ନୂଆଦିଲ୍ଲୀ : ଆତଙ୍କବାଦୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଥିବା ପାକିସ୍ତାନ ଉପରେ ଏବେ ଅନ୍ତର୍ଜାତୀୟ ଚାପ ବଢ଼ିବାରେ ଲାଗିଛି। ପାକିସ୍ତାନ ଆତଙ୍କବାଦୀଙ୍କୁ ଆଉ କେତେଦିନ ଆଶ୍ରୟ ଦେବ ବୋଲି ବିଭିନ୍ନ ରାଷ୍ଟ୍ର ପ୍ରଶ୍ନ କରିଥିବା ବେଳେ ଇରାନ୍ ମଧ୍ୟ ପାକିସ୍ତାନ ମାଟିରେ ଚାଲିଥିବା ଅବାଧ ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଧମକ ଦେଇଛି। ଇରାନ୍ ସରକାରରେ ଥିବା ପ୍ରମୁଖ ନେତା ଏବଂ ସେନା ଅଧିକାରୀମାନେ ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଦେବାପରେ ଇମ୍ରାନ୍ ଖାନ୍ଙ୍କ ସରକାରଙ୍କ ପାଇଁ ଘୋର ଅଡ଼ୁଆ ସୃଷ୍ଟି ହୋଇଛି। ଇରାନ୍ ସେନାର କମାଣ୍ଡର ଜେନେରାଲ୍ କ୍ବାସିମ୍ ସୋଲେମନି ପାକିସ୍ତାନ ସରକାର ଏବଂ ସେନାକୁ କଡ଼ା ଧମକ ଦେଇ କହିଛନ୍ତି ଯେ ପାକିସ୍ତାନ ବାରମ୍ବାର ସୀମାରେ ଅଶାନ୍ତି ସୃଷ୍ଟି କରୁଛି। ଇରାନ୍ ଯେ କୌଣସି ମୁହୂର୍ତ୍ତରେ ଏହା ବିରୋଧରେ ପଦକ୍ଷେପ ନେବ ବୋଲି କହିଛି। ଆମେରିକା, ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସ ମଧ୍ୟ ପାକିସ୍ତାନ ମାଟିରୁ ସଞ୍ଚାଳିତ ହେଉଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ଜୋରଦାର ବିରୋଧ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଇରାନ୍ ଏବଂ ଭାରତ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପରସ୍ପରକୁ ସହଯୋଗର ହାତ ବଢ଼ାଇଛନ୍ତି। ନିକଟରେ ବିଦେଶ ସଚିବ ବିଜୟ ଗୋଖଲେ ଇରାନ୍ ଗସ୍ତ କରିବାର ଥିଲା, କିନ୍ତୁ ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତି ପାଇଁ ଏହି ଗସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ଇରାନ୍ ସେନାର କମାଣ୍ଡର ଅଲି ଜାଫରି କହିଛନ୍ତି ଯେ ପାକିସ୍ତାନ ମନେ ରଖିବା ଉଚିତ୍ ଯେ ଆଇଏସ୍ଆଇ ଏବଂ ସେନା ଆତଙ୍କବାଦୀଙ୍କୁ ଯେଭଳି ସହଯୋଗ କରୁଛନ୍ତି ତାହାର ବହୁତ ବଡ଼ ମୂଲ୍ୟ ପାକିସ୍ତାନକୁ ହିଁ ଦେବାକୁ ପଡ଼ିବ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp