ନୂଆଦିଲ୍ଲୀ: ଆମେରିକା-ଇରାନ ମଧ୍ୟରେ ବିବାଦ ତୀବ୍ର ହେଉଥିବା ବେଳେ ଭାରତ ଯଦି କୌଣସି ଶାନ୍ତି ପ୍ରସ୍ତାବ ନେଇ ଆସେ ତେବେ ତାହାକୁ ସ୍ବାଗତ କରାଯିବ ବୋଲି କହିଛନ୍ତି ଭାରତରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତ ଅଲ୍ଲୀ ଚେଗେନି। ସେ କହିଛନ୍ତି, ବିଶ୍ୱରେ ଶାନ୍ତି ବଜାୟ ରଖିବାରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏଥିସହ ଭାରତ ଆମ ଅଂଚଳର ରାଷ୍ଟ୍ର ହୋଇଥିବାରୁ ଭାରତ ପକ୍ଷରୁ ଉତ୍ତେଜନା ହ୍ରାସ ଲାଗି ଯେ କୌଣସି ପଦକ୍ଷେପ ନିଆଯିବ ତାହାକୁ ଆମେ ସାଦରେ ଗ୍ରହଣ କରିବୁ।
ଇରାକରେ ଥିବା ଆମେରିକାର ଦୁଇଟି ଏୟାରବେସ ଉପରେ ଇରାନର ଆକ୍ରମଣ କରିବାର କିଛି ଘଣ୍ଟା ପରେ ଇରାନ ପକ୍ଷରୁ ଏପରି ବାର୍ତ୍ତା ଦିଆଯାଇଛି । ଇରାନର ଦୂତାବାସରେ ଏକ ଶାନ୍ତି ପ୍ରାର୍ଥନା ବୈଠକ ପରେ ଇରାନ ରାଷ୍ଟ୍ରଦୂତ ଅଲ୍ଲୀ ଚେଗେନି କହିଥିଲେ, ଆମେ ଯୁଦ୍ଧ ନୁହେଁ ଶାନ୍ତି ବଜାୟ ରଖିବାକୁ ଚାହୁଁଛୁ। ଅନ୍ୟ ପକ୍ଷରେ ଆମେରିକାର ଏୟାରବେସ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ପ୍ରସଙ୍ଗରେ ସେ କହିଛନ୍ତି କି ନିଜର ଆତ୍ମରକ୍ଷା କରିବାର ଅଧିକାର ଆମର ରହିଛି। ଇରାନର ମିଲିଟାରୀ କମାଣ୍ଡର କ୍ୱାସିମ ସୁଲେମାନୀଙ୍କୁ ଆମେରିକା ହତ୍ୟା କରିବା ପରେ ଇରାନ୍ ପକ୍ଷରୁ ବୁଧବାର ଖୋଲାଖୋଲି ଆକ୍ରମଣ କରାଯାଇଛି।
ଇରାନ-ଆମେରିକା ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତ ଦେଶର ପଦକ୍ଷେପକୁ ଆମେ ଗ୍ରହଣ କରିବୁ। ବିଶେଷ କରି ଇରାନର ଭଲ ବନ୍ଧୁ ଭାବେ ଜଣା ଭାରତ ଉତ୍ତେଜନାକୁ ପ୍ରଶମିତ କରାଇବାରେ ଯାହା ପଦକ୍ଷେପ ନେବ ତାକୁ ଆମେ ସ୍ବାଗତ କରିବୁ ବୋଲି କହିଛନ୍ତି ଇରାନର ରାଷ୍ଟ୍ରଦୂତ।