ତେହରାନ : ଇରାନରେ ମେହଶା ଆମିନିଙ୍କ ମୃତ୍ୟୁ ପରଠାରୁ ହିଜାବ ବିରୋଧୀ ଆନ୍ଦୋଳନ ତୀବ୍ର ହୋଇଛି। ଏଭଳି ସ୍ଥିତିରେ ଇରାନ ସରକାର ଲୋକଙ୍କୁ ସତର୍କ କରାଇ ଦେଇଛନ୍ତି। ଯେଉଁମାନେ ହିଜାବ ଆଇନକୁ ନମାନିବେ ସେମାନଙ୍କୁ ପ୍ରଥମ ଥର ପାଇଁ ସତର୍କ କରାଇ ଦିଆଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କୁ ଅଦାଲତରେ ହାଜର କରାଯିବ। ହିଜାବ ଆଇନ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରିବା ଲାଗି ସର୍ବସାଧାରଣ ସ୍ଥାନରେ ଅତ୍ୟାଧୁନିକ ପ୍ରଯୁକ୍ତିର ଉପଯୋଗ କରାଯିବ। ପ୍ରମାଣ ସହିତ ସତର୍କ ବାର୍ତ୍ତା ସେହି ଉଲ୍ଲଂଘନକାରୀଙ୍କ ନିକଟକୁ ପଠାଯିବ।

Advertisment

ଆସନ୍ତା ଶନିବାରଠାରୁ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଇରାନର ପୁଲିସ ମୁଖ୍ୟ ଅହମଦ ରେଜା ରଦନ କହିଛନ୍ତି। ଯଦି କାରରେ ବସିଥିବା କୌଣସି ଯାତ୍ରୀ ଡ୍ରେସ କୋଡ ଉଲ୍ଲଂଘନ କରନ୍ତି ତାହେଲେ କାର ମାଲିକଙ୍କ ନିକଟକୁ ସତର୍କ ବାର୍ତ୍ତା ପଠାଯିବ। ବାରମ୍ବାର ଅପରାଧ କରାଗଲେ କାରକୁ ଜବତ କରାଯିବ। ଉଲ୍ଲେଖଯୋଗ୍ୟ, ମୋରାଲ ପୁଲିସ ଗିରଫ କରିବାର ତିନିଦିନ ପରେ ଗତବର୍ଷ ସେପ୍ଟେମ୍ବର ୧୬ରେ ମେହଶା ଆମିନିଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଦେଶବ୍ୟାପୀ ପ୍ରତିବାଦ ଦେଖିବାକୁ ମିଳିଥିଲା।