ତେହରାନ : ଇରାନ୍ର କମାଣ୍ଡର ଜେନେରାଲ କାସିମ ସୁଲେମାନୀ ଆମେରିକାର କ୍ଷେପଣାସ୍ତ୍ର ମାଡ଼ରେ ନିହତ ହେବାପରେ ଏବେ ଇରାନ୍ ପ୍ରତିଶୋଧ ନେବାପାଇଁ ପ୍ରସ୍ତୁତ ହେଉଛି। ଆମେରିକା ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ଆଜି ଇରାନ୍ ଘୋଷଣା କରିବା ସହ କୋମ୍ ସହରର ଏକ ମସ୍ଜିଦ୍ରେ ଲାଲ ପତାକା ଉଡ଼ାଇଛି। ଏହି ଲାଲ ପତାକାକୁ ପ୍ରତିଶୋଧ ଏବଂ ଯୁଦ୍ଧର ସଙ୍କେତ ଭାବେ ଇରାନ୍ ଗ୍ରହଣ କରିଛି ଏବଂ ଏହା ଦ୍ବାରା ନାଗରିକମାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସତର୍କ କରାଇ ଦେଇଛି। ସୁଲେମାନୀଙ୍କ ମୃତ୍ୟୁ ପରେ ଇରାନ୍ ଘୋଷଣା କରିଥିଲା ଯେ ଏହାର ଭୟଙ୍କର ପରିଣାମ ଆମେରିକାକୁ ଭୋଗିବାକୁ ପଡ଼ିବ।
ଇରାନ୍ ଆଜି କୋମ୍ ସହରର ଜାମ୍କରନ ମସ୍ଜିଦ୍ରେ ଲାଲ ପତାକା ଉଡ଼ାଇଛି। ଇରାନ୍ର ସରକାରୀ ଟେଲିଭିଜନ ମଧ୍ୟ ଏହାର ପ୍ରସାରଣ କରିଛି। କର୍ବଲାରେ ଇମାମ୍ ହୁସେନଙ୍କ ହତ୍ୟା ପରେ ଏଭଳି ପତାକା ଉଡ଼ାଯାଇଥିଲା। ପ୍ରତିଶୋଧ ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଏହି ପତାକା ଉଡ଼ିବ ବୋଲି କୁହାଯାଇଛି। ଇରାନ୍ ସହ ଉତ୍ତେଜନା ବଢ଼ିବା ପରେ ଆମେରିକା ଏବେ ମଧ୍ୟପ୍ରାଚ୍ୟରେ ନିଜର ସେନା ମୁତୟନ ବଢ଼ାଇବାରେ ଲାଗିଛି। ଅତିରିକ୍ତ ୩୫୦୦ ସୈନିକ ମୁତୟନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଯାଇଛି। ପୂର୍ବରୁ ମଧ୍ୟପ୍ରାଚ୍ୟରେ ଆମେରିକାର ୧୪ ହଜାର ସୈନିକ ରହିଥିଲେ। ତେବେ ଇରାନ୍ ପୂର୍ବ ଅପେକ୍ଷା ଏବେ ଯଥେଷ୍ଟ ଶକ୍ତିଶାଳୀ ଥିବାରୁ ଆମେରିକା ପାଇଁ ଇରାନ୍ ସହ ଯୁଦ୍ଧ ଏତେ ସହଜ ହେବନାହିଁ ବୋଲି କୁହାଯାଉଛି।