି ରଖିଛୁ ବୋଲି ପୁଟିନ ଆରାକଚିଙ୍କୁ କହିଛନ୍ତି।