ଭାରତର ଶାନ୍ତି ପ୍ରସ୍ତାବକୁ ସ୍ବାଗତ କରିବୁ: ଇରାନ୍ ରାଷ୍ଟ୍ରଦୂତ

ପ୍ରତିଶୋଧ ପୂରା ହୋଇଛି, ଯୁଦ୍ଧ ଲଦିଲେ ଛାଡ଼ିବୁନି

ନୂଆଦିଲ୍ଲୀ : ଇରାନ୍‌ର କମାଣ୍ଡର ଜେନେରାଲ୍‌ କ୍ବାସିମ୍‌ ସୁଲେମାନୀଙ୍କୁ ଆମେରିକା ହତ୍ୟା କରିବା ପରେ ଆମେରିକା-ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଇରାନ୍‌ ଏବେ ପ୍ରତିଶୋଧର ନିଆଁରେ ଜଳୁଛି। ଇରାନ୍‌ ଆଜି ଇରାକ୍‌ରେ ଥିବା ଆମେରିକାର ସାମରିକ ଘାଟି ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ତେବେ ଏହି କ୍ଷେପଣାସ୍ତ୍ର ଆକ୍ରମଣ ପରେ ଇରାନ୍‌ ପକ୍ଷରୁ ଶାନ୍ତିର କଥା କୁହାଯାଇଛି। ଭାରତ ଯଦି କୌଣସି ଶାନ୍ତି ପ୍ରସ୍ତାବ ନେଇ ଆସେ ଇରାନ୍‌ ତାକୁ ସ୍ବାଗତ କରିବ ବୋଲି ଭାରତରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତ ଅଲ୍ଲୀ ଚେଗେନି କହିଛନ୍ତି। ବିଶ୍ୱରେ ଶାନ୍ତି ବଜାୟ ରଖିବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସିଛି। ଅପରପ‌କ୍ଷେ, ଭାରତ ମଧ୍ୟ ଏହି ଅଞ୍ଚଳର ଏକ ବୃହତ୍‌ ରାଷ୍ଟ୍ର ହୋଇଥିବାରୁ ଭାରତ ପକ୍ଷରୁ ଉତ୍ତେଜନା ହ୍ରାସ ଲାଗି ଯେକୌଣସି ପଦକ୍ଷେପ ନିଆଯିବ ତାହାକୁ ଇରାନ୍‌ ଆଗ୍ରହର ସହ ଗ୍ରହଣ କରିବ ବୋଲି ଇରାନ୍‌ର ରାଷ୍ଟ୍ରଦୂତ ଅଲ୍ଲୀ ଚେଗେନି କହିଛନ୍ତି।

ସୂଚନାଯୋଗ୍ୟ, ଇରାକରେ ଥିବା ଆମେରିକାର ଦୁଇଟି ଏୟାରବେସ ଉପରେ ଇରାନ ଆକ୍ରମଣ କରିବାର କିଛି ଘଣ୍ଟା ପରେ ଇରାନ ପକ୍ଷରୁ ଏପରି ବାର୍ତ୍ତା ଦିଆଯାଇଛି । ଇରାନର ଦୂତାବାସରେ ଏକ ଶାନ୍ତି ପ୍ରାର୍ଥନା ବୈଠକ ପରେ ଇରାନ ରାଷ୍ଟ୍ରଦୂତ ଅଲ୍ଲୀ ଚେଗେନି କହିଛନ୍ତି ଯେ, ଇରାନ୍‌ ଯୁଦ୍ଧ ନୁହେଁ ଶାନ୍ତି ବଜାୟ ରଖିବାକୁ ଚାହେଁ। ଆମେରିକାର ସାମରିକ ଘାଟି ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ପ୍ରସଙ୍ଗରେ ସେ ସଫେଇ ଦେଇ କହିଛନ୍ତି ଯେ, ଇରାନ୍‌ ନିଜର ଆତ୍ମରକ୍ଷା କରିବାକୁ ଏଭଳି କରିଛି। ଇରାନ-ଆମେରିକା ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଶାନ୍ତି ପ୍ରତିଷ୍ଠା ପାଇଁ ପଦକ୍ଷେପକୁ ଇରାନ୍‌ ଗ୍ରହଣ କରିବ ବୋଲି ସେ କହିଛନ୍ତି। ଇରାନର ଭଲ ବନ୍ଧୁ ଭାରତ ଉତ୍ତେଜନା ପ୍ରଶମିତ କରିବାରେ ଯାହା ପଦକ୍ଷେପ ନେବ ତାକୁ ଇରାନ୍‌ ସ୍ବାଗତ କରିବ ବୋଲି ସେ କହିଛନ୍ତି।

ଅପରପକ୍ଷେ, ଇରାକ୍‌ସ୍ଥିତ ଆମେରିକୀୟ ଦୂତାବାସରେ କ୍ଷେପଣାସ୍ତ୍ର ଆକ୍ରମଣ କରି ଇରାନ୍‌ ନିଜର ପ୍ରତିଶୋଧ ପୂରଣ କରିଛି। ଇରାନ୍‌ ଯୁଦ୍ଧ ଚାହେନାହିଁ। ମାତ୍ର ଯଦି କେହି ଯୁଦ୍ଧ ଲଦିବାକୁ ଚାହିଁବ ତେବେ ଇରାନ୍‌ ଛାଡ଼ିବ ନାହିଁ ବୋଲି ଚେଗେନି କହିଛନ୍ତି।

ସମ୍ବନ୍ଧିତ ଖବର